ଭୁବନେଶ୍ୱର : ଓଡିଶାରେ ତିଆରି ହେବେ ଦକ୍ଷ କ୍ରିକେଟର । ଏଥି ପାଇଁ ଏମ୍ଜିଏମ୍ ଗ୍ରୁପ୍ ଭୁବନେଶ୍ୱରଠାରୁ ୩୦ କିଲୋମିଟର ଦୂର କଟକ ସହର ନିକଟରେ ଏମ୍ଜିଏମ୍ ସ୍କୁଲ ଅଫ୍ ସ୍ପୋର୍ଟସ୍ ନାମରେ ଏକ ଅତ୍ୟାଧୁନିକ ଉଚ୍ଚ ମାନର କ୍ରିକେଟ୍ ଏକାଡେମୀ ପ୍ରତିଷ୍ଠା କରିଛି । ଏହା ଦ୍ୱାରା ରାଜ୍ୟରେ ଉଚ୍ଚ ପ୍ରଦର୍ଶନ ଓ ଗୁଣାତ୍ମକ କ୍ରିକେଟ୍ ସଂସ୍କୃତିର ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରାଯିବ । ଏହି ଆବାସିକ ଏକାଡେମୀ ଓଡ଼ିଶାର ଏମ୍ଜିଏମ୍ ଗ୍ରୁପ୍ ର ଫ୍ଲାଗସିପ୍ କମ୍ପାନି ଏମ୍ଜିଏମ୍ ମିନେରାଲ୍ସ ଲିମିଟେଡର ସମ୍ପୂର୍ଣ୍ଣ ମାଲିକାନାରେ ରହିଛି ।
ବର୍ତମାନର ପ୍ରଶାସନିକ ବ୍ୟବସ୍ଥା ଯଥା ଓଡ଼ିଶା ସରକାର ଓ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ର ସହଯୋଗରେ ଏମ୍ଜିଏମ୍ ସ୍କୁଲ ଅଫ୍ ସ୍ପୋର୍ଟସ୍ ଓଡ଼ିଶାର କ୍ରିକେଟ୍ ଇକୋସିଷ୍ଟମ୍ କୁ ସୁଦୃଢ଼ କରିବା ସହ ଦକ୍ଷ କ୍ରିକେଟର୍ ସୃଷ୍ଟି କରିବାକୁ ପ୍ରୟାସ କରିବ । ଏମ୍ଜିଏମ୍ ସ୍କୁଲ ଅଫ୍ ସ୍ପୋର୍ଟସ୍ ଜାତୀୟ କ୍ରିକେଟ୍ ଏକାଡେମୀ ଏବଂ ଉଚ୍ଚ ଖ୍ୟାତି ସମ୍ପନ୍ନ ଅନ୍ୟ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ମଡେଲରେ ଏକ ଫିଡର୍ ସଂସ୍ଥା ଭାବେ କାର୍ଯ୍ୟ କରିବ ।
ଆବାସିକ ସୁବିଧା, ଅନ୍ତର୍ଜାତୀୟ ମାନର କ୍ରିକେଟ୍ ପଡ଼ିଆ, ଟର୍ଫ, ଆଷ୍ଟ୍ରୋଟର୍ଫ ଓ ମାଟିଙ୍ଗ ପିଚ୍, ଛଅ ଲେନ୍ ଇନ୍ ଡୋର ଏରିନା, ସୁସଜ୍ଜିତ ଜିମ୍ନାସିୟମ୍, ସୁଇମିଂ ପୁଲ୍, ଫିଜିଓଥେରାପି ଓ ପୁନରୁଦ୍ଧାର କେନ୍ଦ୍ର, ପ୍ରେରଣା ହଲ୍, ପୁନର୍ବାସ କେନ୍ଦ୍ର, ବିଚ୍ ଭଲି ବଲ୍ କୋର୍ଟ, ବାସ୍କେଟବଲ୍ କୋର୍ଟ ଇତ୍ୟାଦି ରହିଛି । ଏହି କ୍ରୀଡ଼ା ଏକାଡେମୀ ଆଶାୟୀ କ୍ରିକେଟରମାନଙ୍କୁ ସେମାନଙ୍କ ଲକ୍ଷ୍ୟ ହାସଲ ପାଇଁ ପ୍ରଶିକ୍ଷଣ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ।
ଶ୍ରୀ ରବି ଶାସ୍ତ୍ରୀ, ଶ୍ରୀ ବି ଅରୁଣ ଏବଂ ଟିମ୍ ଇଣ୍ଡିଆର ପୂର୍ବତନ ପ୍ରଶିକ୍ଷକ ଶ୍ରୀ ଆର.ଶ୍ରୀଧରଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତର ଅନ୍ୟତମ ପ୍ରମୁଖ କ୍ରିକେଟ ପ୍ରଶିକ୍ଷଣ ଅନୁଷ୍ଠାନ କୋଚିଂ ବିୟଣ୍ଡ କ୍ରିକେଟ ସହ ଏମ୍ଜିଏମ୍ ସ୍କୁଲ ଅଫ୍ ସ୍ପୋର୍ଟସ୍ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ବିଶ୍ୱର ଶ୍ରେଷ୍ଠ ଅଭ୍ୟାସକୁ ଓଡ଼ିଶାରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଉନ୍ନତମାନର ପ୍ରଶିକ୍ଷଣ ସୁବିଧା ଓ କାର୍ଯ୍ୟକାରିତା ନିମନ୍ତେ ଏମଜିଏମ୍ ସ୍କୁଲ ୍ ଅଫ୍ ସ୍ପୋର୍ଟସ୍ ର ଏହି ଉଦ୍ୟମ ଜ୍ଞାନ ଓ ବୈଷୟିକ ଅଂଶୀଦାର କ୍ଷେତ୍ରରେ ସହାୟକ ହେବ ।
ଏହି ପ୍ରତିଷ୍ଠିତ ପ୍ରଶିକ୍ଷକଙ୍କ ବ୍ୟତୀତ ଏମଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସ୍ ପୂର୍ବତନ ଭାରତୀୟ ଟେଷ୍ଟ କ୍ରିକେଟର ଶ୍ରୀ ଏସ୍ ଏଲ୍ ଭେଙ୍କଟପତି ରାଜୁଙ୍କୁ ମଧ୍ୟ ଏହି ସମ୍ମାନଜନକ ପ୍ରକଳ୍ପ ପାଇଁ ପରାମର୍ଶଦାତା ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି ।
ଏହି ଅଭିଯାନ ଆରମ୍ଭ କରିବା ପାଇଁ ୫୦ ଜଣ ଯୁବ ପୁରୁଷ କ୍ରିକେଟରଙ୍କୁ ସ୍ୱଚ୍ଛ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯିବ ଏବଂ ରିହାତି ମୂଲ୍ୟରେ ଉଚ୍ଚ ମାନର ପ୍ରଶିକ୍ଷଣ ପ୍ରଦାନ କରାଯିବ । ଭବିଷ୍ୟତରେ ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କ ପାଇଁ ପ୍ରଶିକ୍ଷଣର୍ଥୀଙ୍କ ସଂଖ୍ୟା ବୃଦ୍ଧି କରାଯିବ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବ୍ୟତୀତ ଏକାଡେମୀ ଏକ ଦୈନିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଚଳାଇବ ଯାହା ସମସ୍ତ ବୟସ ବର୍ଗର ବାଳକ ଓ ବାଳିକାଙ୍କ ପାଇଁ ଉପଲବ୍ଧ ହେବ ।
ଏମ୍ଜିଏମ୍ ମିନେରାଲ୍ସ ଲିମିଟେଡ୍ ର ସିଏମଡି ପଙ୍କଜ ଲୋଚନ ମହାନ୍ତି ବିଶ୍ୱାସ ପ୍ରକଟ କରିବା ସହ ଏହି ସହଯୋଗ ଓଡ଼ିଶା କ୍ରିକେଟ୍ ର ଭବିଷ୍ୟତ ପାଇଁ ଶୁଭ ସଙ୍କେତ ଦେବା ସହ ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ କ୍ରିକେଟ୍ ପ୍ରଶିକ୍ଷଣ କେନ୍ଦ୍ର ରେ ପରିଣତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।