ଭୁବନେଶ୍ୱର : ଅନଭିଜ୍ଞ ଗାଡିଚାଳକମାନେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଉଥିବାବେଳେ ସେମାନଙ୍କୁ ତାଲିମ ଦେବାପାଇଁ ରାଜ୍ୟରେ ସମସ୍ତ ସରକାରୀ ତାଲିମ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ଏହି ସମସ୍ତ ତାଲିମ କେନ୍ଦ୍ରରୁ ପ୍ରତି ମାସରେ ପ୍ରାୟ ହଜାରେ ଡ୍ରାଇଭର ତାଲିମ ପାଇପାରନ୍ତେ ।
ଡ୍ରାଇଭରମାନଙ୍କୁ ତାଲିମ ଦେବାପାଇଁ ଛତିଆ, କେନ୍ଦୁଝର, ବ୍ରହ୍ମପୁର ଓ ଭୁବନେଶ୍ୱର ଠାରେ ତାଲିମ କେନ୍ଦ୍ର ପ୍ରତିଷ୍ଠାର ଯୋଜନା ହୋଇଥିଲା । ହେଲେ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା କେନ୍ଦୁଝର ଓ ବ୍ରହ୍ମପୁର ଡ୍ରାଇଭର ତାଲିମ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ଏହି କାର୍ଯ୍ୟ ଇଡ୍କୋକୁ ଦିଆଯାଇଥିଲେ ମଧ୍ୟ ତାହା ବିଳମ୍ବିତ ହେବାରେ ଲାଗିଛି । ଏପରିକି ବ୍ରହ୍ମପୁରରେ ଜଳଯୋଗାଣରେ ବିଳମ୍ବ ଯୋଗୁଁ ସେଠାକାର ତାଲିମକେନ୍ଦ୍ର ଆରମ୍ଭ ହୋଇପାରୁ ନାହିଁ ।
ବିଶେଷଜ୍ଞମାନଙ୍କ ମତରେ ବଡ ଗାଡି ବିଶେଷକରି ଟ୍ରକ, ବସ୍, ହାଇୱା ଭଳି ଭାରିଯାନ ଚଳାଉଥିବା ଡ୍ରାଇଭରମାନଙ୍କ ମଧ୍ୟରୁ ସଂଖ୍ୟାଧିକ ଠିକଣା ଭାବେ ତାଲିମ ପାଇନାହାନ୍ତି । ଆସନ୍ନ ବିପଦକୁ କିଭଳି ମୁକାବିଲା କରାଯାଇ ପାରିବ ତାହା ସେମାନେ ଜାଣିନଥିବାରୁ ହଠାତ୍ ବିପଦକୁ ଟାଳି ନପାରି ଦୁର୍ଘଟଣା ଘଟାଉଛନ୍ତି । ଏହି ଗାଡିଚାଳକମାନଙ୍କ ମଧ୍ୟରୁ ସଂଖ୍ୟାଧିକ ହେଲପର ଭାବେ କାର୍ଯ୍ୟକରିବା ସହିତ ଅଳ୍ପଦିନ ଗାଡି ଚାଳନା ଅଭ୍ୟାସ ପରେ ଡ୍ରାଇଭର ଆସନରେ ବସିଯାଉଛନ୍ତି । କୌଣସି ପ୍ରକାରେ ଏମାନେ ଭାରିଯାନ ଚଳାଚଳ ଲାଇସେନ୍ସ ବି ହାସଲ କରିନେଉଛନ୍ତି ।
ରାଜ୍ୟରେ ଯେତେ ମୋଟରଯାନ ଦୁର୍ଘଟଣା ଘଟୁଛି ସେଥିରୁ ସଂଖ୍ୟାଧିକ ଭାରିଯାନ ଚାଳକମାନେ ଘଟାଉଛନ୍ତି । ଏଥିରେ ବହୁ ଲୋକେ ମୃତାହତ ହେବା ସହିତ ପଙ୍ଗୁ ହୋଇଯାଉଛନ୍ତି । ଯଦି ଭାରିଯାନ ଚାଳକଙ୍କୁ ଠିକଣା ଭାବେ ତାଲିମ ପ୍ରଦାନ କରାଯିବ ତେବେ ଦୁର୍ଘଟଣା ଏବଂ ତଦ୍ଜନିତ ମୃତ୍ୟୁକୁ ବହୁ ପରିମାଣରେ ରୋକାଯାଇ ପାରିବ । ହେଲେ ଏମାନଙ୍କୁ ତାଲିମ ପାଇଁ ପ୍ରତିଷ୍ଠା ହୋଇଥିବା ସମସ୍ତ କେନ୍ଦ୍ର କାର୍ଯ୍ୟକାରୀ ହୋଇପାରୁ ନାହିଁ ।
ଉଲ୍ଲେଖନୀୟ ଗୋଟିଏ ଦିନରେ ଖୋଦ ରାଜଧାନୀ ସମେତ ଜଗତ୍ସିଂହପୁର ଜିଲ୍ଲାରେ ଟ୍ରକ ଓ ହାଇୱା ଚାଳକଙ୍କ ଅସାବଧନତା ଯୋଗୁଁ ତିନି ତିନିଟି ଜୀବନ ଚାଲିଯାଇଛି । ଡ୍ରାଇଭରଙ୍କ ଅନଭିଜ୍ଞତା ଓ ଠିକଣା ତାଲିମ ଅଭାବକୁ ଏଥିପାଇଁ ପ୍ରାୟତଃ ସମସ୍ତେ ଦାୟୀ କରୁଛନ୍ତି ।
ଅନ୍ୟ ପକ୍ଷରେ ଟ୍ରକ ଭଳି ଭାରିଯାନରେ ଏବେ ଆଉ ହେଲପର ରହୁନଥିବାରୁ ଏଥିପାଇଁ ଅନେକ ସ୍ଥଳରେ ଦୁର୍ଘଟଣା ଘଟୁଥିବା କୁହାଯାଉଛି । ପୂର୍ବରୁ ଏଭଳି ଭାରିଯାନରେ ହେଲପର ରହୁଥିବାରୁ ସେମାନେ ଗୋଟିଏ ପାଶ୍ୱର୍କୁ ସହଜରେ ଦେଖି ଡ୍ରାଇଭରକୁ ସୂଚନା ଦେଉଥିଲେ ଓ ଦୁର୍ଘଟଣାକୁ ରୋକାଯାଇ ପାରୁଥିଲା । ବର୍ତ୍ତମାନ ଭାରିଯାନ ମାଲିକମାନେ ହେଲପର ନିଯୁକ୍ତ କରୁନଥିବା ଓ ଅନଭିଜ୍ଞ ଚାଳକଙ୍କ ହାତରେ ଗାଡି ଦେଇଦେଉଥିବାରୁ ରାଜ୍ୟରେ ଦୁର୍ଘଟଣା ହାର ବଢିବାର ଏହା ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଛି । (ତଥ୍ୟ)