Home Health ଡେଙ୍ଗୁ ସଂକ୍ରମଣର କାରଣ ବସ୍ତିର ବର୍ଜ୍ୟଜଳ

ଡେଙ୍ଗୁ ସଂକ୍ରମଣର କାରଣ ବସ୍ତିର ବର୍ଜ୍ୟଜଳ

ଭୁବନେଶ୍ୱର : ବର୍ଷା ଆରମ୍ଭରୁ ରାଜଧାନୀରେ ହୁ ହୁ ହୋଇ ଡେଙ୍ଗୁ ମାଡୁଥିବାବେଳେ ବେଆଇନ୍‍ ବସ୍ତିକୁ ଜଳଯୋଗାଣ ଏଠାରୁ ବାହାରୁଥିବା ବର୍ଜ୍ୟଜଳ ଏହାର ଅନ୍ୟତମ ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ୮୦ପାର ହେଲାଣି ।

ରାଜଧାନୀରେ ସରକାରୀ ଖାତାରେ ୪୩୬ଟି ବସ୍ତି ରହିଛି । ଏହିସବୁ ବସ୍ତିକୁ ସରକାର ଜଳଯୋଗାଣ ସୁବିଧା କରିଛନ୍ତି । ଏଥି ସହିତ ପାଇଖାନା ସଫେଇ ସୁବିଧା ବି ଯୋଗାଇ ଦିଆଯାଉଛି । ସରକାରୀ ଖାତା ବାହାରେ ସହରରେ ଆଉ ପ୍ରାୟ ହଜାରେ ବସ୍ତି ଗଢି ଉଠିଛି । କେଉଁଠି ରାସ୍ତାକଡ ଜମିରେ ତ ଆଉ କେଉଁଠି କନଜରଭେନ୍ସିରେ । ସହରରେ ଯେଉଁଠି ଟିକେ ଖୋଲା ସ୍ଥାନ ଦେଖୁଛନ୍ତି ସେଠାରେ ରାତାରାତି ବସ୍ତି ତିଆରି କରୁଛନ୍ତି ।

ତେବେ ସରକାରୀ ସ୍ଥାନରେ ଗଢି ଉଠୁଥିବା ଏହି ବସ୍ତିକୁ ତତ୍କାଳ ଜଳ ଓ ବିଦ୍ୟୁତ୍‍ ସଂଯୋଗ ମିଳିଯାଉଛି । ସହରର ବହୁ ସ୍ଥାନରେ ବେଆଇନ୍‍ ବସ୍ତିକୁ ୨୪ଘଣ୍ଟିଆ ଜଳ ସଂଯୋଗ ମିଳିଛି । ହେଲେ ଏହି ଜଳ ବ୍ୟବହାର ପରେ କୁଆଡେ ଯିବ ତାହାର କୌଣସି ବ୍ୟବସ୍ଥା ନାହିଁ । କାରଣ ଏଭଳି ବସ୍ତି ଅଞ୍ଚଳରେ ସ୍ୱରେଜ ସଂଯୋଗ ନାହିଁ । ଫଳରେ ବସ୍ତିରେ ରହୁଥିବା ଲୋକେ ନିଜ ନିଜ ଘର ଆଖପାଖରେ ବ୍ୟବହୃତ ଜଳକୁ ଜମାକରି ରଖି ମଶାବଂଶ ବଢାଇବାର ସମସ୍ତ ବ୍ୟବସ୍ଥା କରିଛନ୍ତି ।

ଅନ୍ୟ ପକ୍ଷରେ ଏବେ ସହରରେ ଥିବା କନଜରଭେନ୍ସିଗୁଡିକ ମଧ୍ୟ ମଶାଙ୍କ ଉତ୍ପାଦନସ୍ଥଳୀ ପାଲଟିଛି । ସରକାରୀ କ୍ୱାଟର୍ସ ମଝିରେ ଥିବା କନଜରଭେନ୍ସି ଅଞ୍ଚଳକୁ ନିୟମିତ ସଫା କରାଯାଉନଥିବାରୁ ସେଠାରେ ଅଳିଆ ଆବର୍ଜନା ଗଦାହୋଇ ରହୁଛି । ବର୍ତ୍ତମାନ କନଜରଭେନ୍ସିରେ ଟାଇଲ ବିଛାଇବାପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ନେଇଥିବାବେଳେ ଜବରଦଖଲ ବି ସେ କ୍ଷେତ୍ରରେ ବାଧକ ହେଲାଣି । କାରଣ କନଜରଭେନ୍ସିରେ ଅଧିକାଂଶ ସ୍ଥାନରେ ବେଆଇନ୍‍ ଭାବେ ବସ୍ତି ଗଢି ଉଠିଛି ।

ସେହିଭଳି ବର୍ଷାଋତୁ ଆରମ୍ଭରେ ମଶାବଂଶ ବୃଦ୍ଧି କଥା ସମସ୍ତେ ଜାଣିଥିଲେ ବି ପୂର୍ବଭଳି ଆଉ ଲାର୍ଭାମରା ମଶାତେଲ ପଡୁ ନାହିଁ କି ମଶାଧୂଆଁ ସହରରେ ଛଡାଯାଉ ନାହିଁ । ମଶାତେଲ ପକାଉଥିବା କର୍ମଚାରୀଙ୍କୁ ଦୈନିକ ଯେତିକି ଔଷଧିୟ ତେଲ ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ଭଳି । ସେଥିରେ ଲାର୍ଭା ମରିବା ସମ୍ଭବପର ନୁହେଁ ବୋଲି ଖୋଦ୍‍ ତେଲ ପକାଉଥିବା କର୍ମଚାରୀମାନେ ମତ ଦେଉଛନ୍ତି ।

ସେହିଭଳି ସହରରେ କାଁ ଭାଁ ଅଞ୍ଚଳକୁ ଛାଡିଦେଲେ ଆଉ ମଶାଧୂଆଁର ବ୍ୟବସ୍ଥା ନାହିଁ । ଏଥିପାଇଁ ଭିତ୍ତିଭୂମି ଅଭାବକୁ ଦାୟୀ କରାଯାଉଛି । ତେବେ ଗତବର୍ଷ ଡେଙ୍ଗୁ ବ୍ୟାପିବା ସମୟରେ କର୍ତ୍ତୃପକ୍ଷ ଅତି କମ୍‍ରେ ୫୦ଟି ଛୋଟ ମଶାଧୂଆଁ ଯନ୍ତ୍ର କିଣିବାପାଇଁ ଯୋଜନା କରିଥିବାବେଳେ ତାହା ବି କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଫଳରେ ଯେଉଁ ହାରରେ ରାଜଧାନୀରେ ଡେଙ୍ଗୁ ବ୍ୟାପିବାରେ ତାହା ଲାଗିଛି ବର୍ଷା ବଢିବା ସହିତ ତାହା ଅଣାୟତ ହୋଇଯିବ ବୋଲି ବିଶେଷଜ୍ଞମାନେ ଏବେ ଠାରୁ ଆଶଙ୍କା ପ୍ରକାଶ କଲେଣି । (ତଥ୍ୟ)