Home Election ଡ.ସୁନୀତି ମୁଣ୍ଡ୍ ବିଜେପିର ମେୟର ପ୍ରାର୍ଥୀ

ଡ.ସୁନୀତି ମୁଣ୍ଡ୍ ବିଜେପିର ମେୟର ପ୍ରାର୍ଥୀ

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ତରଫରୁ ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ପ୍ରାର୍ଥୀ ଭାବେ ଡ. ସୁନୀତି ମୁଣ୍ଡ୍‌ଙ୍କ ନାମ ଘୋଷଣା କରାଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ଡ.ମୁଣ୍ଡଙ୍କ ନାମ ଘୋଷଣା କରିଛନ୍ତି ।

ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ଭୋଟରମାନେ ପ୍ରତ୍ୟକ୍ଷ ଭାବେ ମେୟରଙ୍କୁ ନିର୍ବାଚିତ କରିବେ । ସାହିତ୍ୟ ଏବଂ ସାମ୍ବାଦିକତା କ୍ଷେତ୍ରରୁ ପାର୍ଟିର ମେୟର ପ୍ରାର୍ଥିନୀ ହୋଇଥିବା ଉଚ୍ଚଶିକ୍ଷିତା ଡ.ମୁଣ୍ଡ୍ ସମାଜସେବା ପ୍ରତି ଅତ୍କୃଷ୍ଟ ହେବା ପରେ ବର୍ତମାନ ପ୍ରତ୍ୟକ୍ଷ ରାଜନୀତିକୁ ଆସିଛନ୍ତି । ଡ.ସୁନୀତି ମୁଣ୍ଡ୍ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓଡିଆରେ ସ୍ନାତକତୋର ଡିଗ୍ରୀ ହାସଲ କରିବା ପରେ ସାମ୍ବାଦିକତା କ୍ଷେତ୍ର ପ୍ରତି ଆତ୍କୃଷ୍ଟ ହୋଇ କିଛି ଦିନ ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ ।

ବିଜେପିର ପ୍ରାର୍ଥୀ ଘୋଷଣା ପରେ ରାଜଧାନୀରେ ମେୟର ପଦ ପାଇଁ ଲଢେଇର ଚିତ୍ର ସ୍ପଷ୍ଟ ହୋଇଛି । କଂଗ୍ରେସ ପୂର୍ବରୁ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଥିବାବେଳେ ଆଜି ବିଜେଡି ତାହାର ପ୍ରାର୍ଥୀଭାବେ ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସଙ୍କ ନାମ ଘୋଷଣା କରିଛି । ରାଜ୍ୟର ତିନି ପ୍ରମୁଖ ଦଳ ରାଜଧାନୀ ପାଇଁ ନିଜ ନିଜର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେପି ତାହାର ପତା ଖୋଲିନାହିଁ ।

ଉଲ୍ଲେଖନୀୟ ଯେ ପୂର୍ବରୁ କଟକ ମହାନଗର ନିଗମ ପାଇଁ କଂଗ୍ରେସ ଗିରିବାଳା ବେହେରାଙ୍କ ନାମ ଘୋଷଣା କରିଥିବାବେଳେ ବିଜେଡି ତାହାର ପ୍ରାର୍ଥୀଭାବେ ସାଂସଦ ସୁବାସ ସିଂହଙ୍କୁ ମଇଦାନକୁ ଓହ୍ଲାଇଛି ।