ଭୁବନେଶ୍ୱର : ଅପରାଧିକ ମାମଲାରେ ବିଜ୍ଞାନଭିତ୍ତିକ ତଦନ୍ତ ପାଇଁ ଓଡିଶାରେ ଥିବା ୩୬ଟି ଜିଲ୍ଲା ବିଧି ବିଜ୍ଞାନଗାର ମଧ୍ୟ ୧୨ଟି ଅଚଳ ଅବସ୍ଥାରେ ଥିବାବେଳେ ୨୪ଟି କାର୍ଯ୍ୟକ୍ଷମ ଅଛି । ତେବେ ଏହି ସଂସ୍ଥାଗୁଡିକରେ ବହୁ ପଦ ପଦବୀ ଖାଲି ପଡିଥିବାରୁ ଠିକା ଅଧିକାରୀ ଭରସା ବୋଲି କର୍ତ୍ତୃପକ୍ଷ ସ୍ୱୀକାର କରୁଛନ୍ତି ।
ଦେଶର ପୁରାତନ ଅପରାଧି ବିଧି ବିଜ୍ଞାନଗାର ମଧ୍ୟରୁ ଓଡିଶାରେ ଥିବା ଏହି ସଂସ୍ଥା ବେଶ୍ ପୁରାତନ । ଭୁବନେଶ୍ୱରରେ ରାଜ୍ୟ ବିଧି ବିଜ୍ଞାନାଗାର ଥିବାବେଳେ ବ୍ରହ୍ମପୁର, ସମ୍ବଲପୁର ଓ ବାଲେଶ୍ୱରରେ ଏହାର ତିନିଟି ଆଞ୍ଚଳିକ ଶାଖା ରହିଛି । ଏହାଛଡା ଛତିଶଟି ଜିଲ୍ଲା ବିଧି ବିଜ୍ଞାନାଗାରର ମଧ୍ୟ ବ୍ୟବସ୍ଥା ଅଛି । ତେବେ ଏହି ଜିଲ୍ଲାସ୍ତରୀୟ ସଂସ୍ଥାଗୁଡିକ ମଧ୍ୟରୁ ବିଭିନ୍ନ କାରଣରୁ ୧୨ଟି ଅଚଳ ଅବସ୍ଥାରେ ଥିବା ଯୋଗୁଁ ଅନ୍ୟ ଜିଲ୍ଲା ଏବଂ ରାଜ୍ୟ ତଥା ଆଞ୍ଚଳିକ ବିଧି ବିଜ୍ଞାନଗାରଗୁଡିକ ଉପରେ ଭରସା କରାଯାଉଛି ।
ରାଜ୍ୟ ବିଧି ବିଜ୍ଞାନଗାରରେ ପଦାର୍ଥବିଜ୍ଞାନ, ରସାୟନବିଜ୍ଞାନ, ଜୀବ ବିଜ୍ଞାନ, ଲସି ବିଜ୍ଞାନ, ପ୍ରକ୍ଷେପ ବିଜ୍ଞାନ, ବିଷ ବିଜ୍ଞାନ, ଡିଏନଏ, ମିଥ୍ୟା ଅନୁସନ୍ଧାନ ଓ ସାଇବର ବିଧି ବିଜ୍ଞାନ ବିଭାଗଗୁଡିକ କାର୍ଯ୍ୟ କରୁଛି । ତେବେ ଆଞ୍ଚଳିକ ବିଧି ବିଜ୍ଞାନଗାରଗୁଡିକରେ ୬ଟି ପର୍ଯ୍ୟନ୍ତ ବିଭାଗ ରହୁଛି । ଏଗୁଡିକରେ ଡିଏନ୍ଏ, ମିଥ୍ୟା ଅନୁସନ୍ଧାନ ଓ ସାଇବର ବିଧି ବିଜ୍ଞାନ ବିଭାଗ ନଥିବା ଜଣାପଡିଛି ।
ବିଭିନ୍ନ ଜଟିଳ ଅପରାଧିକ ଘଟଣାରେ ଏହି ବିଜ୍ଞାନାଗାରର ବୈଜ୍ଞାନିକମାନେ କ୍ଷେତ୍ର ପରିଦର୍ଶନ କରି ତଦନ୍ତକାରୀ ସଂସ୍ଥା ଓ ନ୍ୟାୟାଳୟକୁ ସେମାନଙ୍କ ରିପୋର୍ଟ ପ୍ରଦାନ କରିଥାନ୍ତି । ଏହା ଅପରାଧିକ ମାମଲାର ତଦନ୍ତ ଓ ବିଚାର ପ୍ରକ୍ରିୟାରେ ବେଶ୍ ସହାୟକ ହୋଇଥାଏ । ସରକାରୀ ତଥ୍ୟ ମୁତାବକ ୨୦୨୨ ବର୍ଷରେ ରାଜ୍ୟ ଅପରାଧି ବିଧି ବିଜ୍ଞାନଗାରରେ ୭୬୨୬ଟି ଅପରାଧିକ ମାମଲାରେ ପରୀକ୍ଷା ନିରୀକ୍ଷା କରାଯାଇ ରିପୋର୍ଟ ଦିଆଯାଇଛି । ଗତବର୍ଷ ୫୨ଜଣ ବିଜ୍ଞାନଗାର ସହାୟକ, ଜଣେ ଭିସେରା କଟରଙ୍କ ସମେତ ୨୯ଜଣ ସହକାରୀ ବୈଜ୍ଞାନିକ ଅଧିକାରୀ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିଲେ । ଏମାନଙ୍କ ଛଡା ୨୨ଜଣ ବୈଜ୍ଞାନିକ ଅଧିକାରୀ ଓ ୩୫ଜଣ ସହକାରୀ ବୈଜ୍ଞାନିକ ଅଧିକାରୀ ମଧ୍ୟ ନିଯୁକ୍ତି ପାଇ କାର୍ଯ୍ୟରତ ଥିବା ଜଣାପଡିଛି ।
ପୁଲିସ୍ ଅଧିକାରୀ, ବିଚାରପତି ଓ ସରକାରୀ ଓକିଲମାନଙ୍କ ପାଇଁ ରାଜ୍ୟ ଅପରାଧି ବିଧି ବିଜ୍ଞାନଗାର ଅନେକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହାଛଡା ଏଠାରେ କାର୍ଯ୍ୟରତ ବୈଜ୍ଞାନିକମାନେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀ ସମେତ ବିଭିନ୍ନ ସଂସ୍ଥାରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ମଧ୍ୟ ସହଯୋଗ କରୁଛନ୍ତି । ନୂଆଦିଲ୍ଲୀ ଓ ଚଣ୍ଡିଗଡରେ ଏଠାକାର ବହୁ ଅଧିକାରୀ ମଧ୍ୟ ତାଲିମ ନେଇ ସେମାନଙ୍କ ଦକ୍ଷତା ବଢାଇଛନ୍ତି । ଝାଡଖଣ୍ଡ ସମେତ ବିଭିନ୍ନ ଅଧିକାରୀମାନେ ବି ଓଡିଶା ରାଜ୍ୟ ଅପରାଧି ବିଧି ବିଜ୍ଞାନଗାରକୁ ଆସି ତାଲିମ ନେଉଛନ୍ତି ।
ଓଡିଶାରେ ଯେଉଁଭଳି ଭାବେ ବର୍ଷକୁ ବର୍ଷ ଅପରାଧ ବଢୁଛି ଏବଂ ବିଚାର ପ୍ରତୀକ୍ଷାରେ ଥିବା ଅପରାଧିକ ମାମଲାଗୁଡିକରୁ ୯୦ ପ୍ରତିଶତରୁ ଅଧିକ ବିଚାର ନହୋଇ ପରବର୍ଷକୁ ଗଡୁଛି ତାହା ଦଣ୍ଡବିଧାନ ହାର କମ୍ ରହିବାର ଅନ୍ୟତମ କାରଣ ବୋଲି କୁହାଯାଉଛି । ଅପରାଧିକ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଅଚଳ ଥିବା ଜିଲ୍ଲାସ୍ତରୀୟ ବିଧି ବିଜ୍ଞାନଗାରଗୁଡିକୁ ସଚଳ କରାଇବା ସଂଗେ ସଂଗେ ଜନସାଧାରଣଙ୍କ ଧନଜୀବନର ନିରାପତ୍ତାକୁ ଆଖିଆଗରେ ରଖି ରାଜ୍ୟରେ ଥିବା ସମସ୍ତ ଅପରାଧିକ ବିଧି ବିଜ୍ଞାନଗାରଗୁଡିକର ଆଧୁନିକୀକରଣ କରାଯିବା ସହ ଏଠାରେ ନିୟମିତ ଭିତ୍ତିରେ ଦକ୍ଷ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)