Home General ଜିଇଏମ୍‍ ସଚେତନତା ପାଇଁ ସେଲର ସମ୍ବାଦ

ଜିଇଏମ୍‍ ସଚେତନତା ପାଇଁ ସେଲର ସମ୍ବାଦ

ଭୁବନେଶ୍ୱର : ସରକାରୀ ଇ ମାର୍କେଟ ପ୍ଲେସ୍ (ଜିଇଏମ) ପୋର୍ଟାଲ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏକ ମତବିନିମୟ କାର୍ଯ୍ୟକ୍ରମ ‘ସେଲର୍ ସମ୍ବାଦ’ ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଓଡ଼ିଶା ଶାଖା ଏବଂ ଜିଇଏମ ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଜିଇଏମ ଡିଜିଟାଲ ପ୍ଲାଟଫର୍ମ ସମ୍ପର୍କରେ ଅଂଶୀଦାରମାନେ ମତାମତ ସଂଗ୍ରହ କରାଯିବା ସହିତ ସେବାରେ ସୁଧାର ପାଇଁ ପରାମର୍ଶ ଗ୍ରହଣ କରାଯାଇଥିଲା।

ପ୍ରସାର ଭାରତୀର ନେସନାଲ ଏକାଡେମୀ ଅଫ୍ ବ୍ରଡକାଷ୍ଟିଂ ଏଣ୍ଡ ମଲ୍ଟିମିଡିଆ (ଏନଏବିଏମ) ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘‘ଜିଇଏମ: ସରକାରୀ ଇ ମାର୍କେଟପ୍ଲେସ’’। କାର୍ଯ୍ୟକ୍ରମ ଅବସରରେ ବିକ୍ରେତାମାନଙ୍କ ସହିତ ଏକ ମତ ବିନିମୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ବିଶେଷ କରି ଏହି ପୋର୍ଟାଲର ପରିଚାଳନା, ନୂତନ ବୈଶିଷ୍ଟ୍ୟ ଏବଂ ପ୍ରଭାବ ସମ୍ପର୍କରେ ବିକ୍ରେତାମାନଙ୍କୁ ସଚେତନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିକ୍ରେତାମାନେ ଜିଇଏମ ପୋର୍ଟାଲକୁ ନେଇ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ଏହି ବ୍ୟବସ୍ଥା ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଥିଲେ । ଜିଇଏମ ସମ୍ପର୍କରେ ନିଜର ଅନୁଭୂତି ଅନ୍ୟମାନଙ୍କୁ ବାଣ୍ଟିବା ଓ ଅନୁପ୍ରାଣିତ କରିବା ନେଇ ଅଂଶୀଦାରମାନେ ମତପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମ ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ପିଆଇବିର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାକ୍ରମେ ପ୍ରସ୍ତୁତ ଜିଇଏମ ପୋର୍ଟାଲ ଜରିଆରେ ସରକାରୀ କ୍ରୟ ପାଇଁ ଗୋଟିଏ ଏକୀକୃତ ପ୍ଲାଟଫର୍ମ ସୃଷ୍ଟି କରାଯାଇଛି । ଏହାର ଗୁରୁତ୍ବ ଏବଂ ଲାଭ ବିଷୟରେ ସେ ବିସ୍ତୃତ ଭାବେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଜିଇଏମର ବିକ୍ରେତା ପ୍ରବନ୍ଧନ ନିର୍ଦ୍ଦେଶକ ଅନୂପ ଧନବିଜୟ ଯୋଗଦେଇ ଜିଇଏମ ପୋର୍ଟାଲ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଗତ କିଛି ବର୍ଷ ହେବ ଜିଇଏମ ପୋର୍ଟାଲର କାରବାର ଯଥେଷ୍ଟ ବୃଦ୍ଧି ପାଇଛି। ଏବେ ଏହି ପୋର୍ଟାଲ ସହ ଲକ୍ଷାଧିକ କ୍ରେତା ଏବଂ ବିକ୍ରେତା ଯୋଡ଼ି ହୋଇପାରିଛନ୍ତି। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସେବା ବିତରଣରେ ସୁଧାର ଆଣିବା ପାଇଁ ‘ସେଲର ସମ୍ବାଦ’ ଭଳି କାର୍ଯ୍ୟକ୍ରମ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣେ ବିକ୍ରେତା ପ୍ରଜ୍ଞା ପ୍ରିୟଦର୍ଶିନୀ ଚିନରା ଜିଇଏମ ପୋର୍ଟାଲକୁ ନେଇ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ ଯେ, ‘‘ଏକ ସମ୍ମାନଜନକ ଚାକିରି ଛାଡ଼ି ମୁଁ ଜଣେ ଉଦ୍ୟୋଗୀ ଭାବେ କାମ ଆରମ୍ଭ କରିଥିଲି। ମୁଁ ମୋର ଷ୍ଟାର୍ଟଅପ୍ ଆରମ୍ଭ କରିଛି ଏବଂ ସାରା ଦେଶକୁ ଶିକ୍ଷା ସାମଗ୍ରୀ ଯୋଗାଣ କରୁଛି। ମୋର ଏହି ଯାତ୍ରାରେ ଜିଇଏମ ବିଶେଷ ସହାୟକ ହୋଇଛି ବୋଲି ସେ କହିଥିଲେ।’’ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ବିକ୍ରେତାମାନେ ମଧ୍ୟ ନିଜର ମତ ଉପସ୍ଥାପନ କରିଥିଲେ ।

ସେଲର ସମ୍ବାଦ ସମୟରେ ଆଉ ଜଣେ ବିକ୍ରେତା ପ୍ରିୟବ୍ରତ ଜିଇଏମକୁ ନେଇ ନିଜର ଅଭିଜ୍ଞତା ସମ୍ପର୍କରେ କହିଥିଲେ ଯେ, ବ୍ୟବସାୟ କରିବା ଏବଂ ଆଗକୁ ବଢ଼ିବା ଲାଗି ଏହି ବ୍ୟବସାୟ ଏକ ପାରଦର୍ଶୀ ଏବଂ ବାଧାମୁକ୍ତ ପ୍ଲାଟଫର୍ମ ଯୋଗାଇ ଦେଇଛି। ‘‘ମୋ ବ୍ୟବସାୟ ବଢ଼ାଇବାରେ ଏହା ବିଶେଷ ସହାୟକ ହୋଇଛି। ଦିନକୁ ଦିନ ପୋର୍ଟାଲ ଅଧିକ ବିକଶିତ ହେଉଛି। ଦୁର୍ନୀତି ଦୂର କରିବା ସହିତ ଦଲାଲଙ୍କ ହସ୍ତକ୍ଷେପ ଉଚ୍ଛେଦ କରିବା ଲାଗି ଏହା ଏକ ଉନ୍ନତ ପ୍ଲାଟଫର୍ମ ଯୋଗାଇ ଦେଇଛି,’’ ସେ କହିଥିଲେ।

ସୂଚନାଯୋଗ୍ୟ ଯେ, ଜିଇଏମ ପୋର୍ଟାଲ ଆରମ୍ଭ ହେବା ପରଠାରୁ କ୍ରମାଗତ ଭାବେ ଏହାର ବ୍ୟବହାର ବଢ଼ିଚାଲିଛି। ମିଳିଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାର ୧,୧୧,୯୩୧ ଜଣ ବିକ୍ରେତା ଏଥିରେ ପଞ୍ଜିକୃତ ହୋଇଛନ୍ତି ଏବଂ ଏମାନଙ୍କ ମଧ୍ୟରେ ରାଜ୍ୟ ସରକାର, ରାଜ୍ୟ ସରକାରୀ ଉଦ୍ୟୋଗ, କେନ୍ଦ୍ର ସରକାର, କେନ୍ଦ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଦି ରହିଛନ୍ତି । ଓଡ଼ିଶାରେ ମୋଟ ୧୫ ହଜାର ୩୨୩ ଜଣ ଏମଏସଏମଇ ବିକ୍ରେତା ଜିଇଏମ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨,୫୫୭ ଜଣ ମହିଳା ଏମଏସଏମଇ ବିକ୍ରେତା ରହିଛନ୍ତି।

ଜିଇଏମ ପୋର୍ଟାଲକୁ ଲୋକପ୍ରିୟ କରିବା ଏବଂ ବ୍ୟବହାରକାରୀଙ୍କ ଠାରୁ ମତାମତ ଓ ପରାମର୍ଶ ଗ୍ରହଣ କରି ସେବାରେ ସୁଧାର ଆଣିବା ସେଲର ସମ୍ବାଦ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।