Home Education ଜୁନ ୧୮ରେ ଖୋଲିବ ସବୁ ସ୍କୁଲ

ଜୁନ ୧୮ରେ ଖୋଲିବ ସବୁ ସ୍କୁଲ

ଭୁବନେଶ୍ୱର : ଶେଷ ହେବାକୁ ଯାଉଛି ଖରା ଛୁଟି। ମୌସୁମୀର ଆଗମନ ଓ ପାଗରେ ପରିବର୍ତ୍ତନ ଯୋଗୁ ସରକାରୀ ସ୍ତରରେ ସ୍କୁଲ ଖୋଲିବା ନେଇ ନିଆଯାଇଛି ବଡ଼ ପଦକ୍ଷେପ। ଆସନ୍ତା ଜୁନ ୧୮ ଅର୍ଥାତ ଗୁରୁବାର ଠାରୁ ଓଡ଼ିଶାର ସମସ୍ତ ସରକାରୀ ସ୍କୁଲ ଖୋଲିବ ବୋଲି ସୋମବାର ଘୋଷଣା କରିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ମନ୍ତ୍ରୀଙ୍କ କହିବା କଥା ଯେ ମୌସୁମୀ ଏବେ ଓଡ଼ିଶାକୁ ଛୁଇଁ ସାରିଛି। ସେହିପରି ତାପମାତ୍ରା ମଧ୍ୟ ହ୍ରାସ ପାଉଛି। ତେଣୁ ଏବେ ସ୍କୁଲ ଖୋଲିବାକୁ ଉପଯୁକ୍ତ ସମୟ। ଜୁନ ୧୮ରୁ ସ୍କୁଲ ଖୋଲିବାକୁ ଯୋଜନା କରାଯାଇଥିବା ବେଳେ ସରକାର ପାଣିପାଗ ସ୍ଥିତି ଉପରେ ନଜର ରଖିଥିବା ମଧ୍ୟ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।

ଯଦି ଗରମ ଓ ଗୁଳୁଗୁଳି ଯୋଗୁ ପାଣିପାଗରେ ପରିବର୍ତ୍ତନ ଆସିବ, ତା’ହେଲେ ସେହି ଅନୁସାରେ ଆଲୋଚନା ଦ୍ୱାରା ଉପଯୁକ୍ତ ପଦକ୍ଷେପ ନିଆଯିବ। ଶିକ୍ଷାର୍ଥୀଙ୍କ ସୁରକ୍ଷାକୁ ସରକାର ସବୁବେଳେ ପ୍ରାଥମିକତା ଦେଉଛନ୍ତି। ପିଲାମାନଙ୍କ ସୁରକ୍ଷା ଓ ପାଣିପାଗକୁ ଦେଖି ସବୁ ପ୍ରକାରର ନିଷ୍ପତ୍ତି ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସ୍କୁଲ ଜୁନ ୧୮ରେ ଖୋଲିବାକୁ ଥିବା ବେଳେ ଏହାପୂର୍ବରୁ ପିଲାମାନଙ୍କୁ ପାଠ୍ୟପୁସ୍ତକ ବତରଣକୁ ମଧ୍ୟ ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ ଗଣ୍ଡ କହିଛନ୍ତି। ସ୍କୁଲ ଖୋଲିବା ପୂର୍ବରୁ ସରକାର ଶିକ୍ଷାଗତ କାର୍ଯ୍ୟକଳାପକୁ ସୂଚନା ରୂପେ ପରିଚାଳନା କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକୀୟ ଶିକ୍ଷା ସାମଗ୍ରୀ ବିନା ବିଳମ୍ବରେ ଯୋଗାଇ ଦେବା ଉପରେ ଫୋକସ କରୁଥିବା ଜଣାପଡ଼ିଛି।

ଏହାପୂର୍ବରୁ ଖରା ଛୁଟି ଜୁନ ୨୧ରେ ଶେଷ ହେବ ଓ ସ୍କୁଲ ଗୁଡ଼ିକ ଜୁନ ୨୨ରୁ ଖୋଲିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଥିଲା। ସେହିପରି ତାତି ଅଧିକ ରହୁଥିବାରୁ ଖରା ଛୁଟିର ଅବଧି ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ଦେଖାଯାଇଥିଲା। ହେଲେ ପାଗରେ ପରିବର୍ତ୍ତନ ଯୋଗୁ ସରକାର ଜୁନ ୧୮ରେ ସ୍କୁଲଗୁଡ଼ିକ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।