Home General ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇବା ସମସ୍ତଙ୍କର କର୍ତ୍ତବ୍ୟ

ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇବା ସମସ୍ତଙ୍କର କର୍ତ୍ତବ୍ୟ

ଭୁବନେଶ୍ୱର : ଦିବ୍ୟାଙ୍ଗମାନେ ହେଉଛନ୍ତି ଭଗବାନଙ୍କ ଗୋଟିଏ ଗୋଟିଏ ଅବତାର । ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଲେ ତାହା ହେବ ଭଗବାନଙ୍କ ପ୍ରତି ଆମର ଶ୍ରେଷ୍ଠ ସମ୍ମାନ । ଏଥିପାଇଁ ଆମେ ସମସ୍ତେ ମିଳିମିଶି ଉଦ୍ୟମ କରିବା ଉଚିତ୍ ବୋଲି ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥିମାନେ ମତ ଦେଇଛନ୍ତି ।

ଦୈନିକ ଖବରକାଗଜ ନନ୍ଦିନୀ ପକ୍ଷରୁ ଆୟୋଜିତ ହୋଇଯାଇଛି ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ । ଏହିରେ ୨୨ଟି ବିଦ୍ୟାଳୟ ଓ ୩ଟି ମହାବିଦ୍ୟାଳୟର ଦୁଇ ହଜାରରୁ ଅଧିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଦିବ୍ୟାଙ୍ଗ ସଂଗଠନର କର୍ମକର୍ତ୍ତା ଓ ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

ଦୈନିକ ଖବର କାଗଜ ‘ନନ୍ଦିନୀ’ ର ସଂପାଦକ ହେମନ୍ତ ରଥଙ୍କ ଆବାହକତ୍ୱରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ସମ୍ମାନୀୟ ଅତିଥି ଭାବେ ସମ୍ବାଦର ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସମାଜସେବୀ ଚୌଧୁରୀ ଅମିତାଭ ଦାସ, ଲୋକପ୍ରିୟ ଚଳଚିତ୍ର ତାରକା ପପୁ ପମ୍ ପମ୍ ଓ କନକ ଟିଭିର ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଓଲ୍‌ଟା ପାଲଟାର ଲୋକପ୍ରିୟ ଉପସ୍ଥାପିକା ଶୁଭଲକ୍ଷ୍ମୀ ବାରିକ (ଜଲି) ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଦିବ୍ୟାଙ୍ଗ କଳାକାରମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ଜେନା କଳାକାର ଓ ସମାଜସେବୀମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍କାଏଆଇ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜଗନ୍ନାଥ ତ୍ରିପାଠୀ, ପ୍ରକଳ୍ପ ନିର୍ଦ୍ଦେଶକ ରଞ୍ଜନ କୁମାର, ବ୍ୟବସାୟ ପରିଚାଳକ ଉତ୍କର୍ଷ ପାଟିଲ, କନ୍ଦରପୁରର ନିତିଦିନ ପ୍ରତିନିଧି ବିଶିଷ୍ଟ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ରଘୁନାଥପୁରର ସକାଳ ପ୍ରତିନିଧି ବିଭୂତି ଭୂଷଣ ମଲ୍ଲ, କିଶନ ନଗରର ସମ୍ବାଦ ପ୍ରତିନିଧି ସାଜିଦ୍ ଅଲ୍ଲୀ, ନେତାଜୀ ନର୍ସିଂ କଲେଜର ରଶ୍ମିତା ଜେନା, ଉଇ ଫର୍ ଭୁବନେଶ୍ୱର ଅନୁଷ୍ଠାନ, ମାଣିକ୍ୟ ଫାଉଣ୍ଡେସନ, ଭଦ୍ରକର ସମାଜସେବୀ ମନ୍ଦାକିନୀ ପଣ୍ଡା, ସମାଜସେବୀ ଭୀର୍ ଜେନା, କଟକ ବିଦ୍ୟାଧରପୁର ସରସ୍ୱତୀ ଶିକ୍ଷା ମନ୍ଦିରର ସମ୍ପାଦକ ସୁବାସ ଚନ୍ଦ୍ର ପଣ୍ଡା ଓ ପ୍ରିୟବ୍ରତ ପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ଶ୍ରୀ ଜେନା କହିଥିଲେ ଯେ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ ଥାଇ ମଧ୍ୟ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ନିଜ ପ୍ରତିଭା ଦ୍ୱାରା କିପରି ଅସାଧାରଣ ହୋଇପାରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜ୍ୟ ସ୍ତରରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିବା ଅତ୍ୟନ୍ତ ବିରଳ । ଭଗବାନଙ୍କର ଏହି ଅବତାରମାନଙ୍କୁ ଗୋଟିଏ ସ୍ଥାନରେ ଏକାଠି କରିବା ଓ ସେମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାପାଇଁ ଶ୍ରୀ ରଥଙ୍କର ଭୂୟସୀ ପ୍ରଶଂସା କରିଥିଲେ ।

ଉଲ୍ଲେଖନୀୟ ଯେ ଶ୍ରୀ ରଥଙ୍କ ଉଦ୍ୟମରେ ବିଗତ ଦୀର୍ଘ ୧୬ବର୍ଷ ଧରି ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ ପାଳିତ ହୋଇ ଆସୁଛି । ଏଥି ସହିତ ହେମନ୍ତ ରଥ ଫାଉଣ୍ଡେସନର ଅଧ୍ୟକ୍ଷ ଦିଗମ୍ବର ବିଶ୍ୱାଳ ଦିବ୍ୟାଙ୍ଗ କମଳା ପାତ୍ରଙ୍କୁ ଏକ ସିଲେଇ ମେସିନ୍ ମାନ୍ୟବର ବିଧାୟକଙ୍କ ଦ୍ୱାରା ପ୍ରଦାନ କରି ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ଦିବ୍ୟାଙ୍ଗମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବାପାଇଁ କାମନା କରିଥିଲେ । ବ୍ରିଙ୍ଗ ସ୍ମାଇଲ୍‌ର ଅଧ୍ୟକ୍ଷା ସୁଚରିତା ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ କଳିଙ୍ଗ ସେନାର ଉପସଭାପତି ହେମନ୍ତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବ ସମାଜସେବୀ ଦେବଦତ୍ତ ମିଶ୍ର ଏବଂ ଅନନ୍ୟା ମିଶ୍ର କାର୍ଯ୍ୟକ୍ରମ ଶେଷରେ ୩ହଜାର ଦିବ୍ୟାଙ୍ଗ ପିଲାଙ୍କୁ ସାବୁନ ବଣ୍ଟନ କରିଥିଲେ ।