ଭୁବନେଶ୍ୱର : ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟର ୧୫ଲକ୍ଷ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ କରାଯିବ । ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଏହା କହିଛନ୍ତି ।
ଦକ୍ଷତା ବିକାଶ ଜରିଆରେ ଆତ୍ମ ନିଯୁକ୍ତିକୁ ଅଗ୍ରାଧିକାର ଦେବାପାଇଁ ରାଜ୍ୟ ସରକାର ଆସନ୍ତା ୫ବର୍ଷରେ ବଜେଟ୍ରେ ୫୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହାଦ୍ୱାରା ବ୍ୟାପକ ସଂଖ୍ୟାରେ ଯୁବକ ଯୁବତୀଙ୍କ କୌଶଳ ବିକାଶ ପାଇଁ ଲକ୍ଷ୍ୟ ରହିଥିବା ଶ୍ରୀ ଶର୍ମା କହିଛନ୍ତି । ରାଜ୍ୟରେ ଶିଳ୍ପ ପ୍ରୋତ୍ସାହନ ପାଇଁ ଦକ୍ଷ ମାନବ ସମ୍ବଳର ଆବଶ୍ୟକ ଥିବାବେଳେ ଦକ୍ଷତା ବିକାଶ ଜରିଆରେ ଶିଳ୍ପସଂସ୍ଥାର ଆବଶ୍ୟକତା ପୂରଣ କରାଯାଇ ପାରିବ । ସ୍ଥାନୀୟ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍ଡିଏ) ସଂସ୍ଥା ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟକରୁଛି ଏବଂ ଏଥିପାଇଁ ରାଜ୍ୟ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟିଲାଗି ଲକ୍ଷ୍ୟ ଧାର୍ଯ୍ୟ କରୁଛନ୍ତି ।
ନିଯୁକ୍ତି ସୁଯୋଗରୁ ବଞ୍ଚିତ ଯୁବ ବର୍ଗଙ୍କୁ ଶିଳ୍ପସଂସ୍ଥାରେ କର୍ମସଂସ୍ଥାନ ଦେବାପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ବିଶେଷକରି ଅଧିକ ଶ୍ରମିକ ଆବଶ୍ୟକ କରୁଥିବା ଔଷଧଶିଳ୍ପ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଆଦିର ଆବଶ୍ୟକତା ପୂରଣ ଲାଗି ଦକ୍ଷତା ବିକାଶ କରାଯିବ । ଅନୁରୂପ ଭାବେ ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ଇନଷ୍ଟିଟ୍ୟୁଟ ଅଫ୍ କେମିକାଲ ଟେକ୍ନୋଲୋଜି ବ୍ୟାପକ ସଂଖ୍ୟାରେ ଦକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାପାଇଁ ଯୋଜନା କରୁଥିବାବେଳେ ଏମାନେ ରାଜ୍ୟ ଭିତରୁ ତାଲିମପ୍ରାପ୍ତ ଯୁବକ ଯୁବତୀଙ୍କୁ ନେବାପାଇଁ ଆଶ୍ୱାସନା ଦେଇଛନ୍ତି । ଏହାଦ୍ୱାରା ରାଜ୍ୟ ବାହାରକୁ କର୍ମସଂସ୍ଥାନ ପାଇଁ ଯୁବକମାନଙ୍କ ପଳାୟନକୁ ରୋକାଯାଇ ପାରିବ ।
ଓଡିଶା ଶିଳ୍ପ ବିକାଶ ଯୋଜନା -୨୦୨୫ ମାଧ୍ୟମରେ ରାଜ୍ୟ ସରକାର ସ୍ଥାନୀୟ ଯୁବକ ଯୁବତୀଙ୍କ ବ୍ୟାପକ ଭାବେ ତାଲିମ ପ୍ରଦାନ ପାଇଁ ଯୋଜନା କରିଛନ୍ତି ଯାହା ଫଳରେ ସେମାନେ ରାଜ୍ୟ ଭିତରେ ନିଯୁକ୍ତି ପାଇପାରିବେ । କୋଭିଡ ମହାମାରୀ ଯୋଗୁଁ ୯ଲକ୍ଷ ପ୍ରବାସୀ ଶ୍ରମିକ କର୍ମସଂସ୍ଥାନ ହରାଇଥିବାବେଳେ ସେମାନେ ଯେଭଳି ଆଉ ରାଜ୍ୟ ବାହାରକୁ ଯିବେନାହିଁ ସେଥିପାଇଁ ଓଡିଶା ସରକାର ଦକ୍ଷତା ବିକାଶ ଖସଡା ପ୍ରସ୍ତୁତ କରିଛନ୍ତି ।
ପୂର୍ବରୁ ରାଜ୍ୟ ସରକାର ଖଣିଜ ଶିଳ୍ପରେ ବ୍ୟାପକ ନିଯୁକ୍ତିକୁ ପ୍ରୋତ୍ସାହନ ଦେଉଥିବାବେଳେ ଏବେ କିନ୍ତୁ ଏହି ଶିଳ୍ପରେ ଜ୍ଞାନକୌଶଳର ବ୍ୟବହାର ଯୋଗୁଁ କମ୍ ସଂଖ୍ୟାରେ ଲୋକେ କର୍ମସଂସ୍ଥାନ ପାଉଛନ୍ତି । ଫଳରେ ନିଯୁକ୍ତି ପାଇଁ ଏବେ ଅନ୍ୟାନ୍ୟ କ୍ଷେତ୍ର ବିଶେଷକରି ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ରସାୟନିକ, ପ୍ଲାଷ୍ଟିକ ଏବଂ ପେଟ୍ରୋ କେମିକାଲ୍ସ, ଇଲେକଟ୍ରୋନିକ୍ସ, ବୟନ ଶିଳ୍ପ ଆଦି ଉପରେ ଫୋକସ କରାଯାଉଛି । ଏହିସବୁ କ୍ଷେତ୍ରରେ ଅଧିକ ସଂଖ୍ୟାରେ ଶ୍ରମିକ ଆବଶ୍ୟକ ଥିବାରୁ ସେମାନେ ବ୍ୟାପକ ସଂଖ୍ୟାରେ ଦକ୍ଷ ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇ ପାରିବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । (ତଥ୍ୟ)