Home Administration ଠିକଣା ସମୟରେ ଆସୁ ନାହାନ୍ତି ବାବୁ

ଠିକଣା ସମୟରେ ଆସୁ ନାହାନ୍ତି ବାବୁ

ଭୁବନେଶ୍ୱର : ସରକାରୀ ବାବୁମାନେ ଠିକଣା ସମୟରେ ଦପ୍ତରକୁ ଆସୁନଥିବାରୁ ଏବେ ଗୋଟିଏ ପରେ ଗୋଟିଏ ବିଭାଗ ସେମାନଙ୍କୁ ଚେତାବନୀ ଦେବାରେ ଲାଗିଛନ୍ତି । ହେଲେ ଅମାନିଆ ବାବୁମାନଙ୍କ ଉପରେ ଏହାର ପ୍ରଭାବ ପଡୁଥିବା ଲକ୍ଷ୍ୟ କରାଯାଉନାହିଁ । ବିଳମ୍ବରେ ଆସି ସଅଳ ଦପ୍ତର ଛାଡିବା ଏବେ ଅନେକଙ୍କ ଅଭ୍ୟାସ ହୋଇଗଲାଣି ।

ରାଜ୍ୟ ସଚିବାଳୟରେ କର୍ମଚାରୀମାନେ ପୂର୍ବାହ୍ନ ୯.୩୦ରେ ଆସି ପହଞ୍ଚିବାପାଇଁ ସମୟ ଧାର୍ଯ୍ୟ ହୋଇଛି । ମୁଖ୍ୟ ଶାସନ ସଚିବ ଧାର୍ଯ୍ୟ ସମୟରେ ଆସି ପହଞ୍ଚୁଥିବାବେଳେ ସଂଖ୍ୟାଧିକ କର୍ମଚାରୀମାନେ କିନ୍ତୁ ଦେଖାଦର୍ଶନ ଦେଉନାହାନ୍ତି । ଏ ନେଇ ପ୍ରଥମେ ଅର୍ଥ ବିଭାଗ ଅମାନିଆ କର୍ମଚାରୀଙ୍କୁ ଚେତାବାନୀ ଦେଇଥିବାବେଳେ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅନୁରୂପ ନିର୍ଦ୍ଦେଶନାମା ଜାରି କରିଛି । କର୍ମଚାରୀମାନେ ପୂର୍ବାହ୍ନ ୧୦ଟାରେ ଆସି ଦପ୍ତରରେ ପହଞ୍ଚି ବାୟୋମେଟ୍ରିକରେ ନିଜର ଟିପ ଦେବାକୁ କୁହାଯାଇଛି । ତେବେ ବିଭାଗର ୧୦ଟା ସମୟକୁ ନେଇ ଦ୍ୱନ୍ଦ ଦେଖାଦେଇଛି ।

କର୍ମଚାରୀମାନେ ସଠିକ ସମୟରେ ଆସି ଯେଭଳି ଦପ୍ତର କାର୍ଯ୍ୟ କରିବେ ସେଥିପାଇଁ ପ୍ରତ୍ୟେକ ବିଭାଗ ପ୍ରବେଶ ପଥରେ ବାୟୋମେଟ୍ରିକ ଚିହ୍ନଟ ଯନ୍ତ୍ର ଲଗାଇଛନ୍ତି । କର୍ମଚାରୀମାନେ ଏଥିରେ ଟିପ ଦେଇ ପ୍ରବେଶ କରିବା ସହିତ ପ୍ରସ୍ଥାନ ସମୟରେ ଟିପଚିହ୍ନ ଦେବେ । ଫଳରେ ସେମାନେ କେତେବେଳେ ଦପ୍ତରକୁ ଆସୁଛନ୍ତି ଓ କେତେବେଳେ ଦପ୍ତର ଛାଡୁଛନ୍ତି ତାହା ସହଜରେ ଜଣାପଡିବ । ହେଲେ ସଂଖ୍ୟାଧିକ କର୍ମଚାରୀ ଏହାକୁ ଖାତିର କରୁନାହାନ୍ତି । ବିଳମ୍ବରେ ଦପ୍ତର ଆସି ସଅଳ ଛାଡୁଛନ୍ତି ।

କର୍ମଚାରୀମାନେ ପୂର୍ବାହ୍ନ ୯ଟା ୩୦ରେ ଦପ୍ତର ଆସିବାପାଇଁ ସମ୍ମତି ପ୍ରକାଶ କରିବାରୁ ସେମାନଙ୍କୁ ମାସର ଚତୁର୍ଥ ଶନିବାରଟିକୁ ଅତିରିକ୍ତ ଛୁଟି ଭାବେ ମଞ୍ଜୁର କରାଯାଇଛି । ତେବେ ଚତୁର୍ଥ ଶନିବାର ଛୁଟି ନେଉଥିବା କର୍ମଚାରୀଙ୍କ ମଧ୍ୟରୁ ଅନେକ କିନ୍ତୁ ୯ଟା ୩୦ରେ ଦପ୍ତରରେ ପହଞ୍ଚିବାକୁ ରାଜି ନୁହନ୍ତି । ଲକ୍ଷାଧିକ ଟଙ୍କା ବ୍ୟୟରେ ଲଗାଯାଇଥିବା ବାୟୋମେଟ୍ରିକ ଯନ୍ତ୍ରରେ କେଉଁ କର୍ମଚାରୀ କେତେବେଳେ ଆସି ଟିପ ଦେଉଛନ୍ତି ତାହାର ସମୀକ୍ଷା ମଧ୍ୟ କେହି କରୁନାହାନ୍ତି । ଫଳରେ କର୍ମଚାରୀମାନେ ଏହି ଯନ୍ତ୍ରକୁ ଆଉ ଭୟ କରୁନାହାନ୍ତି ।

ସେହିଭଳି ବର୍ତ୍ତମାନ ସମସ୍ତ ଫାଇଲ୍‍ କାର୍ଯ୍ୟ ଏବେ ଓସ୍ୱାସ ମାଧ୍ୟମରେ ଅନ୍‍ଲାଇନ୍‍ରେ ହେଉଥିବାବେଳେ କେଉଁ କର୍ମଚାରୀଙ୍କ ନିକଟକୁ ଦୈନିକ କେତୋଟି ଫାଇଲ ଯାଉଛି ଓ ସେମାନେ କେତୋଟି ଫାଇଲ୍‍ କାମ ସାରୁଛନ୍ତି ତାହାର ମଧ୍ୟ ନିୟମିତ ସମୀକ୍ଷା ହେଉନାହିଁ । ଫଳରେ କିଛି କର୍ମଚାରୀ ମନଦେଇ କାମ କରୁଥିବାବେଳେ ଆଉ କିଛି କର୍ମଚାରୀ ଅମନିଆ ହୋଇ ଏଣେ ତେଣେ ବୁଲୁଥିବା ଲକ୍ଷ୍ୟ କରାଯାଉଛି । ଏମାନେ ଏଭଳି ଅମାନିଆ ହୋଇଛନ୍ତି ଯେ ନିଜର ଉପରିସ୍ଥ ଅଧିକାରୀ ଦପ୍ତରରେ ବସି କାମ କରୁଥିଲେ ବି ବାହାରକୁ ଯିବାପାଇଁ ସାମାନ୍ୟ ଭୟ କରୁନାହାନ୍ତି ।

ରାଜ୍ୟ ସଚିବାଳୟ, ବିଭାଗୀୟ ମୁଖ୍ୟ ଦପ୍ତର ସମେତ ରାଜଧାନୀରେ ଥିବା ଆଉ କିଛି ସରକାରୀ ବିଭାଗରେ ଦେଖାଦେଇଥିବା ବାବୁମାନଙ୍କର ଏଭଳି ଅମାନିଆ ରୋଗ ଏବେ ଜିଲ୍ଲାସ୍ତରୀୟ ଦପ୍ତରଗୁଡିକରେ ବି ପରିଲକ୍ଷିତ ହେଲାଣି । ଜିଲ୍ଲା ସ୍ତରରେ ପ୍ରାୟ ସମସ୍ତ ଦପ୍ତରରେ ବାୟୋମେଟ୍ରିକ ଯନ୍ତ୍ର ଲାଗିଥିଲେ ବି କର୍ମଚାରୀମାନେ ଏହାକୁ ସାମାନ୍ୟ ଖାତିର କରୁନାହାନ୍ତି । ବରଂ କିଛି କର୍ମଚାରୀ ସଅଳ ଆସି ଏଥିରେ ଟିପ ଦେଇ ପଳାଉଛନ୍ତି ଓ ବିଳମ୍ବରେ ଆସି ଟିପ ଦେଇଦେଉଛନ୍ତି । ଫଳରେ କୌଣସି ସମୟରେ ଯାଞ୍ଚ ହେଲେ ଏଭଳି କର୍ମଚାରୀମାନେ ଆଉ ଧରାପଡିବାର ନାହିଁ । ଏଭଳି ଅମାନିଆ ବାବୁଙ୍କୁ ସାବାଡ ପାଇଁ ଉପରିସ୍ଥ ଅଧିକାରୀମାନେ ଦପ୍ତରରେ ଅଚାନକ ଯାଞ୍ଚ ସହିତ ବାୟୋମେଟ୍ରିକ ଓ ଫାଇଲ୍‍ କାର୍ଯ୍ୟର ସମୀକ୍ଷା କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)