Home Health ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ଟପିଲା

ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ଟପିଲା

ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ଟପିଥିବାବେଳେ ଖୋରଧା ଜିଲ୍ଲା ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରେ ସରକାରୀ ତାଲିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୯୨ ରେକର୍ଡ ହୋଇଥିବାବେଳେ ବାସ୍ତବ ସଂଖ୍ୟା କିନ୍ତୁ ଏହାଠାରୁ ଢେର ଅଧିକ ବୋଲି କୁହାଯାଉଛି ।

ସରକାରୀ ହିସାବ ଅନୁଯାୟୀ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୧୫୭ରେ ପହଞ୍ଚି ଥିବାବେଳେ ଖୋରଧା ଜିଲ୍ଲା ସବୁଠାରୁ ଆଗରେ ରହିଛି । ଖୋରଧାର ଡେଙ୍ଗୁ ତାଲିକାରେ ରାଜଧାନୀ ଭୁବନେଶ୍ୱରର ଢେର ଅବଦାନ ରହିଛି । ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଯେଉଁ ଆକ୍ରାନ୍ତମାନେ କେବଳ କ୍ୟାପିଟାଲ ହସ୍ପିଟାଲ, ଏମ୍‍ସ କିମ୍ବା ଆରଏମ୍‍ଆରସି ରକ୍ତ ନମୂନା ପରୀକ୍ଷାରୁ ଡେଙ୍ଗୁ ଚିହ୍ନଟ ହେଉଛନ୍ତି ସେମାନେ ହିଁ ସରକାରୀ ତାଲିକାରେ ସ୍ଥାନ ପାଉଛନ୍ତି । ଘରୋଇ ସଂସ୍ଥାରେ ରକ୍ତ ପରୀକ୍ଷା ପରେ ଡେଙ୍ଗୁ ଆକ୍ରାନ୍ତ ବୋଲି ଚିହ୍ନଟ ହେଉଥିବା ରୋଗୀଙ୍କ ସଂଖ୍ୟା ଢେର ଅଧିକ ।

ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ କ୍ୟାପିଟାଲ ହସ୍ପିଟାଲ ମେଡିସିନ୍‍ ୱାର୍ଡରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲିଛି । ହେଲେ ଏଠାରେ ଡେଙ୍ଗୁ ଆକ୍ରାନ୍ତମାନେ ଅନ୍ୟ ରୋଗୀଙ୍କ ଭଳି ବିନା ମଶାରୀରେ ରହୁଥିବାରୁ ଏଠାରୁ ଡେଙ୍ଗୁ ବ୍ୟାପିବା ଆଶଙ୍କାରେ ଅନ୍ୟ ରୋଗୀମାନେ ଛାନିଆ ହେଉଛନ୍ତି ।

ତେବେ ବିଏମ୍‍ସିର ଡ୍ରାଏ ଡେ ପାଳନ ସହିତ ଅଳିଆ ବୁହା ଗାଡିରେ ଯେତେ ସଚେତନତା ବାର୍ତ୍ତା ବଜାଇଲେ ବି ଡେଙ୍ଗୁ କାବୁ ହେଉନାହିଁ । ସହରର ବିଭିନ୍ନ ସ୍ଥାନରେ ଡେଙ୍ଗୁ ଉପଦ୍ରବ ଦେଖିବାକୁ ମିଳୁଛି । ଡେଙ୍ଗୁ ରୋଗୀଙ୍କ ରକ୍ତ ପରୀକ୍ଷାପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ସନ୍ଦିଗ୍ଧ ରୋଗୀମାନେ ଘରୋଇ ନିଦାନ କେନ୍ଦ୍ରରେ ରକ୍ତ ପରୀକ୍ଷା କରିବା ସହିତ ଘରେ ରହି ଚିକିତ୍ସିତ ହେଉଛନ୍ତି । ଯାହାର ଅବସ୍ଥା ବିଗୁଡୁଛି ସିଏ ଡାକ୍ତରଖାନା ଆସୁଛି । ଗତବର୍ଷ ଡେଙ୍ଗୁ କାୟାବିସ୍ତାର ସମୟରେ କ୍ୟାପିଟାଲ ହସ୍ପିଟାଲରେ ରକ୍ତ ପରୀକ୍ଷାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଥିଲେ ବି କୌଣସି ସୁଫଳ ମିଳିନାହିଁ ।

କୋରାପୁଟ ଜିଲ୍ଲା ୪୩୩ ଡେଙ୍ଗୁ ଆକ୍ରାନ୍ତଙ୍କ ସହିତ ରାଜ୍ୟର ଦ୍ୱିତୀୟ ଓ ରାୟଗଡା ୪୨୫ ଆକ୍ରାନ୍ତଙ୍କ ସହିତ ତୃତୀୟ ସ୍ଥାନରେ ରହିଛି । ସେହିଭଳି ମାଲକାନଗିରିରେ ୨୪୪, ବାଲେଶ୍ୱରରେ ୨୩୪, ନୟାଗଡରେ ୧୭୯, ଜଗତସିଂହପୁରରେ ୧୬୭, ଗଞ୍ଜାମରେ ୧୦୯ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ଝାରସୁଗୁଡା, ନୂଆପଡା ଓ ଦେବଗଡ ଜିଲ୍ଲାରେ ଜଣେ ହେଲେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇନଥିବାବେଳେ ୫ଟି ଜିଲ୍ଲା ଯଥା ବଲାଙ୍ଗିର, ବରଗଡ, ବୌଦ୍ଦ, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଜଣେ କରି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଗତବର୍ଷ ଏହି ସମୟରେ ରାଜ୍ୟରେ ୫୪୨୬ ଚିହ୍ନଟ ହୋଇଥିବାବେଳେ ଖୋରଧା ଜିଲ୍ଲା ବି ପ୍ରଥମ ସ୍ଥାନରେ ରହିଥିଲା । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଡେଙ୍ଗୁରେ ଏବେ ସୁଦ୍ଧା କୌଣସି ମୃତ୍ୟୁ ହୋଇନଥିବା ସରକାରୀ ଭାବେ ଉଲ୍ଲେଖ କରାଯାଇଛି । (ତଥ୍ୟ)