Home Health ତୃତୀୟ ଡୋଜ୍‍ ପରୀକ୍ଷଣ

ତୃତୀୟ ଡୋଜ୍‍ ପରୀକ୍ଷଣ

ଭୁବନେଶ୍ୱର : କରୋନା ରୋକିବାପାଇଁ ଦୁଇ ଡୋଜ୍‍ ଟିକା ନେବାପରେ ବି ତୃତୀୟ ଡୋଜ୍‍ ଟିକାର ଆବଶ୍ୟକତା ପଡିବ । ଏବେ ଏହି ତୃତୀୟ ଡୋଜ୍‍ ଟିକା ଉପରେ ପରୀକ୍ଷଣ ଚାଲିଛି ।

ଏଯାବତ୍‍ ଦେଶରେ ପାଖାପାଖି ୨୦କୋଟି ଡୋଜ୍‍ ଟିକା ଦିଆଯାଇଥିବାବେଳେ ଓଡିଶାରେ ଏହି ପରିମାଣ ପ୍ରାୟ ୬୦ଲକ୍ଷ ରହିଛି । ତେବେ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଣ ବନ୍ଦକରି ଦେଇଥିବାବେଳେ ଓଡିଶା ସରକାର ଏ ବାବଦରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ମାଗଣାରେ ଟିକା ଦେବାକୁ ଚାହୁଁଥିଲେ ବି ଟିକା କମ୍ପାନୀମାନେ ପର୍ଯ୍ୟାପ୍ତ ପରିମାଣର ଡୋଜ୍‍ ଯୋଗାଇ ପାରୁନାହାନ୍ତି । ଏଥିଲାଗି ରାଜ୍ୟରେ ବହୁ ଟିକାକରଣ କେନ୍ଦ୍ର ବନ୍ଦ ରହିଥିବାବେଳେ ୧୮ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମଇ ପହିଲାରୁ ଟିକା ଦେବାପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା ପରିପ୍ରେକ୍ଷୀରେ ଲକ୍ଷ ଲକ୍ଷ ଲୋକ ପଞ୍ଜିକରଣ କରି ଟିକାପାଇଁ ଅନାଇ ବସିଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟର ଯେଉଁ ଘରୋଇ ଡାକ୍ତରଖାନାଗୁଡିକୁ ଟିକାକରଣ ପାଇଁ ଅନୁମତି ଦିଆଯାଇଥିଲା ସେଠାରେ ଯେଉଁମାନେ ପ୍ରଥମ ଡୋଜ୍‍ ନେଇଛନ୍ତି ସେମାନଙ୍କୁ ଦ୍ୱିତୀୟ ଡୋଜ୍‍ ସେହି ଘରୋଇ ହସ୍ପିଟାଲଗୁଡିକରେ ମିଳିବ କି ନାହିଁ ଏବଂ ଯଦି ମିଳିବ ତାହାର ଦର କେତେ ହେବ ସେ ସଂକ୍ରାନ୍ତରେ ଏଯାବତ୍‍ କିଛି ସ୍ପଷ୍ଟ ହୋଇନଥିବାବେଳେ ଆଗ୍ରହୀ ବ୍ୟକ୍ତିମାନେ ଦ୍ୱିତୀୟ ଡୋଜ୍‍ ଟିକା ସରକାରୀ ଡାକ୍ତରଖାନା ମାନଙ୍କରେ ନେଇ ପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏଯାବତ୍‍ ଆମ ରାଜ୍ୟରେ ଅଧିକ ସଂଖ୍ୟକ ଲୋକ ପ୍ରଥମ ଡୋଜ୍‍ ଟିକା ନେଇସାରିଥିବାବେଳେ ଟିକା ଅଭାବରୁ କମ୍‍ ସଂଖ୍ୟକ ଲୋକ ଦ୍ୱିତୀୟ ଡୋଜ୍‍ ଟିକା ନେଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ପ୍ରଥମ ଡୋଜ୍‍ ଟିକା ନେବାର ୨୮ଦିନ ପରେ ଦ୍ୱିତୀୟ ଡୋଜ୍‍ କରୋନା ଟିକା ନେବାକୁ ପଡିଥାଏ । ତେବେ ଭାରତ ବାୟୋଟେକ୍‍ର ସ୍ୱଦେଶୀ ଟିକା କୋଭାକ୍ସିନ୍‍ର ତୃତୀୟ ଡୋଜ୍‍ ଘେନି ପରୀକ୍ଷା ନିରୀକ୍ଷା ଜାରି ରହିଛି । ଏହି ତୃତୀୟ ଡୋଜ୍‍କୁ ବୁଷ୍ଟରଡୋଜ୍‍ ବୋଲି କୁହାଯାଉଛି ।

ଇତି ମଧ୍ୟରେ ଚେନ୍ନାଇର ଏସ୍‍ଆରଏମ୍‍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରରେ କିଛି ଲୋକଙ୍କୁ ତୃତୀୟ ଡୋଜ୍‍ ବା ବୁଷ୍ଟର ଟିକା ଦିଆଯାଇଛି । ଛଅମାସ ପରେ ଏହି ଲୋକମାନଙ୍କ ଉପରେ ଦ୍ୱିତୀୟ ଡୋଜ୍‍ କୋଭାକ୍ସିନ ଟିକାର ପରୀକ୍ଷଣ କରାଯାଇଥିଲା । ହାଇଦ୍ରାବାଦ, ଦିଲ୍ଲୀ, ପାଟନା ଆଦିରେ ଆଉ ପ୍ରାୟ ୨୦୦ ଲୋକଙ୍କ ଉପରେ ଏହି ବୁଷ୍ଟର ଡୋଜ୍‍ର ପରୀକ୍ଷଣ କରାଯିବ ।

ତୃତୀୟ ବା ବୁଷ୍ଟର ଡୋଜ୍‍ ଦେବା ଫଳରେ ଲୋକଙ୍କ ଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରୋଗ ପ୍ରତିରୋଧକ କିଭଳି ବିକଶିତ ହେଉଛି ସେ ସମ୍ପର୍କରେ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି । ବିଦେଶରେ ମଧ୍ୟ ଦିଆଯାଉଥିବା କରୋନା ଟିକାର ଦୁଇଟି ଡୋଜ୍‍ ପରେ ବୁଷ୍ଟର ଡୋଜ୍‍ ପାଇଁ ପ୍ରସ୍ତୁତି ଚାଲିଛି ।

ଆମ ଦେଶର ଜନସଂଖ୍ୟା ପ୍ରାୟ ୧୩୮କୋଟି ହୋଇଥିବାବେଳେ ଏବଯାତ୍‍ ମାତ୍ର ୨୦କୋଟି ଲୋକଙ୍କୁ ଟିକା ଦିଆଯାଇଛି ଏବଂ ଏମାନଙ୍କ ମଧ୍ୟରୁ ପ୍ରାୟ ଅଧା ଦ୍ୱିତୀୟ ଡୋଜ୍‍ ପ୍ରତୀକ୍ଷାରେ ଅଛନ୍ତି । କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଭାରତରେ ଯେତିକି ଉତ୍ପାଦିତ ହେଉଛି ତାହା ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବାପାଇଁ ଢେର କମ୍‍ ରହୁଥିବାରୁ ମଡେର୍ଣ୍ଣା, ଫାଇଜର, ଜନ୍‍ସନ ଓ ସ୍ପଟିନିକ୍‍ ଭଳି ବିଦେଶୀ ଟିକା ଗୁଡିକ ଭାରତ ବଜାରରେ ପ୍ରବେଶ କଲେ ସ୍ୱଦେଶୀ ଟିକାର ଚାପ କମିବ ବୋଲି ଆଶା କରାଯାଉଛି । (ତଥ୍ୟ)