Home Administration ଦିଆଯିବ ବଜ୍ରପାତ ସର୍ତକତା ପ୍ରଶିକ୍ଷଣ

ଦିଆଯିବ ବଜ୍ରପାତ ସର୍ତକତା ପ୍ରଶିକ୍ଷଣ

ଭୁବନେଶ୍ୱର : ବଜ୍ରପାତର ସର୍ତକତା ସଂକ୍ରାନ୍ତରେ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସଡମା)ର ୩୬ତମ ପରିଚାଳନା କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି ।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରାଯାଇ ପରେ ପରେ ବିଭିନ୍ନ ପ୍ରସ୍ତାବ ଆଗତ  କରାଯାଇଥିଲା । ବୈଠକରେ ବ୍ଲକ, ପଂଚାୟତ ଓ ଗ୍ରାମ୍ୟ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଯୋଜନା କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରାଯାଇଥିଲା । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସହିତ  ବିଜୁଳି ଓ  ବଜ୍ରପାତ ଭଳି ବିପର୍ଯ୍ୟୟର ପରିଚାଳନା ଉପରେ ବୈଠକରେ  ଗୁରୁତ୍ୱ ଦିଆଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ବିଜୁଳି ଓ ବଜ୍ରପାତରେ  ଅଧିକ ମୃତାହତ  ଘଟୁଥିବା ମୟୂରଭଂଜ, ଗଂଜାମ, କେନ୍ଦୁଝର, ବାଲେଶ୍ୱର, କଟକ, ସୁନ୍ଦରଗଡ଼, ନବରଙ୍ଗପୁର, ଯାଜପୁର, ବଲାଙ୍ଗିର, କୋରାପୁଟ ଆଦି ୧୦ଟି ଜିଲ୍ଲାରେ ସତର୍କତା ସଂପର୍କରେ ଜନସାଧାରଣଙ୍କୁ ପ୍ରଶିକ୍ଷଣ ଦିଆଯିବ ଓ ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି  ।

ସେହିପରି ସମସ୍ତ ବଦ୍ୟାଳୟରେ ବଜ୍ରପାତ ନିରୋଧକ ବ୍ୟବସ୍ଥା( ଲାଇଟନିଂ ଆରେଷ୍ଟର) ରହିବା ଓ ଏହାର କାର୍ଯ୍ୟକାରିତା ତଦାରଖ ସଂପର୍କରେ ଆଲୋଚନା କରାଯାଇଛି ବଜ୍ରପାତ ସମୟରେ ଛାତ୍ରଛାତ୍ରୀମାନଙ୍କୁ ସତର୍କ ରହିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନେ ଆବଶ୍ୟକ ସଚେତନ କରିବେ ଏଥି ପାଇଁ ଫାୟାର ଆଲାରାମ ବ୍ୟବସ୍ଥା ସହ ଅଗ୍ନିଶମ  ବିଭାଗ ତରଫରୁ ମକଡ୍ରିଲ କରାଯିବା ପାଇଁ  ସ୍ୱତନ୍ତ୍ର  ପଦକ୍ଷେପ ନିଆଯିବା ପାଇଁ  ବୈଠକରେ ଗୁରୁତ୍ୱାରୋପ  କରାଯାଇଥିଲା  

ସେହିଭଳି ଭୂକମ୍ପ, ପାଣିରେ ବୁଡିଯିବା, ସାପ କାମୁଡା ଭଳି ଆକସ୍ମିକ  ବିପର୍ଯ୍ୟୟ ଓ ଦୁର୍ଦ୍ଦଟଣାକୁ କିପରି ତୁରନ୍ତ ଓ ତ୍ୱରିତ ମୁକାବିଲା  କରାଯାଇ ପାରିବ,  ସେ ଦିଗରେ  ମଧ୍ୟ ସଚେତନ କରିବାକୁ  ମୁଖ୍ୟ ଶାସନ ସଚିବ  ଗୁରୁତ୍ୱାରୋପ କରି ଆବଶ୍ୟକ   କାର୍ଯ୍ୟାନୁଷ୍ଠାନ ପାଇଁ    ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ମରାମତି ଆବଶ୍ୟକ ଥିବା ବନ୍ୟାବାତ୍ୟା ଆଶ୍ରୟସ୍ଥଳୀଗୁଡିକର ରକ୍ଷଣାବେକ୍ଷଣ ଉପରେ ଆଲୋଚନା କରାଯାଇଥିଲା  

ସମସ୍ତ ଆଶ୍ରୟସ୍ଥଳୀଗୁଡିକରେ  ବଜ୍ରପାତ ନିରୋଧକ ବ୍ୟବସ୍ଥା କାର୍ଯ୍ୟକ୍ଷମ ରଖିବା, କାର୍ଯ୍ୟକ୍ଷମ ନଥିବା କରତ ଓ ଟାୱାର ଆଲୋକସବୁକୁ ଅପସାରଣ କରାଯାଇ ଓ ନୂଆ ସଂସ୍ଥାପନ କରାଯିବା,  ବଜ୍ରପାତ ସଂପର୍କରେ ଜନସାଧାରଣଙ୍କୁ ମୋବାଇଲ  ଯୋଗେ ବାର୍ତ୍ତା ପ୍ରେରଣ ଆଦି ସଂପର୍କରେ  ବୈଠକରେ ଗୁରୁତ୍ୱାରୋପ କରାଯାଇଛି ସବୁ  ସରକାରୀ କର୍ମଚାରୀମାନଙ୍କୁ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ଦକ୍ଷତା ବୃଦ୍ଧି  ପ୍ରଶିକ୍ଷଣ ପ୍ରଦାନ, ବିପର୍ଯ୍ୟୟ ସଂପର୍କରେ  ପୂର୍ବାନୁମାନ ଓ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି । ପ୍ରତି ଶିଳ୍ପାନୁଷ୍ଠାନମାନଙ୍କରେ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ   ସେମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ଭାବ୍ୟ  ବିପର୍ଯ୍ୟୟ ମୁକାବିଲା ପାଇଁ  ପ୍ରସ୍ତୁତ ରହିବେ ବୈଠକରେ ଓସଡମାର ପୁନର୍ଗଠନ ଏବଂ  ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ ଗଠନ ସଂପର୍କରେ ମଧ୍ୟ ପ୍ରସ୍ତାବ ଦିଆଯାଇଛି

ଏହି ବୈଠକରେ  ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସତ୍ୟବ୍ରତ ସାହୁ,  ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ  ପ୍ରମୁଖ ଶାସନ ସଚିବ  ଶ୍ରୀ ସୁଶୀଲ କୁମାର ଲୋହାନୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ  ଶ୍ରୀ  ବିଶାଳ କୁମାର ଦେବ, ଅଗ୍ନିଶମ ଓ ଆପାତକାଳୀନ ସେବା  ମହାନିର୍ଦ୍ଦେଶକ  ଡଃ. ସୁଧାଂଶୁ ଷଡଙ୍ଗୀ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ  ଆଶ୍ୱଥୀ ଏସ୍‌, ଯୋଜନା ଓ ସଂଯୋଜନ ବିଭାଗ  ସ୍ୱତନ୍ତ୍ର ଶାସନ ସଚିବ  ଶ୍ରୀମତୀ ଚିତ୍ରା ଆରୁମୁଗମ, ପୂର୍ବତନ ପ୍ରଶାସନିକ ଅଧିକାରୀ ଡଃ. ଅରବିନ୍ଦ ବେହେରା, ବରିଷ୍ଠ ସମାଜସେବୀ ଶ୍ରୀ ଜଗଦାନନ୍ଦ,  ଓସଡମାର  ପରିଚାଳନା ନିର୍ଦ୍ଦେଶକ  ଶ୍ରୀ ଜ୍ଞାନ ଦାସଙ୍କ ସମେତ ପରିଚାଳନା  କମିଟିର ଅନ୍ୟ  ସଦସ୍ୟମାନେ ଉପସ୍ଥିତ ଥିଲେ