ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଧାନ ବିହନ ବିକ୍ରି କରିଥିବା ଚାଷୀ ଏବେ ହତାଶ । ବିହନ ଦେବାର ତିନି ମାସ ପରେ ବି ଏ ବାବଦୀୟ ଅର୍ଥ ମିଳୁନାହିଁ । ଏଥିଯୋଗୁଁ ଚାଷୀମାନଙ୍କ ଉପରେ ଋଣ ବୋଝ ବଢି ଚାଲିଥିବାବେଳେ ସେମାନେ ବାଧ୍ୟହୋଇ ନିଜ ପାଖରେ ଥିବା ଧାନ ବିହନକୁ ଖୋଲା ବଜାରରେ ବେପାରୀଙ୍କ ହାତରେ ଟେକି ଦେଉଛନ୍ତି ।
ରାଜ୍ୟରେ ପ୍ରାୟ ୫ହଜାର ବିହନ ଚାଷୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଧାନ ବିହନ ଉତ୍ପାଦନ କରନ୍ତି । ପିଣ୍ଡ ବିହନରୁ ପ୍ରମାଣିକ ବିହନ ଉତ୍ପାଦନ କରିବାପରେ ରାଜ୍ୟ ସରକାର ତାହାକୁ ଓଡିଶା ରାଜ୍ୟ ବିହନ ନିଗମ ଜରିଆରେ ସଂଗ୍ରହ କରି ଚାଷୀମାନଙ୍କୁ ଯୋଗାଇଥାନ୍ତି । ତେବେ ପିଣ୍ଡ ବିହନ ଚାଷୀମାନେ ଏଥିପାଇଁ ବିହନ ନିଗମ ନିକଟରେ ନିଜକୁ ପଞ୍ଜିକୃତ କରିବା ସହିତ ଅଧିକ ଖର୍ଚ୍ଚକରି ବିହନ ଚାଷ କରିଥାନ୍ତି । ଏଥିପାଇଁ ସେମାନେ ବିଭିନ୍ନ ସ୍ଥାନରୁ ଋଣ ଆଣିଥାନ୍ତି ।
ଚଳିତ ଖରିଫ ଋତୁରେ ଧାନ ବିହନ ଉତ୍ପାଦନ କରିଥିବା ଚାଷୀମାନେ ଗତ ଡିସେମ୍ବର ମାସରୁ ସେମାନଙ୍କ ଉତ୍ପାଦିତ ଧାନ ବିହନ ନିଗମକୁ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ପ୍ରାପ୍ୟ ପାଇପାରୁ ନାହାନ୍ତି । ବ୍ୟବସ୍ଥା ମୁତାବକ ଚାଷୀଙ୍କ ଠାରୁ ଧାନ ବିହନ ନେବାପରେ ନିଗମ ପକ୍ଷରୁ ତାହାର ପ୍ରକ୍ରିୟାକରଣ କରାଯାଇଥାଏ । ଏହାପରେ ବିହନର ମାନ ପରୀକ୍ଷା କରାଯାଇ ସେଥିରେ ଉତ୍ତୀର୍ଣ୍ଣ ହେଲାପରେ ଚାଷୀଙ୍କୁ ସେମାନଙ୍କର ପ୍ରାପ୍ୟ ମିଳିଥାଏ । ଏଥିପାଇଁ ଅତି ବେଶିରେ ୧୦/୧୫ ଦିନ ଲାଗିବାକଥା ବୋଲି ଚାଷୀମାନେ ମତ ଦେଉଛନ୍ତି ।
ତେବେ ଇତି ମଧ୍ୟରେ ନିଗମ ଧାନ ନେବାର ତିନି ମାସ ପୂରିବାକୁ ବସିଲାଣି । ହେଲେ ଚାଷୀମାନେ ଧାନ ବିହନ ବାବଦରେ ପଇସାଟିଏ ପାଇ ନାହାନ୍ତି । ଫଳରେ ଏବେ ଚାଷୀମାନେ ଦୈନିକ ବିହନ ନିଗମ ଦପ୍ତରକୁ ଦଉଡିବାରେ ଲାଗିଛନ୍ତି । ତେବେ ଚାଷୀମାନଙ୍କୁ ବିଭିନ୍ନ ଆଳ ଦେଖାଇ କର୍ତ୍ତୃପକ୍ଷ ସମୟ ଗଡାଇ ଚାଲିଛନ୍ତି ।
ବିହନ ସଂଗ୍ରହ ପାଇଁ ନିଗମକୁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇ ଦେଉଥିବାବେଳେ ଅର୍ଥ ପ୍ରଦାନରେ କାହିଁକି ବିଳମ୍ବ ହେଉଛି ତାହା ଚାଷୀମାନେ ଜାଣିପାରୁ ନାହାନ୍ତି । ଏଥିଯୋଗୁଁ ଏବେ ଚାଷୀଙ୍କ ଋଣ ବୋଝ ବଢୁଥିବାବେଳେ ରବି ଚାଷ ପାଇଁ ସେମାନଙ୍କ ହାତରେ ଅର୍ଥ ନାହିଁ ।
ଫଳରେ ଚାଷୀଙ୍କ ନିକଟରେ ଥିବା ଅବଶିଷ୍ଟ ବିହନକୁ ସେମାନେ ଖୋଲା ବଜାରରେ କୁଇଣ୍ଟାଲ ପିଛା ୩୦୦ ରୁ ୪୦୦ ଟଙ୍କା କମ୍ ଦରରେ ବିକ୍ରି କରୁଛନ୍ତି । ରାଜ୍ୟ ବାହାରର ବ୍ୟବସାୟୀମାନେ ଦୈନିକ ଟ୍ରକ ଟ୍ରକ ବିହନ ଓଡିଶାର ଚାଷୀଙ୍କ ଠାରୁ ନେଉଥିବାବେଳେ ଆଗାମୀ ଦିନରେ ଏହାକୁ ରାଜ୍ୟ ସରକାର କିଣିବାର ସମ୍ଭାବନା ରହିଛି । ତେଣୁ ବିହନ ଚାଷୀଙ୍କୁ ତୁରନ୍ତ ସେମାନଙ୍କର ପ୍ରାପ୍ୟ ପ୍ରଦାନ ସହିତ ଅବଶିଷ୍ଟ ବିହନ ରାଜ୍ୟ ସରକାର ସଂଗ୍ରହ କରିନେବାପାଇଁ ଚାଷୀମାନେ ଦାବି କରିଛନ୍ତି । (ତଥ୍ୟ)