ଭୁବନେଶ୍ୱର : ଦେଶରେ ମୁଦ୍ରାସ୍ଫିତୀ ୭.୧ ଥିଲା ବେଳେ ୪୭ତମ ଜିଏସ୍ଟି କାଉନ୍ସିଲ୍ ବୈଠକରେ କେନ୍ଦ୍ର ସରକାର ଦୁଗ୍ଧଜାତ ଦ୍ରବ୍ୟ ଯଥା- ଦହି, ପନିର, ଘୋଳଦହି, ଖୁଆ, ଘିଅ ଓ ଦୁଗ୍ଧ ମେସିନାରୀ ଉପରେ ଜିଏସ୍ଟି ଲାଗୁ କରିବା ପ୍ରତିବାଦରେ ଶହଶହ ଦୁଗ୍ଧଚାଷୀ ଆଜି କ୍ଷୀର କେନ୍ ଧରି ମାଷ୍ଟର କ୍ୟାଣ୍ଟିନ୍ ଛକରୁ ପି.ଏମ୍.ଜି. ଛକରେ ଦୁଗ୍ଧଚାଷୀମାନେ ରାସ୍ତା ଉପରେ କ୍ଷୀର ଢାଳି ଏହାର ପ୍ରତିବାଦ କରିଥିଲେ ।
ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ଶୋଭାଯାତ୍ରାରେ ପୁରୀ, କଟକ, ଖୋର୍ଦ୍ଧା, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଶତାଧିକ ଚାଷୀ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମହାସଂଘ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, କରୋନା ଯୋଗୁଁ ଦେଶର ୯ କୋଟି ଦୁଗ୍ଧଚାଷୀଙ୍କର ଜୀବନ ଜୀବିକା ବିପନ୍ନ ହୋଇଥିଲା ବେଳେ ୫% ଜି.ଏସ୍.ଟି ଲାଗୁ ହେବା ଫଳରେ ଦରଦାମ୍ ଆହୁରି ବୃଦ୍ଧି ପାଇବା ଓ ସେମାନଙ୍କର ଜୀବନ ଜୀବିକା ଚରମ ଦୁର୍ଦ୍ଦଶାରେ ସମ୍ମୁଖୀନ ହେବ ।
ଖାଲି ଦୁଗ୍ଧଜାତ ଦ୍ରବ୍ୟ ନୁହେଁ, ଚାଉଳ, ଅଟା, ଡାଲି, ସମେତ ମୁଢି, ଚୁଡା, ଖଇ ଓ ଗୁଡ ଉପରେ ୫% ଜିଏସ୍ଟି ଲାଗି ହେବା ଯୋଗୁଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଆହୁରି ବଢିଯିବ । ଫଳରେ ସାଧାରଣ ଲୋକ ବେଳାଏ ଖାଇ ବେଳାଏ ଉପାସ ରହୁଥିଲା ବେଳେ ସେମାନଙ୍କର ଜୀବନ ଜୀବିକା ଧ୍ୱଂସ ପାଇବ । ଜିଏସ୍ଟି ଯୋଗୁଁ କେବଳ ଦୁଗ୍ଧଚାଷୀ ନୁହଁନ୍ତି, ସାଧାରଣ ଖାଉଟି ଓ ଛୋଟ ଛୋଟ ବେପାରୀଙ୍କ ଅର୍ଥନୈତିକ ମେରୁଦଣ୍ଡ ଭୁଷୁଡି ପଡ଼ିବ ।
ଏହି ଗବରସିଂହ ଟିକସ ଲାଗୁ ହେବା ଫଳରେ ଏହା ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହେବ । କେନ୍ଦ୍ର ସରକାର ପେଟ୍ରୋଲ୍, ଡିଜେଲ୍କୁ ଜିଏସ୍ଟି ପରିସରଭୁକ୍ତ କରିବା ପରିବର୍ତ୍ତେ ଡାଲି, ଚାଉଳ, ଅଟା ଓ ଦୁଗ୍ଧଜାତ ଦ୍ରବ୍ୟ ଉପରେ ପାଞ୍ଚ ପ୍ରତିଶତ ଜିଏସ୍ଟି ଲାଗୁ କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ସମ୍ପାଦକ ନାରାୟଣ ଡାଳୁଆ, ନାରୀ ନେତ୍ରୀ ସ୍ୱୟଂପ୍ରଭା ସାହୁ, ଦୁଗ୍ଧଚାଷୀ ମାନସ ମହାନ୍ତି, ଗୌରାଙ୍ଗ ରାଉତ, ବିଜୟ ବେହେରା, ଯାଦବ ମହାସଭାର ସର୍ବଭାରତୀୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଦାସ, ସମାଜବାଦୀ ପାର୍ଟି ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଭିଟାମାଟି ସୁରକ୍ଷା ଆନ୍ଦୋଳନର ଅରୁଣ ଜେନା, ଯୁବନେତା ସୌମ୍ୟରଂଜନ ଦାସ ଓ ନାରୀ ନେତ୍ରୀ ସ୍ନିଗ୍ଧା ଦାସ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କର ଏହି ଜିଏସ୍ଟି ପ୍ରତ୍ୟାହାର ନ ହେଲେ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।
ଶେଷରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦ୍ଦେଶ୍ୟରେ ମାନ୍ୟବର ରାଜ୍ୟପାଳ ଓ ମାନ୍ୟବର କୃଷିମନ୍ତ୍ରୀଙ୍କ ଜରିଆରେ ଏକ ସ୍ମାରକପତ୍ର ମହାସଂଘ ପକ୍ଷରୁ ପ୍ରଦାନ କରାଯାଇ ତୁରନ୍ତ ଏହି ୫% ଜିଏସ୍ଟି ପ୍ରତ୍ୟାହାର କରିବାକୁ ଦାବି କରାଗଲା । ଆବଶ୍ୟକ ଫଡ଼ିଲେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକତର କରାଯାଇ ସଂସଦ ଭବନ ସମ୍ମୁଖରେ ଦୁଗ୍ଧଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଅଛି ।