Home Infrastructure ଦଶହରାରେ ମରାମତି କାମ ଦୀପାବଳୀ ପର୍ଯ୍ୟନ୍ତ ଗଲାନି

ଦଶହରାରେ ମରାମତି କାମ ଦୀପାବଳୀ ପର୍ଯ୍ୟନ୍ତ ଗଲାନି

ଭୁବନେଶ୍ୱର : ଦଶହରା ସମୟରେ ପିଚୁ ରାସ୍ତା ମରାମତି ହୋଇଥିଲା । ଖାଲୁଆ ରାସ୍ତାରେ ପଡିଥିବା ପିଚୁ ତାଳି କିନ୍ତୁ ଦୀପାବଳୀ ପର୍ଯ୍ୟନ୍ତ ଗଲାନାହିଁ । ରାସ୍ତାରେ ଏବେ ପୂର୍ବାପେକ୍ଷା ଅଧିକ ଖାଲଖମା ।

ଏଭଳି ମରାମତି ହୋଇଥିବା ଖାଲଖମା ରାସ୍ତା ରାଜ୍ୟର ଅନ୍ୟ କୌଣସି ଠାରେ ନୁହେଁ, ଖୋଦ ରାଜଧାନୀର ରାଜ୍ୟ ବିଧାନସଭା ସମ୍ମୁଖରେ । ବିଧାନସଭା ସମ୍ମୁଖ ଟ୍ରାଫିକ ଛକରେ ରାସ୍ତା ଉପରେ ଖାଲଖମା ହୋଇଯିବାରୁ ସମ୍ପୂର୍ଣ୍ଣ ରାସ୍ତାକୁ ପିଚୁ କରିବା ବଦଳରେ କର୍ତ୍ତୃପକ୍ଷ ଦଶହରା ସମୟରେ ଖାଲୁଆ ସ୍ଥାନରେ ପିଚୁ ପକାଇ ମରାମତି କରିଥିଲେ । ହେଲେ ଏହି ମରାମତି ଦୀପବଳୀ ପର୍ଯ୍ୟନ୍ତ ବି ଗଲନାହିଁ । ଯେଉଁଠି ମରାମତି ହୋଇଥିଲା ସେହି ସ୍ଥାନରୁ ପିଚୁ ଉଠି ଏବେ ଏକାଧିକ ଖାଲ ସୃଷ୍ଟି ହୋଇଛି ।

ରାଜଧାନୀର କେବଳ ବିଧାନସଭା ଆଖପାଖ ସ୍ଥାନ ନୁହେଁ, ସହରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭିଭିଆଇପି ସଡକର ମାନ୍ୟତା ପାଇଥିବା ସଚିବାଳୟମାର୍ଗର ଅଧିକାଂଶ ସ୍ଥାନରେ ପିଚୁ ଉଠିଗଲାଣି । ଆନନ୍ଦବଜାର ନିକଟରେ ରାସ୍ତାରୁ ପିଚୁ ଉଠି ମାଟି ଦେଖାଯାଉଛି । ଖାଲଖମା ସହିତ ଧୂଳି ଉଡିବାରୁ ଦୁଇ ଚକିଆ ଯାନ ତ ଦୂରର କଥା ଚାରିଚକିଆ ଯାନ ବି ଖାଲରେ ପଡି ଉଠି ଯାଉଛନ୍ତି ।

ସେହିଭଳି କଳ୍ପନା ଛକ ଟ୍ରାଫିକ ପୋଷ୍ଟ ନିକରେ ରାସ୍ତାରୁ ପିଚୁ ଉଠି ବଡ ବଡ ଗାତ ସୃଷ୍ଟି ହେବା ଫଳରେ ଯାନବାହାନଗୁଡିକ ଚାହିଁଲେ ବି ତୁରନ୍ତ ଟ୍ରାଫିକ ପୋଷ୍ଟ ଡେଇଁପାରୁନାହାନ୍ତି । ଫଳରେ ଏହି ସ୍ଥାନରେ ଏବେ ଅଯଥା ଭିଡ । ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଡେଲଟା ଛକ ସମେତ ସାରା ସହରରେ ଏବେ ରାସ୍ତାଘାଟର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି ।

ରାଜଧାନୀର ରାସ୍ତାକୁ କର୍ତ୍ତୃପକ୍ଷ ଆଉ ପୂର୍ବଭଳି ସମ୍ପୂର୍ଣ୍ଣ ପିଚୁ କରୁନାହାନ୍ତି । ଯେଉଁଠୁ ପିଚୁ ଉଠି ଖାଲିଖମା ହେଉଛି ସେଠାରେ କିଛି ପିଚୁମିଶା ଗୋଡି ଅଖାରେ ଆଣି ପକାଇ ଦେଉଛନ୍ତି । ଶ୍ରମିକମାନେ ତାହାକୁ କୋଦାଳରେ ପିଟି ସମାନ କରୁଛନ୍ତି । ସେହିଭଳି କେତେକ ସ୍ଥାନରେ କେଉଁଉଠି ୨୦ ଫୁଟି ତ ଆଉ କେଉଁଠି ୩୦ ଫୁଟ ପିଚୁ ପକାଇ ମରାମତି କରାଯାଉଛି । ଫଳରେ ଏହା ପାଶ୍ୱର୍ରେ ଥିବା ରାସ୍ତାଟି ତୁରନ୍ତ ଖରାପ ଅବସ୍ଥାକୁ ଆସିଯାଉଛି ।

ରାଜଧାନୀରେ ଏବେ ଗାଡିମୋଟର ସଂଖ୍ୟା ହୁ ହୁ ହୋଇ ବଢିବା ସହିତ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁଛି । ପ୍ରକଳ୍ପ କାର୍ଯ୍ୟ ଯୋଗୁଁ ବିଳମ୍ବିତ ରାତିରେ ଓଜନଦାର ଯାନଗୁଡିକ ରାଜଧାନୀ ରାସ୍ତାରେ ଦଉଡିବା ଫଳରେ ମୁଖ୍ୟ ରାସ୍ତା ଠାରୁ ଆରମ୍ଭକରି ଗଳିକନ୍ଦି ପର୍ଯ୍ୟନ୍ତ ଅଧିକାଂଶ ପିଚୁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ।

ଲୋକସେବାଭବନ, ରାଜ୍ୟ ବିଧାନସଭା ଆଖପାଖ, ସଚିବାଳୟ ମାର୍ଗ, ଜନପଥ ଆଦି ଭିଭିଆଇ ରାସ୍ତା ଅତ୍ୟନ୍ତ ଖରାପ ହୋଇଥିବାରୁ ସାଧାରଣ ଲୋକଙ୍କ ଯା ଆସନ ସହିତ ରାଜଧାନୀର ମର୍ଯ୍ୟାଦା ଦୃଷ୍ଟିରୁ ଏହି ରାସ୍ତାଗୁଡିକର ମରାମତି ପାଇଁ ପଦକ୍ଷେପ ନେବା ଆବଶ୍ୟକ । ନଚେତ ରାଜଧାନୀର ବିଭିନ୍ନ ରାସ୍ତା ଯେଭଳି ଅବସ୍ଥାରେ ପହଞ୍ଚିଛି ସେ ଦିଗରେ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଅନେକ ସ୍ଥାନରେ ମାଟି ରାସ୍ତାରେ ଯିବାକୁ ପଡିବ ବୋଲି ସ୍ଥାନୀୟ ଲୋକେ ମତ ଦେଉଛନ୍ତି । (ତଥ୍ୟ)