Home Education ବନ୍ଦ ସ୍କୁଲ ଏବେ ନିଶାଡିଙ୍କ ଆଡ୍ଡାସ୍ଥଳୀ

ବନ୍ଦ ସ୍କୁଲ ଏବେ ନିଶାଡିଙ୍କ ଆଡ୍ଡାସ୍ଥଳୀ

ଭୁବନେଶ୍ୱର : ପର୍ଯ୍ୟାପ୍ତ ସଂଖ୍ୟକ ଛାତ୍ରଛାତ୍ରୀ ନଥିବା କାରଣ ଦର୍ଶାଇ ପାଖାପାଖି ୩ହଜାର ସରକାରୀ ସ୍କୁଲକୁ ବନ୍ଦକରି ଦିଆଯାଇଛି । ଏହି ସ୍କୁଲଗୁଡିକ ମଧ୍ୟରୁ ଅଧିକାଂଶ ଏବେ ଭୂତକୋଠି ଭଳି ପଡି ରହିଥିବାବେଳେ ସେଗୁଡିକ କେଉଁଠି ବାହୁବଳିମାନଙ୍କ କବ୍‍ଜାରେ ତ ଆଉ କେଉଁଠି ନିଶାଡି ଓ ଅସାମାଜିକ ବ୍ୟକ୍ତିଙ୍କ ଅମରାବତୀ ପାଲଟିଛି ।

ଏଠାରେ ଉଲ୍ଲେଖନୀୟ ଯେ ଯେଉଁ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୨୦ରୁ କମ୍‍ ଛାତ୍ରଛାତ୍ରୀ ରହିଛନ୍ତି ସେଗୁଡିକୁ ରାଜ୍ୟ ସରକାର ବନ୍ଦ କରିଦେଇ ଏହି ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କୁ ଆଖପାଖର ଅନ୍ୟ ସ୍କୁଲମାନଙ୍କୁ ପଠାଇଛନ୍ତି । ଏହି କ୍ରମରେ ଗାଁ ସ୍କୁଲ ବନ୍ଦ ହୋଇଯିବା ଫଳରେ କେତେକ ପିଲା ପାଠପଢାରେ ଡୋର ବାନ୍ଧିବାକୁ ବାଧ୍ୟ ହୋଇଛନ୍ତି । କେବଳ ଗ୍ରାମାଞ୍ଚଳର ପ୍ରାଥମିକ ବିଦ୍ୟାଳୟ କାହିଁକି, ଖୋଦ ରାଜଧାନୀର ସଚିବାଳୟ ନିକଟବର୍ତ୍ତୀ ଦୁଇ ନମ୍ବର ୟୁନିଟ୍‍ରେ ଥିବା ଏକ ସରକାରୀ ହାଇସ୍କୁଲରେ ପର୍ଯ୍ୟାପ୍ତ ସଂଖ୍ୟକ ଛାତ୍ରଛାତ୍ରୀ ନଥିବା ଦର୍ଶାଇ ତାହାକୁ ବି ବନ୍ଦକରି ଦିଆଯାଇଛି ।

ସରକାରୀ ବିଦ୍ୟାଳୟଗୁଡିକର କୋଠାଘରମାନ ବିସ୍ତୃତ ସରକାରୀ ଜମି ଉପରେ ରହିଛି । ବିଦ୍ୟାଳୟ ବନ୍ଦକରି ଦିଆଯିବାପରେ ଏଗୁଡିକର ବିକଳ୍ପ ବ୍ୟବହାର ପାଇଁ ମଧ୍ୟ କୁହାଯାଇଥିଲା । କେଉଁଠି ଏହି ବିଦ୍ୟାଳୟଗୁଡିକରେ ପଞ୍ଚାୟତ ଅଫିସ ଚାଲିବ ତ ଆଉ କେଉଁଠି ଅଙ୍ଗନବାଡି, ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଅନ୍ୟ କୌଣସି କ୍ଷେତ୍ରୀୟ ଦପ୍ତର ଚାଲିବ ବୋଲି କୁହାଯାଇଥିଲା । ଅବଶ୍ୟ ଇତି ମଧ୍ୟରେ ବନ୍ଦହୋଇ ଯାଇଥିବା କେତେକ ପ୍ରାଥମିକ ବିଦ୍ୟାଳୟରେ ଅନ୍ୟ ସରକାରୀ ସଂସ୍ଥା କାମ କରୁଛି । ତେବେ ଅଧିକାଂଶ ବିଦ୍ୟାଳୟ କିନ୍ତୁ ଅବ୍ୟବହୃତ ଭାବେ ବର୍ଷ ବର୍ଷ ଧରି ପଡିରହିବା ଫଳରେ ସେଠାରେ ଅସାମାଜିକ ବ୍ୟକ୍ତି ଓ ନିଶାଡିମାନଙ୍କ ଆଡ୍ଡା ଜମୁଥିବା ଘେନି ବିଭିନ୍ନ ଅଞ୍ଚଳରୁ ଖବର ମିଳୁଛି ।

ଆଉ କେତେକ ସ୍ଥାନରେ ଏହି ବିଦ୍ୟାଳୟ ଗୃହଗୁଡିକ ସ୍ଥାନୀୟ ଅଞ୍ଚଳର ପ୍ରତିପତ୍ତିଶାଳୀ ବ୍ୟକ୍ତିମାନଙ୍କ କବଜାରେ ରହିଛି । ଏମିତିକି କେତେକ ସ୍ଥାନରେ ଏହାକୁ ମିନି କଲ୍ୟାଣମଣ୍ଡପ ଭାବରେ ଭଡା ଲଗାଯାଉଥିବା ଘେନି ବି ଅଭିଯୋଗ ଆସୁଛି ।

ଗତ ମାର୍ଚ୍ଚ ମାସରେ ରାଜ୍ୟ ସରକାର ଦେଇଥିବା ସୂଚନା ମୁତାବକ ୨୮୨୩ଟି ସରକାରୀ ବିଦ୍ୟାଳୟକୁ ବନ୍ଦକରି ଦିଆଯାଇଛି । ଏଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୧୪ଟି ସରକାରୀ ସ୍କୁଲ ବନ୍ଦ ଥିବାବେଳେ କଟକ ଜିଲ୍ଲାରେ ୧୮୦, କନ୍ଧମାଳରେ ୧୭୩, କୋରାପୁଟରେ ୧୬୪, ମୟୁରଭଞ୍ଜରେ ୧୫୭, ଜଗତ୍‍ସିଂହପୁରରେ ୧୪୪, ଯାଜପୁରରେ ୧୩୪, ବରଗଡରେ ୧୩୩, ସୁନ୍ଦରଗଡରେ ୧୨୫ ଏବଂ ସମ୍ବଲପୁର ଜିଲ୍ଲାରେ ୧୧୫ଟି ବିଦ୍ୟାଳୟ ବନ୍ଦ ଅଛି । ପୁରୀକୁ ଛାଡିଦେଲେ ପ୍ରାୟ ଅନ୍ୟସବୁ ଜିଲ୍ଲାରେ କିଛି ନା କିଛି ବିଦ୍ୟାଳୟକୁ ବନ୍ଦକରି ଦିଆଯାଇଛି ।

କୋଟି କୋଟି ଟଙ୍କା ରାଜକୋଷରୁ ବ୍ୟୟ କରାଯାଇ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଅନେକ ସ୍ଥାନରେ ନୂଆ ବିଦ୍ୟାଳୟଗୃହମାନ ନିର୍ମାଣ କରାଯାଇଥିଲା । ଏମିତିକି କେତେକ ସ୍ଥାନରେ ୨/୩ ମହଲା ଘର ବି ରହିଛି । ଏସବୁ ମୂଲ୍ୟବାନ ସରକାରୀ ସମ୍ପତ୍ତିର ସୁରକ୍ଷା ଏବେ ପ୍ରଶ୍ନବାଚୀ ଘେରରେ । କେତେକ ସ୍ଥାନରେ ବିଦ୍ୟାଳୟ ଚାଲୁନଥିବାରୁ ତାହାର ପରିସରକୁ ମଧ୍ୟ ପ୍ରଭାବଶାଳୀ ଲୋକମାନେ ନିଜ ନିଜ ଦଖଲକୁ ନେଇ ଯାଉଛନ୍ତି । ଆଉ କେତେକ ବିଦ୍ୟାଳୟ ପରିସରକୁ ବ୍ୟବସାୟିକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରୁଛନ୍ତି । ବହୁ ସ୍ଥାନରେ ବନ୍ଦହୋଇ ପଡିଥିବା ବିଦ୍ୟାଳୟଗୁଡିକୁ ପୁର୍ନବାର ଚାଲୁ କରିବାପାଇଁ ଗାଁ ଲୋକଙ୍କ ସମେତ ନିର୍ବାଚିତ ଲୋକପ୍ରତିନିଧିମାନେ ଗୁହାରୀ କରୁଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । (ତଥ୍ୟ)