ଭୁବନେଶ୍ୱର : ପ୍ରଚଣ୍ଡ ରୌଦ୍ରତାପରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଥିବାବେଳେ କଟକରୁ ଜଗତ୍ସିଂହପୁର ଯାଉଥିବା ଲୋକେ ଗଛ ଛାଇଟିକେ ନପାଇ ଏକ ପ୍ରକାର ସିଝି ଯାଉଛନ୍ତି । ଜମି ଅଧିଗ୍ରହଣ ପୂର୍ବରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତାର ଦୁଇ ପାଶ୍ୱର୍ରୁ ହଜାର ହଜାର ବଡ ଓ ଛୋଟ ଗଛକୁ ତରବରିଆ ଭାବେ କାଟି ଦେଇଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।
କଟକ ଜଗତ୍ସିଂହପୁର ରାସ୍ତାର କନ୍ଦରପୁର ଠାରୁ ନୂଆଗାଁ ପର୍ଯ୍ୟନ୍ତ ୮୧ କିଲୋମିଟର ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ହାତକୁ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ କନ୍ଦରପୁର ଠାରୁ ବାଲିକୁଦା ବଜାର ପର୍ଯ୍ୟନ୍ତ ୪୧.୪୭ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ଏହି ରାସ୍ତା ୧୦ମିଟର ଚଉଡା ହେବ । ଏଥିପାଇଁ ପ୍ରାୟ ୫୦୦ କୋଟି ଟଙ୍କାର ବ୍ୟୟବରାଦ ସହିତ ଟେଣ୍ଡର ସରିଛି ।
ଏହି ସମ୍ପ୍ରସାରଣ ପାଇଁ ୫୭୦୦ ଗଛ କାଟିବା ଆବଶ୍ୟକ ଥିବାବେଳେ ଏଥିରୁ ୯୦ ପ୍ରତିଶତ ଗଛକୁ କର୍ତ୍ତୃପକ୍ଷ ଆଗତୁରା କାଟି ଦେଇଛନ୍ତି । ମହାବାତ୍ୟା ମାଡରୁ ବର୍ତ୍ତି ଯାଇଥିବା ବଡ ବଡ ଗଛକୁ ମେସିନ ଲଗାଇ ତରିବରିଆ ଭାବେ କାଟି ଦେଇଛନ୍ତି । ଛୋଟ ଛୋଟ ଗଛ ବି ଏଥିରୁ ବର୍ତ୍ତି ନାହାନ୍ତି । କାମ ବେବେ ଆରମ୍ଭ ହେବ ତାହାର କୌଣସି ନିର୍ଦ୍ଦିଷ୍ଟ ସୂଚନା ନଥିବାବେଳେ କର୍ତ୍ତୃପକ୍ଷ ଆଗୁଆ ଭାବେ ଗଛ କାଟିଦେବା ଏବେ ଏହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ପାଇଁ କାଳ ହୋଇଛି ।
ଜମି ଅଧିଗ୍ରହଣ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି । ବିରିଡି ତହସିଲ ଅଞ୍ଚଳରେ ୯୩ ଏକର ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ମାତ୍ର ୧୫ ପ୍ରତିଶତ ଲୋକେ କ୍ଷତିପୂରଣ ପାଇଛନ୍ତି । ସମସ୍ତଙ୍କୁ କ୍ଷତିପୂରଣ ଦିଆଯିବା ପରେ ହିଁ ଜମି ଅଧିଗ୍ରହଣ ହେବ ବୋଲି ସୂଚନା ମିଳିଛି । ଅନୁରୂପ ଅବସ୍ଥା ଜଗତସିଂହପୁର ତହସିଲ ଅଞ୍ଚଳରେ । ଏଠାରେ ୧୨୮ ଏକର ଜମି ଅଧିଗ୍ରହଣ କରାଯିବ । ଏଠାରେ ୧୪୧୩ ଜଣ କ୍ଷତିପୂରଣ ପାଇବାକୁ ଥିବାବେଳେ ଏବେ ସୁଦ୍ଧା ଅଧା ଲୋକ ବି କ୍ଷତିପୂରଣ ପାଇନଥିବା ଜଣାଯାଇଛି ।
ଜମି ଅଧିଗ୍ରହଣ ପ୍ରକ୍ରିୟା ଅଧା ହୋଇନଥିବାବେଳେ ଆଗତୁରା ଗଛ କାଟିବାକୁ ନେଇ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭକରି ପଥଚାରୀମାନେ ଘୋର ଅସନ୍ତୋଷ ପ୍ରକଟ କରିଛନ୍ତି । ଗଛ କାଟିବାକୁ କେତେ ସମୟ ଲାଗିଥାନ୍ତା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । କାରଣ ଏବେ କନ୍ଦରପୁର ଛାଡିଲା ପରେ ଖରାରୁ ରକ୍ଷାପାଇଁ ଗଛ ଛାଇ ଟିକେ ନାହିଁ । ଚାରିଆଡେ ମହାବାତ୍ୟା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି ।
ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଭଳି ତରବରିଆ ଗଛକଟାକୁ କେହି ସେଭଳି ବିରୋଧ କଲେ ନାହିଁ । ପରିବେଶବିତ୍ଙ୍କ ଠାରୁ ଆରମ୍ଭକରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ପ୍ରକାର ନିରବ । ସେହିଭଳି ରାଜପଥର ଦୁଇ ପାଶ୍ୱର୍ରୁ ଗଛ କାଟିବା ପରିବର୍ତ୍ତେ ଗୋଟିଏ ପଟକୁ ସମ୍ପ୍ରସାରଣ କରାଯାଇଥିଲେ ଜିଲ୍ଲାର ଅନେକ ସବୁଜିମା ରକ୍ଷାପାଇ ଯାଇଥାନ୍ତା ବୋଲି ମତପ୍ରକାଶ ପାଉଛି । (ତଥ୍ୟ)