ଭୁବନେଶ୍ୱର : ରାଜ୍ୟରେ ଧାନ ଉତ୍ପାଦନ ଯେଉଁ ହାରରେ ବୃଦ୍ଧି ପାଉଛି ସେହି ହାରରେ ଡାଲି କିମ୍ବା ତୈଳବୀଜ ଉତ୍ପାଦନ ହେଉନାହିଁ । ଫଳରେ ଓଡିଶାକୁ ବର୍ଷ ସାରା ଡାଲି ଓ ଖାଇବା ତେଲ ପାଇଁ ଅନ୍ୟ ରାଜ୍ୟର ବଜାର ଉପରେ ନିର୍ଭର କରିବାକୁ ପଡୁଛି ।
ମିଳିଥିବା ସୂଚନା ଅନୁଯାୟୀ ୨୦୧୨-୧୩ ବର୍ଷରେ ରାଜ୍ୟରେ ଏକର ପ୍ରତି ହାରାହାରି ୧୪୩୧ କିଲୋ ଧାନ ଉତ୍ପାଦନ ହେଉଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୧୬୫୪ କିଲୋରେ ପହଞ୍ଚିଥିଲା । ୨୦୨୨-୨୩ ବର୍ଷରେ ଧାନ ଉତ୍ପାଦନ ପରିମାଣ ରାଜ୍ୟରେ ଏକର ପ୍ରତି ୧୭୮୦ କିଲୋ ହୋଇଥିଲା । ଅର୍ଥାତ୍ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ଏକର ପ୍ରତି ଧାନ ଉତ୍ପାଦନ ୩୦୦ କିଲୋରୁ ଅଧିକ ହୋଇପାରିଛି ।
କିନ୍ତୁ ଏହି ସମୟ ମଧ୍ୟରେ ଅଣଧାନ ଅର୍ଥାତ୍ ଡାଲି, ତୈଳବୀଜ ଓ କପା ଉତ୍ପାଦନ ଅତ୍ୟନ୍ତ ଧିମା ଗତିରେ ଆଗକୁ ବଢିଛି । ୨୦୧୨-୧୩ ବର୍ଷରେ ରାଜ୍ୟରେ ଏକର ପ୍ରତି ୨୦୩ କିଲୋ ଡାଲି ଫଳିଥିବାବେଳେ ୨୦୨୦-୨୧ ରେ ତାହା ୨୧୯ କିଲୋ ଏବଂ ୨୦୨୨-୨୩ରେ ୨୧୯ କିଲୋରେ ପହଞ୍ଚିଥିଲା । ଅର୍ଥାତ୍ ଦଶ ବର୍ଷରେ ରାଜ୍ୟରେ ଡାଲି ଉତ୍ପାଦନ ବଢିଛି ମାତ୍ର ୧୬ କିଲୋ ।
ସେହିଭଳି ତୈଳବୀଜ ଉତ୍ପାଦନ ୨୦୧୨-୧୩ରେ ଏକର ପ୍ରତି ୩୬୮ କିଲୋ ଥିବାବେଳେ ୨୦୨୨-୨୩ ରେ ତାହା ମାତ୍ର ୩୮୬ କିଲୋରେ ପହଞ୍ଚିଥିଲା । ଅନୁରୂପ ଭାବେ ୨୦୧୨-୧୩ରେ ରାଜ୍ୟରେ ଏକର ପ୍ରତି ହାରାହାରି ୧୯୩ କିଲୋ କପା ଉତ୍ପାଦନ ହେଉଥିବାବେଳେ ୨୦୨୨-୨୩ରେ ତାହା ୨୨୨ କିଲୋରେ ପହଞ୍ଚିଛି ।
ରାଜ୍ୟରେ ଡାଲି ଜାତୀୟ ଶସ୍ୟର ଉତ୍ପାଦନ ଧାନ ଭଳି ଆଶାନୁରୂପ ଭାବେ ବୃଦ୍ଧି ପାଉନଥିବାରୁ ବର୍ଷ ସାରା ଡାଲି ବିଶେଷକରି ହରଡ ଡାଲି ପାଇଁ ଓଡିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ଓଡିଶା ବଜାରରେ ଏବେ ହରଡଡାଲି କିଲୋ ସର୍ବନିମ୍ନ ୧୭୦ ଟଙ୍କାରେ ବିକ୍ରି ହେଉଥିବାବେଳେ କୋଳଥ ଡାଲି କିଲୋ ୧୫୦ଟଙ୍କା ଅତିକ୍ରମ କରିଗଲାଣି । ଗୋଟିଏ ହରଡଡାଲି ଉତ୍ପାଦନ ଆବଶ୍ୟକ ତୁଳନାରେ ହେଉନଥିବା ଓ ଯେତିକି ବି ଉତ୍ପାଦନ ହେଉଛି ବାହାର ରାଜ୍ୟର ବ୍ୟବସାୟୀମାନେ ତାହାକୁ ଅମଳ ସମୟରେ କିଣି ନେଇ ସେମାନଙ୍କ ରାଜ୍ୟରେ ପ୍ରକ୍ରିୟାକରଣ କରି ପୁଣି ଚଢା ଦରରେ ଓଡିଶାକୁ ବିକ୍ରି କରୁଛନ୍ତି । ଏପରିକି ଓଡିଶାରେ ଉତ୍ପାଦିତ ହେଉଥିବା ମୁଗ, ବିରି ଭଳି ଡାଲି ମଧ୍ୟ ବାହାର ରାଜ୍ୟରେ ପ୍ରକ୍ରିୟାକରଣ ହୋଇ ଓଡିଶାକୁ ଆସୁଛି । ତୈଳବୀଜ କ୍ଷେତ୍ରରେ ମଧ୍ୟ ଅନୁରୂପ ଅବସ୍ଥା ।
ତେବେ ୨୦୨୧ ବର୍ଷରେ ଆନ୍ଧ୍ରପ୍ରଦେଶରେ ଓଡିଶାରୁ ଠାରୁ କମ୍ ଅର୍ଥାତ୍ ଏକର ପ୍ରତି ୧୩୫୮ କିଲୋ ଧାନ ଉତ୍ପାଦନ ହେଉଥିବାବେଳେ ଡାଲି ଜାତୀୟ ଶସ୍ୟ ଉତ୍ପାଦନ ଓଡିଶା ଠାରୁ ବହୁତ ଆଗରେ ରହିଛି । ଓଡିଶାରେ ସେହିବର୍ଷ ଏକର ପ୍ରତି ୨୧୯ କିଲୋ ଡାଲି ଉତ୍ପାଦନ ହେଉଥିବାବେଳେ ଆନ୍ଧ୍ରରେ ଏହା ୩୪୯, ବିହାରରେ ୩୪୨, ପଶ୍ଚିମବଙ୍ଗରେ ୩୬୦ ଓ ଛତିଶଗଡରେ ୨୭୭ କିଲୋ ରହିଛି । ତୈଳବୀଜ ଉତ୍ପାଦନ କ୍ଷେତ୍ରରେ ବି ବିହାର, ପଶ୍ଚିମବଙ୍ଗ ଓ ଛତିଶଗଡ ଭଳି ରାଜ୍ୟ ଓଡିଶା ଠାରୁ ଢେର ଆଗରେ ରହିଛନ୍ତି । (ତଥ୍ୟ)