ଭୁବନେଶ୍ୱର : ସଦ୍ୟ ବିଜେପିରେ ଯୋଗ ଦେଇଥିବା ଯୁବନେତା ତେଜେଶ୍ୱର ପରିଡାଙ୍କୁ ବିଜେପି ଦଳ ରାଜ୍ୟ ମୁଖପାତ୍ର ଦାୟିତ୍ୱ ପ୍ରଦାନ କରିଛି । ଶ୍ରୀ ପରିଡାଙ୍କ ସହିତ ମନୋଜ ମହାପାତ୍ର ଓ ଅନୀଲ ବିଶ୍ୱାଳଙ୍କୁ ମଧ୍ୟ ସମାନ ଦାୟିତ୍ୱ ମିଳିଛି । ଏହାଦ୍ୱାରା ରାଜ୍ୟ ବିଜେପିର ମିଡିଆ ବିଭାଗ ଆହୁରି ମଜବୁତ ହୋଇପାରିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଶ୍ରୀ ପରିଡା ବିଜେପିରେ ଯୋଗଦେବା ପୂର୍ବରୁ ବିଜେଡିରେ ଥିଲେ । ପୂର୍ବରୁ ରାଜ୍ୟ ଖଦିବୋର୍ଡର ଅଧ୍ୟକ୍ଷ ପଦବୀରେ ମଧ୍ୟ ସଫଳତାର ସହ କାର୍ଯ୍ୟ କରିଥିଲେ । ତେବେ ଗତ କିଛିଦିନ ଧରି ନିଜ ଜନ୍ମମାଟି କେନ୍ଦ୍ରପଡାରେ ସେ ନିଜସ୍ୱ ଉଦ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଚଳାଇଥିଲେ ମଧ୍ୟ ବିଜେଡି ଠାରୁ ଦୂରେଇ ଯାଇଥିଲେ ।
ନିକଟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓଡିଶା ଗସ୍ତରେ ଆସିଥିବାବେଳେ ତେଜେଶ୍ୱର ବିଜେଡିରୁ ଇସ୍ତଫା ଦେବା ସହିତ ବିଧିବଦ୍ଧ ଭାବେ ବିଜେପିରେ ମିଶିଥିଲେ । ବିଜେପିରେ ମିଶିବାପରେ ତେଜେଶ୍ୱର କେନ୍ଦ୍ରାପଡାରେ ଅଧିକ ସକ୍ରିୟ ହୋଇଥିବା ଲକ୍ଷ୍ୟ କରାଯାଉଥିବାବେଳେ ଦଳ ତାଙ୍କୁ ରାଜ୍ୟ ମୁଖପାତ୍ର ଭଳି ଗୁରୁଦାୟିତ୍ୱ ପ୍ରଦାନ କରିଛି ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ତେଜେଶ୍ୱର ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ଗଣମାଧ୍ୟମ ଗୁଡିକରେ ସଫଳତାର ସହ ନିଜର ପକ୍ଷ ରଖୁଥିବାବେଳେ ଏବେ ବିଜେପିର ରାଜ୍ୟ ମୁଖପାତ୍ର ଭାବେ କିଭଳି ଦାୟିତ୍ୱ ନିର୍ବାହ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।