ଭୁବନେଶ୍ୱର : ଓଡ଼ିଶାର ଖାଉଟିଙ୍କ ପାଇଁ ବର୍ଷକୁ ୨ଲକ୍ଷ ମେଟ୍ରିକ ଟନରୁ ଅଧିକ ଖାଇବା ତେଲ ଆବଶ୍ୟକ ପଡୁଥିବା ବେଳେ ରାଜ୍ୟ ଭିତରେ ତେଲ ଉତ୍ପାଦନ ପାଇଁ ବିଶେଷ ବ୍ୟବସ୍ଥା ନଥିବାରୁ ଅନ୍ୟ ରାଜ୍ୟ ଉପରେ ତେଲ ଟୋପାଏ ପାଇଁ ଆମ ରାଜ୍ୟ ନିର୍ଭରଶୀଳ ହୋଇ ରହୁଛି ।
ଗୋଟିଏପଟେ ରାଜ୍ୟରେ ତୈଳବୀଜ ଉତ୍ପାଦନ ବୃଦ୍ଧି ପାଉଥିବା ଦର୍ଶାଯାଉଥିବା ବେଳେ ଅନ୍ୟପଟେ ବର୍ଷକୁ ବର୍ଷ ଅନ୍ୟ ରାଜ୍ୟରୁ ତେଲ ଆମଦାନି ବଢ଼ି ଚାଲିଛି । ତୈଳବୀଜ ଚାଷ ପାଇଁ ଓଡ଼ିଶାର ଜଳବାୟୁ ଓ ମାଟି ବେଶ୍ ଅନୁକୂଳ ରହିଥିଲେ ମଧ୍ୟ ବିଭିନ୍ନ ବିଭାଗ ମଧ୍ୟରେ ଠିକଣା ସମନ୍ୱୟ ଅଭାବରୁ ରାଜ୍ୟରେ ତେଲ ଶିଳ୍ପର ଅଭିବୃଦ୍ଧି ଘଟୁନାହିଁ । ଅର୍ଥନୀତି ବିଶେଷଜ୍ଞମାନେ କହୁଛନ୍ତି ଯେ ବିଭିନ୍ନ ଜିଲ୍ଲାରେ ତୈଳବୀଜ ଉତ୍ପାଦନ ବୃଦ୍ଧି ସହିତ ଉନ୍ନତମାନର ତେଲ କଳମାନ ପ୍ରତିଷ୍ଠା କରାଯାଇପାରିଲେ ଓଡ଼ିଶା ତୈଳ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟରେ ପରିଣତ ହେବା ସହ ଅନ୍ୟ ରାଜ୍ୟ ଏମିତିକି ବିଦେଶକୁ ଖାଇବା ତେଲ ରପ୍ତାନି କରି ପ୍ରଚୁର ଲାଭବାନ ହେବା ସଙ୍ଗେ ସଙ୍ଗେ କର୍ମନିଯୁକ୍ତିର କ୍ଷେତ୍ରକୁ ମଧ୍ୟ ପ୍ରସାରିତ କରିପାରିବ ।
ସରକାରୀ ତଥ୍ୟ ମୁତାବକ ୧୯୭୦-୭୧ ବର୍ଷରେ ଓଡ଼ିଶାରେ ୨ଲକ୍ଷ ୧୫ ହଜାର ମେଟ୍ରିକ ଟନ୍ ତୈଳବୀଜ ଉତ୍ପାଦିତ ହେଉଥିଲା ଏବଂ ସେତେବେଳେ ପ୍ରାୟ ୩ଲକ୍ଷ ୩୦ ହଜାର ହେକ୍ଟର ଜମିରେ ଏହା ଚାଷ କରାଯାଉଥିଲା । ସରକାରୀ ପରିସଂଖ୍ୟାନ ମୁତାବକ ୧୯୮୬-୮୭ରୁ ୧୯୯୪-୯୫ ପର୍ଯ୍ୟନ୍ତ ବାର୍ଷିକ ତୈଳବୀଜ ଉତ୍ପାଦନର ପରିମାଣ ୧୦ଲକ୍ଷରୁ ୧୨ଲକ୍ଷ ମେଟ୍ରିକ ଟନ୍ ମଧ୍ୟରେ ରହୁଥିଲା । ଓଡ଼ିଶା ସରକାର ପ୍ରକାଶ କରିଥିଲା, ୫ ଦଶନ୍ଧିର କୃଷି ପରିସଂଖ୍ୟାନର ତଥ୍ୟ ମୁତାବକ ୨୦୧୯-୨୦ ବର୍ଷରେ ମାତ୍ର ୬ ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଚାଷ କରାଯାଇଥିଲା ।
୧୯୯୦-୯୧ ବର୍ଷରେ ଓଡ଼ିଶାରେ ରେକର୍ଡ ପରିମାଣର ୯ ଲକ୍ଷ ୪୯ ହଜାର ମେଟ୍ରିକ ଟନ୍ ତୈଳବୀଜ ଉତ୍ପାଦିତ ହୋଇଥିବା ବେଳେ ୨୦୦୨-୦୩ ବେଳକୁ ଏହା ୩ ଲକ୍ଷ ୨୩ ହଜାର ମେଟ୍ରିକ ଟନ୍କୁ ହ୍ରାସ ପାଇଥିଲା । ସରକାରୀ ପରିସଂଖ୍ୟାନ ମୁତାବକ ୨୦୧୯-୨୦ ବର୍ଷରେ ରାଜ୍ୟରେ ୫ଲକ୍ଷ ୬୯ ହଜାର ମେଟ୍ରିକ ଟନ୍ ତୈଳବୀଜ ଉତ୍ପାଦିତ ହୋଇଛି ।
ରାଜ୍ୟରେ ତୈଳବୀଜ ଉତ୍ପାଦନ କାହିଁକି ଗତ ୩୦ବର୍ଷ ମଧ୍ୟରେ ହ୍ରାସ ପାଇଛି ଓ ସେତେବେଳେ ଯେତେ ଜମିରେ ତୈଳବୀଜ ଚାଷ କରାଯାଉଥିଲା ଏବେ ତାହାର ପ୍ରାୟ ଅଧା ଜମିରେ କାହିଁକି ଏହି ଅର୍ଥକରୀ ଫସଲ ଚାଷ ହେଉଛି ତାହା କୃଷି ବିଭାଗରେ କାଗଜ ଚାଷ କରୁଥିବା ଅଧିକାରୀମାନେ ସ୍ପଷ୍ଟ ଭାବେ କହିପାରୁ ନାହାନ୍ତି ।
ଅତୀତରେ ରାଜ୍ୟ ସରକାରଙ୍କ ଅଏଲ ଓଡ଼ିଶା ସଂସ୍ଥା ଉତ୍ପାଦନ କରୁଥିବା ଖାଇବା ତେଲର ଚାହିଦା ରାଜ୍ୟ ଭିତରେ ଓ ବାହାରେ ବ୍ୟାପକ ଥିଲା । କେଉଁ କାରଣରୁ ଅଏଲ ଓଡ଼ିଶା ବନ୍ଦ ହୋଇଗଲା ଏବଂ ତା’ପରଠାରୁ କାହିଁକି ଓଡ଼ିଶାରେ ତେଲ କଳ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ ପାଇଲା ନାହିଁ ତାହାର କାରଣ ଓ ନିରାକରଣ ଏବେ ବି ଖୋଜା ଚାଲିଛି ।
ନଡିଆ ଉତ୍ପାଦନ କ୍ଷେତ୍ରରେ ଦେଶରେ ଓଡ଼ିଶାର ସ୍ଥାନ ଏକଦା ୨ରୁ ୪ ମଧ୍ୟରେ ରହୁଥିଲା । ଓଡ଼ିଶାରେ ଉତ୍ପାଦିତ ନଡିଆ ଅନ୍ୟ ରାଜ୍ୟକୁ ବ୍ୟବସାୟୀମାନେ ନେଇ ସେଠାରେ ନଡିଆ ତେଲ ପ୍ରସ୍ତୁତକରି ପୁଣି ଓଡ଼ିଆ ଲୋକଙ୍କୁ ଚଢ଼ା ଦରରେ ବିକୁଛନ୍ତି । ସେହିଭଳି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉତ୍ପନ୍ନ ହେଉଥିବା ଚିନାବାଦାମ, ସୋରିଷ, ରାଶି, ଅଳସି, ସୂର୍ଯ୍ୟମୁଖୀ ଆଦି ବିଭିନ୍ନ କିସମର ତୈଳବୀଜକୁ ଉତ୍ପାଦନ ସମୟରେ ଢ଼େର କମ୍ ମୂଲ୍ୟରେ ବାହାର ରାଜ୍ୟର ବ୍ୟବସାୟୀମାନେ କିଣି ନେଇ ପରବର୍ତ୍ତୀ ସମୟରେ ଚଢ଼ା ଦରରେ ଓଡ଼ିଶା ବଜାରରେ ବିକୁଛନ୍ତି ।
ଏମିତିକି ମେସିନ ସାହାଯ୍ୟରେ ଓଡ଼ିଶାରୁ ଚିନାବାଦାମ ଚୋପା ଛଡାଇ ସେଗୁଡିକ ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି । ରାଜ୍ୟରେ ତେଲକଳ ଥିଲେ ଓଡ଼ିଶାର ଚାଷୀ ତାର ତୈଳବୀଜ ଏହି ତେଲ କାରଖାନା ମାନଙ୍କୁ ଉଚିତ୍ ଦାମ୍ରେ ବିକି ବେଶ୍ ଲାଭବାନ ହୋଇପାରନ୍ତା । କିନ୍ତୁ ଓଡ଼ିଶାରେ ତେଲକଳ ପ୍ରତିଷ୍ଠା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରାଯାଉ ନଥିବାରୁ ଓଡ଼ିଶା ଚଢ଼ା ଦରରେ ଅନ୍ୟ ରାଜ୍ୟରୁ କୋଟି କୋଟି ଟଙ୍କାର ତେଲ ଉତ୍ପାଦନ କରିବା ପାଇଁ ବାଧ୍ୟ ହେଉଛି । (ତଥ୍ୟ)