Home Election ଦଳୀୟ ବିଧାୟକ ସଂଖ୍ୟା ହ୍ରାସ

ଦଳୀୟ ବିଧାୟକ ସଂଖ୍ୟା ହ୍ରାସ

ଭୁବନେଶ୍ୱର : ଷୋଡଶ ବିଧାନସଭାର କାର୍ଯ୍ୟକାଳ ଶେଷ ହେବାପାଇଁ ମାସକରୁ କମ୍‍ ସମୟ ଥିବାବେଳେ ବିଧାନସଭାରେ ବିଭିନ୍ନ ଦଳର ସଦସ୍ୟ ସଂଖ୍ୟାରେ ପରିବର୍ତ୍ତନ ଘଟିଛି । ବିଶେଷକରି ବିଜେଡି ଓ କଂଗ୍ରେସ ଦଳର ସଦସ୍ୟ ସଂଖ୍ୟା ହ୍ରାସ ପାଇଛି ।

ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ଗୋଟିଏ ଖାଲି ରହିଛି । ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ଆସନଟି ଖାଲି ପଡିଛି । ମୋଟାମୋଟି ଭାବେ ବିଧାନସଭାରେ ବିଜେଡିର ୧୧୩ଟି ଆସନ ଥିବାବେଳେ ବିଜେପିର ୨୨ ଓ କଂଗ୍ରେସର ୯, ସିପିଏମର ଗୋଟିଏ ଆସନ ରହିଥିବାବେଳେ ଅନ୍ୟଗୋଟିଏ ଆସନରେ ସ୍ୱାଧୀନ ବିଧାୟକ ରହିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୧୯ ନିର୍ବାଚନରେ ବିଜେପି ୨୩ଟି ଆସନ ଜିଣିଥିଲା । ପରବର୍ତ୍ତୀ ସମୟରେ ଉପନିର୍ବାଚନରେ ବାଲେଶ୍ୱର ଆସନଟି ବିଜେପି ଠାରୁ ବିଜେଡି ଛଡାଇ ନେବାରୁ ବିଜେପିର ଆସନ ସଂଖ୍ୟା ୨୨କୁ ହ୍ରାସ ପାଇଥିଲା । ଏବେ ଷୋଡଶ ବିଧାନସଭାର କାର୍ଯ୍ୟକାଳ ପୂରିବାକୁ ଯାଉଥିବାବେଳେ ବିଜେପିର ଏହି ସଂଖ୍ୟା ରହିଛି ।

ଅନ୍ୟ ପକ୍ଷରେ ବିଧାନସଭା ନିର୍ବାଚନରେ ଗତଥର ତୃତୀୟ ସ୍ଥାନକୁ ଖସି ଆସିଥିବା କଂଗ୍ରେସ ଦଳ ହାତରେ ୯ଟି ଆସନ ଥିଲା । ୯ଜଣ ବିଧାୟକଙ୍କ ଭିତରୁ ଇତି ମଧ୍ୟରେ ଅଧିରାଜ ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇ ବିଜେଡି ପ୍ରାର୍ଥୀ ଭାବେ ପୁଣି ଖଡିଆଳ ବିଧାନସଭା ଆସନରୁ ନିର୍ବାଚନ ଲଢିଛନ୍ତି । ତେବେ ତାଙ୍କ ସଦସ୍ୟ ପଦ ଏଯାବତ୍‍ ରଦ୍ଦ ହୋଇନାହିଁ । କଂଗ୍ରେସ ଦଳର ପୁରୁଖା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଗୋଟିଏ ପୁଅ ବିଜେଡିରୁ ଲୋକସଭାପ୍ରାର୍ଥୀ ହୋଇଥିବାବେଳେ ଆଉଗୋଟିଏ ପୁଅ କଂଗ୍ରେସରୁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ହୋଇଥିବା ତାଙ୍କ ପୁଅଙ୍କ ଲାଗି ନିର୍ବାଚନ ପ୍ରଚାର କରିବା ପରିପ୍ରେକ୍ଷୀରେ ସୁରଙ୍କୁ କଂଗ୍ରେସ ବହିଷ୍କାର କରିଛି । ଫଳରେ ଏବେ ରାଜ୍ୟ ବିଧାନସଭାରେ କଂଗ୍ରେସର ୭ଜଣ ବିଧାୟକ ରହିଛନ୍ତି ।

ଅନ୍ୟ ପକ୍ଷରେ ବିଜୁ ଜନତା ଦଳ ତାହାର ୧୧୩ଜଣ ବିଧାୟକଙ୍କ ମଧ୍ୟରୁ ୪ ଜଣଙ୍କୁ ଦଳରୁ ବହିଷ୍କାର କରି ସାରିଛି । ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକମାନେ ହେଲେ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ଜଗଦ୍ଦେବ, ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ କୁମାର ପରିଡା । ଏ ଚାରିଜଣ ଯାକ ଏବେ ବିଧାନସଭାର ସଦସ୍ୟ ଥାଇ ନିର୍ବାଚନ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ଜଗଦ୍ଦେବ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ।

ବିଜେଡିରୁ ଇସ୍ତଫା ଦେବାପରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେପିର ପ୍ରାର୍ଥୀ ହୋଇଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲାର ତେଲକୋଇ ବିଜେଡି ବିଧାୟକ ପ୍ରେମାନନ୍ଦ ନାୟକ ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ପରିପ୍ରେକ୍ଷୀରେ ତାଙ୍କ ସଦସ୍ୟ ପଦ ରଦ୍ଦ କରିବାଲାଗି ଶାସକଦଳର ମୁଖ୍ୟ ସଚେତକ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ବିଧି ବ୍ୟବସ୍ଥା ଅନୁଯାୟୀ ଶ୍ରୀ ଢାଲି ଓ ଶ୍ରୀ ନାୟକଙ୍କ ସଦସ୍ୟ ପଦ ବି ରଦ୍ଦ ହୋଇସାରିଛି ।

ଇତି ମଧ୍ୟରେ ବିଜେଡିର ଆଉ ୪ଜଣ ବିଧାୟକ ଦଳରୁ ଇସ୍ତଫା ଦେଇ ବିଜେିପିରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ହିନ୍ଦୋଳରୁ ସୀମାରାଣୀ ନାୟକ ଓ ସୋରରୁ ପର୍ଶୁରାମ ଧଡା ବିଜେପି ଟିକଟରେ ବିଧାନସଭା ନିର୍ବାଚନ ଲଢୁଛନ୍ତି । ନିମାପଡାର ବିଧାୟକ ସମୀର ରଞ୍ଜନ ଦାସ ଓ ଆଠମଲ୍ଲିକର ବିଧାୟକ ରମେଶ ସାଏ ବିଜେଡିରୁ ଇସ୍ତଫା ଦେଇ ବିଜେପି ପ୍ରାର୍ଥୀଙ୍କ ବିଜୟ ଲାଗି ପ୍ରଚାର ଅଭିଯାନର ଦାୟିତ୍ୱ ନେଇଛନ୍ତି । ଏ ପରିପ୍ରେକ୍ଷୀରେ ଏହି ଚାରିଜଣ ବିଧାୟକଙ୍କ ସଦସ୍ୟ ପଦ୍ଦ ରଦ୍ଦ ଲାଗି ପୁଣି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଲେ ବିଧାନସଭାରେ ବିଜେଡିର ସଦସ୍ୟ ସଂଖ୍ୟା ୧୦୩କୁ ହ୍ରାସ ପାଇବ । (ତଥ୍ୟ)