ଭୁବନେଶ୍ୱର : ଦୁଇ ଚକିଆ ଯାନ ଆରୋହୀଙ୍କ ଉପରେ ୧୦୦୦ ଟଙ୍କାର ଜୋରିମାନା ଲଗାଉଥିବା ପୁଲିସ୍ ଏବେ ଜଣଙ୍କ ସ୍ଥାନରେ ଯାନରେ ଦୁଇଜଣ ଯାଉଥିବା ଓ ଉଭୟେ ହେଲମେଟ୍ ପିନ୍ଧିନଥିବା ଦର୍ଶାଉଛି । ତେବେ ଫଟୋରେ ମାତ୍ର ଜଣେ ଚାଳକ ଥିବା ସ୍ପଷ୍ଟଭାବେ ଦେଖାଯାଉଥିଲେ ବି ଯେହେତୁ କମିଶନରେଟ ପୁଲିସ୍ ନୋଟିସ୍ ପଠାଇଛି ତେଣୁ ଲୋକେ ବାଧ୍ୟହୋଇ ଜୋରିମାନା ପଇଠ କରୁଛନ୍ତି ।
ଏଭଳି ଏକ ଜୋରିମାନାର ଶିକାର ହୋଇଛନ୍ତି ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ସୁବ୍ରତ ଚୌଧୁରୀ । ତାଙ୍କ ମୋବାଇଲ୍କୁ ମେସେଜ ଆସିଲା ଯେ ମୋଟର ଯାନ ଆଇନ୍ ୧୯୮୮ ର ଧାରା ୧୯୪ଘ ର ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ଉପରେ ୧୦୦୦ ଟଙ୍କାର ଜୋରିମାନା ଲଗାଯାଇଛି । ଏଥିରେ ଦର୍ଶାଯାଇଥିଲା ଯେ ଦୁଇ ଚକିଆ ଯାନର ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଉଭୟ ହେଲମେଟ୍ ପିନ୍ଧି ନଥିବାରୁ ଏହି ଜୋରିମାନା ଲଗାଯାଇଛି ।
ତେବେ ଜୋରିମାନା ମେସେଜ ସହିତ ଆସିଥିବା ଫଟୋଟିରେ ସ୍ପଷ୍ଟଭାବେ ଦେଖାଯାଉଥିଲା ଯେ ଶ୍ରୀ ଚୌଧୁରୀ ଏକୁଟିଆ ଗାଡି ଚଳାଇ ଯାଉଥିଲେ । ଇନ୍ଦ୍ରଧନୁ ମାର୍କେଟ ନିକଟରେ ତାଙ୍କ ଘରଠାରୁ ଅନତି ଦୂରରେ ଲାଗିଥିବା ସିସିଟିଭିରୁ ଏହି ଫଟୋଟି ଉଠା ଯାଇଥିଲା । ଜୋରିମାନା ପଇଠ ନକଲେ ମାମଲା ରୁଜୁ ହେବାର ସମ୍ଭାବନା ଥିବାରୁ ଶ୍ରୀ ଚୌଧୁରୀ ଜୋରିମାନା ପଇଠ କରିଛନ୍ତି ।
ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଫଟୋରେ ଜଣେ ବ୍ୟକ୍ତି ଗାଡି ଚଳାଇ ଯାଉଥିବା ସ୍ପଷ୍ଟଭାବେ ଦିଶୁଥିବାବେଳେ ପୁଲିସ୍ କିନ୍ତୁ ଗାଡିରେ ଦୁଇଜଣ ବସିଥିବା ଓ ଉଭୟ ହେଲମେଟ୍ ପିନ୍ଧିନଥିବା ଦର୍ଶାଇ ୧୦୦୦ ଟଙ୍କାର ଜୋରିମାନା ଲଗାଇ ଦେଇଛି । କେବଳ ଶ୍ରୀ ଚୌଧୁରୀ ନୁହେଁ, ଅନେକ ଲୋକଙ୍କ ସହିତ ଏଭଳି ଘଟୁଥିଲେ ମଧ୍ୟ ସେମାନେ ଅଭିଯୋଗ କରିବା ବଦଳରେ ଚୁପ୍ଚାପ୍ ଜୋରିମାନା ପଇଠ କରିଦେଉଛନ୍ତି ।
ଉଲ୍ଲେଖନୀୟ ଯେ ଟ୍ରାଫିକ ଆଇନ୍ ଉଲ୍ଲଙ୍ଘନକାରୀଙ୍କୁ ସାବାଡ କରିବାପାଇଁ କମିଶନରେଟ ପୁଲିସ୍ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା କ୍ୟାମେରାରୁ ସେମାନଙ୍କ ଫଟୋ ଉଠାଇବା ସହିତ ପିସିଆର ଗାଡିରେ ଲାଗିଥିବା କ୍ୟାମେରାରୁ ମଧ୍ୟ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି । ତେବେ ସହରର ଏଭଳି କିଛି ସ୍ଥାନ ରହିଛି ଯେଉଁଠାରେ କ୍ୟାମେରା ପହଞ୍ଚି ପାରୁନାହିଁ ।
ତେବେ ସାଧାରଣ ଲୋକଙ୍କ ମତରେ ରାଜଧାନୀରେ ପୁଲିସ୍ ଯେଭଳି କଥା କଥାରେ ଜୋରିମାନା ଆଦାୟ କରୁଛି ଅନୁରୂପ ଭାବେ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା କଥା । ବିଶେଷକରି ଜନପଥ, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଆଦି ଅଞ୍ଚଳରେ ଲୋକେ କେଉଁଠି ଗାଡିମୋଟର ରଖିବେ ତାହାର ବ୍ୟବସ୍ଥା ସହିତ ସହରର କେଉଁ ଅଞ୍ଚଳରେ କେତେ ବେଗରେ ଗାଡି ଚଳାଇବାର ନିୟମ ରହିଛି ତାହା ମଧ୍ୟ ଲୋକଙ୍କୁ ଜଣାଇବା ନିହାତି ଜରୁରୀ । (ତଥ୍ୟ)