ଭୁବନେଶ୍ୱର : ଜିଏସ୍ଟି କ୍ଷତିପୂରଣ ବାବଦରେ ଓଡିଶା ସରକାର ବର୍ତ୍ତମାନ ସୁଦ୍ଧା କେନ୍ଦ୍ରରୁ ୨୭୨୮ କୋଟି ଟଙ୍କା ପାଇ ନାହାନ୍ତି । ଜିଏସ୍ଟି କ୍ଷତିପୂରଣ ପାଇବା ନେଇ ହୋଇଥିବା ସର୍ବଶେଷ ଆକଳନରୁ ଏହା ଜଣାଯାଇଛି ।
ଏହି ସୂଚନା ଅନୁଯାୟୀ ରାଜ୍ୟ ସରକାର ଜିଏସ୍ଟି କ୍ଷତିପୂରଣ ବାବଦରେ କେନ୍ଦ୍ରରୁ ୨୦୨୧-୨୨ ରେ ୧୧୬୭.୫୦ କୋଟି ଟଙ୍କା ଏବଂ ୨୦୨୨-୨୩ ବର୍ଷରେ ୧୫୬୦.୫୦ କୋଟି ଟଙ୍କା ପାଇବାର ରହିଛି । ଜିଏସ୍ଟି କ୍ଷତିପୂରଣ ପାଇବା ଅବଧି ୨୦୨୨ ଜୁନ୍ ୩୦ ତାରିଖରେ ପୂର୍ଣ୍ଣ ହୋଇଥିବାବେଳେ ଉପରେକ୍ତ କ୍ଷତିପୂରଣ ଅର୍ଥ କେନ୍ଦ୍ର ନିକଟରେ ପଡି ରହିଛି ।
ଇତି ମଧ୍ୟରେ ଓଡିଶା ସରକାର ବାକିଆ ଥିବା ଜିଏସ୍ଟି କ୍ଷତିପୂରଣ ଅର୍ଥ ପ୍ରଦାନ ଲାଗି କହିବା ସହିତ ଏହି କ୍ଷତିପୂରଣ ଆଉ ୫ବର୍ଷ ଦେବାକୁ ଅନୁରୋଧ କରିଛନ୍ତି । ତେବେ କେନ୍ଦ୍ର ଏହି ସମୟସୀମା ବୃଦ୍ଧି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ଗ୍ରହଣ କରିନାହାନ୍ତି । ଜିଏସ୍ଟି କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା ୨୦୨୨ ଜୁନ୍ ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା । ତଦନୁଯାୟୀ ଜିଏସ୍ଟି ଲାଗୁ ପରେ ରାଜ୍ୟ ସରକାରମାନେ ରାଜସ୍ୱ ବାବଦରେ ଯେଉଁ କ୍ଷତି ସହୁଥିଲେ ୫ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସେ ବାବଦରେ କ୍ଷତିପୂରଣ ପ୍ରଦାନ କରୁଥିଲେ । ଏହା ଜିଏସ୍ଟି କ୍ଷତିପୂରଣ ପାଣ୍ଠିରୁ ମିଳୁଥିଲା ।
ଜିଏସ୍ଟି ଆଇନ୍ର ଧାରା ୭ ଅନୁଯାୟୀ କ୍ଷତିପୂରଣ ବାବଦରେ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯିବା କଥା । ସେହିଭଳି ଜିଏସ୍ଟି କ୍ଷତିପୂରଣ ଅଧିନିୟମ ୨୦୧୭ ଅନୁଯାୟୀ ୨୦୨୦-୨୧ ବର୍ଷରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ୧.୧୦ଲକ୍ଷ କୋଟି ଟଙ୍କାର ଜିଏସ୍ଟି କ୍ଷତିପୂରଣ ପ୍ରଦାନ କରାଯାଇଥିବାବେଳେ ୨୦୨୧-୨୨ ବର୍ଷରେ ଏ ବାବଦରେ ୧.୫୯ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ।
ଓଡିଶା ସମେତ ଅନ୍ୟ କେତେକ ରାଜ୍ୟ ଜିଏସ୍ଟି କ୍ଷତିପୂରଣ ବାବଦରେ ପ୍ରଦାନ କରାଯାଉଥିବା ଅର୍ଥ ସମୟ ବୃଦ୍ଧି ଲାଗି କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ତେବେ ଜିଏସ୍ଟି ପରିଷଦ ରାଜସ୍ୱ କ୍ଷତି ବାବଦରେ ୫ ବର୍ଷ ଲାଗି ଏହି କ୍ଷତିପୂରଣ ରାଶି ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ତେଣୁ ରାଜ୍ୟ ସରକାର ବର୍ତ୍ତମାନ ନିଜସ୍ୱ ରାଜସ୍ୱ ଆଦାୟ ପରିମାଣକୁ ବୃଦ୍ଧି କରିବାକୁ ପଡିବ ।
ଆକଳନ କରାଯାଇଛି ଯେ ଜିଏସ୍ଟି କ୍ଷତିପୂରଣ ନମିଳିଲେ ଆଗାମୀ ୫ ବର୍ଷରେ ରାଜ୍ୟରେ ପ୍ରାୟ ୬୫ହଜାର କୋଟି ଟଙ୍କାର ରାଜସ୍ୱ ନିଅଣ୍ଟ ପଡିବ । ଏହା ବଜେଟ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । (ତଥ୍ୟ)