Home Election ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ଟିକଟ

ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ଟିକଟ

ନୂଆଦିଲ୍ଲୀ: ବରିଷ୍ଠ ଆଦିବାସୀ ନେତ୍ରୀ ଦୌପଦୀ ମୁର୍ମୁଙ୍କୁ ଭାରତର ରାଷ୍ଟ୍ରପତି ପଦ ପାଇଁ ଶାସକ ଏନଡିଏ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।

ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ମଙ୍ଗଳବାର ଦିନ ଶ୍ରୀମତୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏର ପ୍ରାର୍ଥୀ ଭାବେ ନାମିତ କରିଛି ।

ଦଳର ଶୀର୍ଷ ନେତାଙ୍କର ଏକ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡା ତାଙ୍କ ନାମ ଘୋଷଣା କରିଛନ୍ତି ।

ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ମୁର୍ମୁ ନିର୍ବାଚନ ଜିଣିଲେ ପ୍ରଥମ ଆଦିବାସୀ ମହିଳା ଭାବେ ସେ ଏହି ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଗ୍ରହଣ କରିବେ ।

ବିଜେପି ନେତୃତ୍ୱାଧୀନ ଏନଡିଏ ସପକ୍ଷରେ ସଂଖ୍ୟାଗରିଷ୍ଠ ସଦସ୍ୟ ରହିଛନ୍ତି କାରଣ ଶାସକ ଏନଡିଏର ସଂଖ୍ୟା ଅଧିକ ରହିଛି ।

ବିରୋଧୀ ଏହା ପୂର୍ବରୁ ଯଶୱନ୍ତ ସିହ୍ନାଙ୍କୁ ଏହି ପଦ ପାଇଁ ମିଳିତ ପ୍ରାର୍ଥୀ ଘୋଷଣା କରିଥିଲେ ।

ରାଷ୍ଟ୍ରପତି ର୍ନିବାଚନ ପାଇଁ ୧୮ ଜୁଲାଇକୁ ତାରିଖ ଧାର୍ଯ୍ୟ କରାଯାଇଛି ।

ମୟୂରଭଞ୍ଜର ଆଦିବାସୀ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଶ୍ରୀମତି ମୁର୍ମୁ ପ୍ରଶାସନରେ ଅଭିଜ୍ଞତା ଥିବା ଜଣେ ଜଣାଶୁଣା ଆଦିବାସୀ ବିଜେପି ନେତ୍ରୀ ।

୨୦୦୦-୨୦୦୨ ମସିହାରେ ସେ ନବୀନ ପଟ୍ଟନାୟକ ସରକାରରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଥିଲେ । ଶ୍ରୀମତି ମୁର୍ମୁ ତାଙ୍କର ସରଳତା ଏବଂ ସିଧା କଥା ପାଇଁ ବେଶ୍‍ ଜଣାଶୁଣା ।