Home General ଟ୍ରାଫିକ ସମସ୍ୟା ବଢାଉଛି ପାର୍କିଂ ଫି ବୃଦ୍ଧିି

ଟ୍ରାଫିକ ସମସ୍ୟା ବଢାଉଛି ପାର୍କିଂ ଫି ବୃଦ୍ଧିି

ଭୁବନେଶ୍ୱର : ରାଜଧାନୀରେ ଅସମ୍ଭାଳ ଟ୍ରାଫିକ ସମସ୍ୟାକୁ ଏବେ କାଳ ହୋଇଛି ପାର୍କିଂ ଫି ବୃଦ୍ଧି । ପାର୍କିଂ ଟେଣ୍ଡର ନେଇଥିବା ସଂସ୍ଥାମାନେ ହଠାତ୍‍ ପାର୍କିଂ ଫି ଦୁଇଗୁଣା କରିବା ଫଳରେ ଲୋକେ ଗଳି କନ୍ଦିରେ ଗାଡି ରଖି ହାଟ ବଜାରକୁ ଯାଉଛନ୍ତି ।

ଏକ ନମ୍ବର ହାଟ ଅଞ୍ଚଳରେ ଏବେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଏଠାରେ ଦୁଇ ଚକିଆ ଯାନ ପାଇଁ ପୂର୍ବରୁ ୫ଟଙ୍କା କରି ଆଦାୟ ହୋଇଥିବାବେଳେ ଏବେ ତାହା ୧୦ ଟଙ୍କାକୁ ବୃଦ୍ଧି ପାଇଛି । ଏ ସଂକ୍ରାନ୍ତରେ ଦାୟିତ୍ୱରେ ଥିବା ସଂସ୍ଥାଙ୍କ ଉତ୍ତର ହେଲା ସବୁ ସାମଗ୍ରୀର ଦରବୃଦ୍ଧିକୁ ଦେଖି ମାସେ ତଳୁ ଆମେ ଦରବୃଦ୍ଧି କରିସାରିଲୁଣି । ଏଭଳି ସଫେଇ ଦେବା ସହିତ ୧୦ଟଙ୍କିଆ ରସିଦ୍‍ ବି ଧରେଇ ଦେଉଛନ୍ତି । ଏଥିଯୋଗୁଁ ଯେଉଁମାନେ ଷ୍ଟାଣ୍ଡରେ ନିଜ ନିଜ ମୋଟରସାଇକେଲ ରଖି ଯାଉଥିଲେ ସେମାନେ ଏବେ ଆଖପାଖର ଗଳିକନ୍ଦିରେ ଭିଡ ଜମାଉଥିବା ଦେଖିବାକୁ ମିଳୁଛି ।

ସେହିଭଳି ଜନପଥରେ ପାର୍କିଂ ଟେଣ୍ଡର ନେଇଥିବା ସଂସ୍ଥମାନେ ମଧ୍ୟ ମନଇଚ୍ଛା ପାର୍କିଂ ଫି ଆଦାୟ କରୁଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ପାର୍କିଂ ପାଇଁ ଦୁଇ ଚକିଆ ଓ ଚାରିଚକିଆ ପାଇଁ ସ୍ଥାନ ବାଣ୍ଟି ଦେଇଥିବାରୁ ତାହା ବଡ ସମସ୍ୟା ସୃଷ୍ଟି କରୁଛି । କେତେକ ସୋ ରୁମ୍‍ ସାମ୍ନାରେ କେବଳ ଦୁଇ ଚକିଆ ଯାନ ରଖିବାକୁ ଅନୁମତି ମିଳୁଥିବାବେଳେ ଚାରିଚକିଆ ମାଲିକମାନେ ପାର୍କିଂପାଇଁ ସ୍ଥାନଟିକେ ପାଉନାହାନ୍ତି । ଯେଉଁଠାରେ ଚାରିଚକିଆ ପାର୍କିଂ ପାଇଁ ଚିହ୍ନଟ ହୋଇଛି ସେହି ସ୍ଥାନରେ ଦୁଇ ଚକିଆ ଆରୋହୀମାନେ ସେମାନଙ୍କର ଯାନ ରଖି ପଳାଉଛନ୍ତି ।

ତେବେ ରାମମନ୍ଦିର ଛକରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ପାର୍କିଂ ପାଇଁ ଉଦ୍ଦିଷ୍ଟ ଥିବା ସ୍ଥାନ ଏବେ ସ୍ଥାନୀୟ ବ୍ୟବସାୟିମାନଙ୍କ ଦ୍ୱାରା କବଳିତ ହେଉଛି । ଦୋକାନ ଓ ଦପ୍ତର ଖୋଲିବା ସହିତ ସେମାନେ ପାର୍କିଂ ସ୍ଥାନକୁ ଅକ୍ତିଆର କରିନେଉଛନ୍ତି । ଫଳରେ ସେହିସବୁ ସ୍ଥାନକୁ ନିଜ ନିଜର ସାମଗ୍ରୀ ଖରିଦ ପାଇଁ ଯାଉଥିବା ଲୋକେ ଗାଡି ରଖିବାପାଇଁ ସ୍ଥାନଟିକେ ନପାଇ ହନ୍ତସନ୍ତ ହେଉଛନ୍ତି ।

ମାର୍କେଟ ବିଲ୍ଡିଂ ଅଞ୍ଚଳରେ ଟ୍ରାଫିକ ଭିଡ ହ୍ରାସ ପାଇଁ ବିଏମ୍‍ସି ବହୁତଳ ପାର୍କିଂ ସୌଧ ନିର୍ମାଣ କରିଛି । ହେଲେ ଏଠାରେ ଘଣ୍ଟାପ୍ରତି ପାର୍କିଂ ଫି ଆଦାୟ ହେଉଥିବାରୁ ଅନେକ ଏଠାରେ ଯାନ ବାହାନ ରଖିବାକୁ ମଙ୍ଗୁ ନାହାନ୍ତି । ଏହା ବଦଳରେ ମାର୍କେଟ ବିଲ୍ଡିଂ ଆଖପାଖରେ ଥିବା ସରକାରୀ କ୍ୱାଟର୍ସ ସାମ୍ନାରେ ନିଜ ନିଜ ଗାଡି ରଖି କିଣାକିଣି କରିବାକୁ ଯାଉଛନ୍ତି ।

ବାଣୀବିହାର ଠାରୁ ଶିଶୁ ଭବନ ଯର୍ପ୍ୟନ୍ତ ରାସ୍ତାର ଗୋଟିଏ ପଟ ଖାଲି ପଡୁଥିଲେ ମଧ୍ୟ ସେଠାରେ ଯାନବାହାନ ରଖି ଆରପଟରେ ଥିବା ଦୋକାନଗୁଡିକୁ ଯିବା ସମ୍ଭବ ହେଉନାହିଁ । ବିଏମ୍‍ସି ରାସ୍ତା ମଝିରେ ସୌନ୍ଦର୍ଯ୍ୟକରଣ ପାଇଁ ବାଉଁଶ ବାଡ ବୁଲାଇଥିବାବେଳେ ଯେଉଁଠାରେ ବି ବାଟ ରହିଛି ସେଠାରେ ଗାଡିମୋଟରକୁ ଅତିକ୍ରମ କରି ଯିବା ସହଜ ହେଉନାହିଁ । ଫଳରେ ଗୋଟିଏ ପାଶ୍ୱର୍ ରାସ୍ତାରେ କାଁ ଭାଁ ଗାଡିମୋଟର ରହୁଥିବାବେଳେ ଆଉ ଗୋଟିଏ ପଟରେ ଲୋକେ ଗାଡିମୋଟର ରଖିବାପାଇଁ କଲବଲ ହେଉଛନ୍ତି ।

ତେଣୁ ରାଜଧାନୀରେ ହଠାତ୍‍ ପାର୍କିଂ ଫି ବୃଦ୍ଧି କରିବା ଏବଂ ବଢି ଚାଲିଥିବା ଯାନ ବାହାନ ରଖିବାପାଇଁ ସ୍ଥାନ ଚିହ୍ନଟ ହେଉନଥିବାରୁ ଆଗକୁ ସାବିତ୍ରୀ ବଜାରରେ ଅସମ୍ଭବ ଟ୍ରାଫିକ ଭିଡ ସୃଷ୍ଟି ହେବାର ଆଶଙ୍କା କରାଗଲାଣି । ଉଭୟ ବିଏମ୍‍ସି ଓ କମିଶନରେଟ ପୁଲିସ୍‍ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । (ତଥ୍ୟ)