ଭୁବନେଶ୍ୱର: ପିଲାମାନଙ୍କ ଉପରେ ତମାଖୁ ପ୍ରଭାବର ଗୁରୁତର ପରିସ୍ଥିତିକୁ ବିଚାର କରି ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍ସ୍ କଲ୍ଚରାଲ୍ ସେଣ୍ଟର (ପିକକ୍) ଓ କୋଆଲିସନ୍ ଫର ଟବାକୋ ଫ୍ରି ଓଡିଶାର ମିଳିତ ସହଯୋଗରେ ‘ତମାଖୁ ବ୍ୟବହାର ହ୍ରାସ କରି ଜନସ୍ୱାସ୍ଥ୍ୟରେ ଉନ୍ନତି’ ଉପରେ ଯୁବ ଛାୟା ସଂସଦ ଆୟୋଜନ କରିଥିଲେ । ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୮୦ ଜଣ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
ସମ୍ମାନୀୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ରାଜ୍ୟସଭା ସାଂସଦ ସୁଲତା ଦେଓ, ଭୁବନେଶ୍ୱର ମଧ୍ୟର ବିଧାୟକ ଅନନ୍ତ ନାରାୟଣ ଜେନା, ସୁପ୍ରିମକୋର୍ଟ ଆଡ୍ଭୋକେଟ୍ ରଞ୍ଜିତ ସିଂ, ଏନ୍ସିବି ସେଏ୍ରେ ପରାମର୍ଶଦାତା ଡ. ଜି ଏସ୍ ମିଶ୍ର ଏବଂ ସିଟିଏଫ୍କେ ଅନୁପ୍ ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପିକକ୍୍ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ଅଧ୍ୟକ୍ଷା ଡକ୍ଟର଼ ମିନାକ୍ଷୀ ପଣ୍ଡା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶୀକା ଅନୁରାଧା ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୁବକମାନଙ୍କ ମଧ୍ୟରେ ତମାଖୁ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ବିପଦକୁ ଦୂର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି, “ଆମର ଯୁବକମାନେ ଆମ ଦେଶର ଭବିଷ୍ୟତକୁ ପ୍ରତିନିଧିତ୍ୱ କରନ୍ତି ଏବଂ ସେମାନଙ୍କର ସୁସ୍ଥ ଏବଂ ତମାଖୁମୁକ୍ତ ଭବିଷ୍ୟତ ନିଶ୍ଚିତ କରିବା ଆମର ସାମୂହିକ ଦାୟିତ୍ୱ ଅଟେ । ତମାଖୁ ବ୍ୟବହାର ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ହାନୀକାରକ ଏବଂ ସେମାନଙ୍କୁ ଏହି କ୍ଷତିକାରକ ନିଶା ଠାରୁ ରକ୍ଷା କରିବା ପାଇଁ ଆମେ ଦୃଢ ପଦକ୍ଷେପ ନେବା ନିତ୍ୟନ୍ତ ଆବଶ୍ୟକ । ଏହି ଯୁବ ଛାୟା ସଂସଦ ମାଧ୍ୟମରେ ଯୁବକଯୁବତୀମାନଙ୍କୁ ଶିକ୍ଷା ଦେବା ପାଇଁ ଏହି ପଦକ୍ଷେପ ପ୍ରକୃତରେ ଆବଶ୍ୟକ ଏବଂ ପ୍ରଶଂସନୀୟ ।”

ରାଜ୍ୟସଭା ସାଂସଦ ସୁଲତା ଦେଓ ଏହି ପ୍ରସଙ୍ଗରେ କହିଛନ୍ତି, “ ଏତେ କମ୍ ବୟସରେ ଯୁବକ ଯୁବତୀମାନଙ୍କୁ ସରକାରଙ୍କ ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ଭାଗ ନେବାକୁ ଉତ୍ସାହିତ କରିବା ଭଳି ଏହି ସାହସିକ ପଦକ୍ଷେପ ପାଇଁ ମୁଁ ପିକକ୍ ଟିମ୍ କୁ ଅଭିନନ୍ଦନ ଜଣାଉଛି । ତମାଖୁ କେବଳ ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉ ନାହିଁ ବରଂ ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଛି ଯାହାଦ୍ୱାରା ଦେଶରେ ପ୍ରଗତିରେ ବାଧା ସୃଷ୍ଟି ହେଉଛି । ଆମ ଯୁବକମାନଙ୍କ ମଧ୍ୟରେ ତମାଖୁ ସେବନକୁ ମୁକାବିଲା କରିବା ଏବଂ ସେମାନଙ୍କ ପାଇଁ ଉଜ୍ଜ୍ୱଳ ଓ ସୁସ୍ଥ ଭବିଷ୍ୟତ ନିଶ୍ଚିତ କରିବାକୁ ଆମେ ମିଳିତ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ।”
ଯୁବ ଛାୟା ସଂସଦ ଓଟିଟି ପ୍ଲାଟଫର୍ମ ରେ ଧୁମପାନ ବିରୋଧୀ ଚେତାବନୀ ପ୍ରଦର୍ଶନ ପାଇଁ ନୂତନ ନିୟମ ପ୍ରଣୟନ କରିଥିବାରୁ ସରକାରଙ୍କୁ ପ୍ରଶଂସା କରିବା ସହିତ, ସର୍ବସାଧାରଣ ସ୍ଥାନଗୁଡିକୁ ତମାଖୁ ମୁକ୍ତ କରିବା ପାଇଁ ବର୍ତ୍ତମାନର କୋଟ୍ପା,୨୦୦୩ ଆଇନକୁ ଅଧିକ ଦୃଢିଭୂତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଆଣିଥିଲେ । ତେଣୁ ଯୁବ ସଂସଦ କୋଟ୍ପା ସଂଶୋଧନ ବିଲ୍ ପାଇଁ ଏକ ପ୍ରସ୍ତାବ ଆଗତ କରି ପରବର୍ତ୍ତୀ ଅଧିବେଶନରେ ଆଲୋଚନା ହେବା ପାଇଁ ନିଷ୍ପତି ନିଆଯାଇଛି ।
ଯୁବ ଛାୟା ସଂସଦ ଅଧିବେଶନରେ ତମାଖୁ ସହିତ ଜଡିତ ବିଭିନ୍ନ ବିଷୟ ଯଥା ସେକେଣ୍ଡ ହ୍ୟାଣ୍ଡ୍ ଧୂମପାନ ଏବଂ ତମାଖୁ ଦ୍ରବ୍ୟ ବିକ୍ରି ପାଇଁ ସର୍ବନିମ୍ନ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା । ଅଂଶଗ୍ରହଣକାରୀମାନେ ବିଦ୍ୟାଳୟଗୁଡିକୁ ତମାଖୁମୁକ୍ତ ଅଂଚଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଯୁବ ଛାତ୍ରଛାତ୍ରୀମାନଙ୍କୁ ତମାଖୁ ଏବଂ ଏହାର କ୍ଷତିକାରକ ପ୍ରଭାବରୁ ରକ୍ଷା କରିବା ପାଇଁ ଶିକ୍ଷାନୁଷ୍ଠାନ ନିକଟରେ ବା ତମାଖୁ ବିକ୍ରୟ ସ୍ଥାନରେ ବିଜ୍ଞାପନ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେବେନ୍ଦ୍ର ପ୍ରଧାନ, ସତ୍ୟ ଶିବ ରଥ, ସସ୍ମିତା ସାହୁ ଏବଂ ହରିହର ନାୟକ ସହଯୋଗ କରିଥିଲେ ।