ଭୁବନେଶ୍ୱର : ୬୩ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀ ଆଜି ରାଜ୍ୟ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଛି । ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀର ପ୍ରଥମ ଦିନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।
ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହେଉଥିବା ଉକ୍ତ ସମ୍ମିଳନୀରେ ଡିଜିପି ଶ୍ରୀ ଅଭୟ ତାଙ୍କ ବକ୍ତବ୍ୟରେ ପୋଲିସ୍ ବିଭାଗର ବିଭିନ୍ନ ଉଲ୍ଲେଖନୀୟ ସଫଳତା ସଂକ୍ରାନ୍ତରେ ଆଲୋକପାତ କରିଥିଲେ ।ପ୍ରଥମ ଦିନର ସମ୍ମିଳନୀରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍.ମୁରଲୀଧର ପୋଲିସ୍ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ଭାବେ ମନୋନୀତ ହୋଇଥିବା ଡିଜିପି ସୁନୀଲ କୁମାର ବଂଶଲ ମଧ୍ୟ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ଉପସ୍ଥିତ ଥିଲେ ।
ନିଶା କାରବାର କରୁଥିବା ବେପାରୀଙ୍କ ସମ୍ପତି ବାଜ୍ୟାପ୍ତି, ସଙ୍ଗଠିତ ଅପରାଧ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଶାନ୍ତିପୂର୍ଣ୍ଣ ଆଇନ୍ ଏବଂ ଶୃଙ୍ଖଳା, ୨୦୨୧ ମସିହାରେ ବହୁ ସଂଖ୍ୟକ ପୋଲିସ୍ କର୍ମଚାରୀଙ୍କ ସଠିକ୍ ସମୟରେ ପଦୋନ୍ନତି, ୫-ଟି ନିୟମାନୁଯାୟୀ ବିଭିନ୍ନ ପଦକ୍ଷେପ, ପାସ୍ପୋର୍ଟ ଯାଂଚ ସମୟ ସୀମା ହ୍ରାସ, ଇଆର୍ଏସ୍ଏସ୍ର ଶୁଭାରମ୍ଭ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ୍ରାଫ୍ର ଭଲ କାମ, ନିଖୋଜ ପିଲାମାନଙ୍କ ସନ୍ଧାନ, ୱାରେଂଟଗୁଡ଼ିକର କାର୍ଯ୍ୟକାରିତା, ଅନୁସନ୍ଧାନ ପ୍ରକ୍ରିୟାର ଡିଜିଟାଇଜେସନ୍ ଏବଂ ସିସିଟିଏନ୍ଏସ୍କୁ ଅପ୍ଗ୍ରେଡ୍ କରି ମନିଟରିଂ ଭଳି ଉଲ୍ଲେଖନୀୟ ସଫଳତା ସଂକ୍ରାନ୍ତରେ ଡିଜିପି ମତବ୍ୟକ୍ତ କରିଥିଲେ ।
ରାଜ୍ୟରେ ୧୧ଟି ନୂତନ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପ୍ରତିଷ୍ଠା, କମିଶନରେଟ୍ ପୋଲିସ୍ ଅଂଚଳରେ ୩ଟି ନୂତନ ଥାନା ପ୍ରତିଷ୍ଠା, କଟକ-ଭୁବନେଶ୍ୱର ଡିସିପିଙ୍କ ଅଧୀନରେ ସ୍ୱତନ୍ତ୍ର କ୍ରାଇମ୍ ୟୁନିଟ୍, ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ଦମନ ନିମନ୍ତେ ସ୍ୱତନ୍ତ୍ର ୱିଙ୍ଗ୍, ଏସ୍ଟିଏଫ୍ ଅଧିନରେ ଏସ୍ପି ନାର୍କୋଟିକ୍ସ ଓ ଅନ୍ୟ କର୍ମଚାରୀଙ୍କ ନୂତନ ପୋଷ୍ଟ, ନୂତନ ପୋଲିସ୍ କ୍ୱାଟର୍ସ ନିର୍ମାଣ ନିମନ୍ତେ ମଞ୍ଜୁରୀ, ଲାନ୍ସ ନାଏକ ପଦବୀ ରଦ୍ଦ ଓ ହାବିଲଦାର ପଦବୀ ସୃଷ୍ଟି ଏବଂ ମାଓ ପ୍ରଭାବିତ ଅଂଚଳରେ ରାସ୍ତା ଘାଟ ଏବଂ କୋଠାବାଡି ନିର୍ମାଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଯୋଗୁଁ ଡିଜିପି ଶ୍ରୀ ଅଭୟ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ ।
ଉଦ୍ଘାଟନୀ କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ରାଜ୍ୟର ଆଇନ୍ ଏବଂ ଶୃଙ୍ଖଳା ସ୍ଥିତି, ମାଓବାଦୀ କାର୍ଯ୍ୟକଳାପ, ରାଜ୍ୟରେ ଅପରାଧ ତଦନ୍ତ ଏବଂ ସ୍ଥିତି, ସିସିଟିଏନ୍ଏସ୍, ନିଶା କାରବାର ଆଦି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।
ରାଜ୍ୟ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟ ପରିସରରୁ ଡଃ ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ଡିଜିପି(ରେଳବାଇ), ସଞ୍ଜୀବ ପଣ୍ଡା, ଅତିରିକ୍ତ ଡିଜିପି( କ୍ରାଇମ୍ବ୍ରାଂଚ),ଆର୍.କେ. ଶର୍ମା, ଅତିରିକ୍ତ ଡିଜିପି( ଆଇନ୍ ଓ ଶୃଙ୍ଖଳା) ଅମିତାଭ ଠାକୁର, ଆଇଜି(ଅପରେସନ୍), ଏସ୍.ପ୍ରବୀଣ କୁମାର,ଆଇଜି(ପର୍ସୋନେଲ), ନରସିଂହ ଭୋଳ, ଆଇଜି( କେନ୍ଦ୍ରାଂଚଳ) ପ୍ରମୁଖ ଉପସ୍ଥିତ ଥିଲେ ।