Home General ଜାଲ୍‍ ଦସ୍ତଖତରେ ବିଧବାଙ୍କ ଜମି ହଡପ

ଜାଲ୍‍ ଦସ୍ତଖତରେ ବିଧବାଙ୍କ ଜମି ହଡପ

ଭୁବନେଶ୍ୱର : ଜମି ମାଲିକଙ୍କ ଅଜାଣତରେ ଜମି ବିକ୍ରି ହୋଇଯାଉଛି । ସବରେଜିଷ୍ଟ୍ରାର ଅଫିସରେ ବିକ୍ରି କବଲା ବି ସମ୍ପାଦିତ ହେଉଛି । ଏଥିଲାଗି ଜମି ମାଲିକଙ୍କ ପୁରୁଣା ଫଟୋ, ଦସ୍ତଖତ ଓ ଆଙ୍ଗୁଠିଛାପ ଆଦିର କମ୍ପ୍ୟୁଟର ଏଡିଟିଂ କରାଯାଉଥିବା ଘେନି ସରକାରଙ୍କ ନିକଟରେ ଗୁରୁତର ଅଭିଯୋଗ ଆଣିଛନ୍ତି କଟକ ମହାନଗରର ଜଣେ ବିଧବା ମହିଳା ।

ଜିଲ୍ଲା ସବରେଜିଷ୍ଟ୍ରାରଙ୍କ ଠାରୁ ଆରମ୍ଭକରି ଉପ ଜିଲ୍ଲାପାଳ, ଜିଲ୍ଲାପାଳ, ଆଇଜିଆର ଆଦିଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ସମ୍ପୃକ୍ତ ବିଧବା ମହିଳା ଏବେ ତାଙ୍କ ଜମିର ସୁରକ୍ଷା ସହିତ ନ୍ୟାୟ ପାଇଁ ରାଜସ୍ୱ ବିଭାଗ ନିକଟରେ ନିବେଦନ କରିଛନ୍ତି । ସରକାର ମହିଳା ସଶକ୍ତିକରଣ କାର୍ଯ୍ୟ କରିବା ସହିତ ମହିଳାମାନଙ୍କ ଲାଗି ବିଭିନ୍ନ ଯୋଜନା ପ୍ରଣୟ କରୁଥିବାବେଳେ ରାଜସ୍ୱ ମନ୍ତ୍ରୀ ଜଣେ ମହିଳା ଥିବାରୁ ତାଙ୍କୁ ନ୍ୟାୟ ପ୍ରଦାନ କରି ଏହି ଜାଲ୍‍ ଦଲିଲକୁ ବାତିଲ କରିବା ସଂଗେ ସଂଗେ ଏଭଳି କାରବାରରେ ସମ୍ପୃକ୍ତ ର‌୍ୟାକେଟର ଅପରାଧିମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବାକୁ ସେ ନିବେଦନ କରିଛନ୍ତି ।

ଅଭିଯୋଗକାରିଣୀ ସୁକାନ୍ତି ମହାପାତ୍ରଙ୍କ ବୟସ ଏବେ ପ୍ରାୟ ୬୭ବର୍ଷ । ଦୀର୍ଘ ବର୍ଷ ତଳୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଛି । ଯୌଥ ପରିବାରରେ ଥିବା କଟକ ସହରର ଏକ ମୂଲ୍ୟବାନ ସମ୍ପତ୍ତିକୁ ସମ୍ପୂର୍ଣ୍ଣ ଜାଲ୍‍ କାଗଜପତ୍ର ଆଧାରରେ ବିକ୍ରି କରି ଦିଆଯାଇଥିବା ଘେନି ଅଭିଯୋଗ ଆଣି ଏଥିରେ ତାଙ୍କର ଓ ତାଙ୍କ ପୁଅମାନଙ୍କର ଦସ୍ତଖତ ଓ ଅନ୍ୟାନ୍ୟ କାଗଜପତ୍ର ଜାଲ୍‍ କରାଯାଇଥିବା ସେ କହିଛନ୍ତି ।

ଏହି ବିଧବା ମହିଳାଙ୍କର ପ୍ରାୟ ୩୦ବର୍ଷ ତଳର ସଧବା ବେଳର ସିନ୍ଦୁରପିନ୍ଧା ଫଟୋ ସହିତ ତାଙ୍କ ପୁରୁଣା ଦସ୍ତଖତ, ଟିପ ଚିହ୍ନ ଆଦିର ଜାଲିଆତି କରାଯାଇଛି । ଜମି ବିକ୍ରି ସମ୍ପର୍କରେ ସେ କିଛି ଜାଣିନଥିବା ଓ ଏଥିଲାଗି କେବେହେଲେ ସବରେଜିଷ୍ଟ୍ରାର ଅଫିସକୁ ଯାଇନଥିବାବେଳେ କିଭଳି ଏହି ଜମି ବିକ୍ରି ହେଲା ଓ ଏ ବାବଦ ଅର୍ଥ କିଏ ନେଲା ସେଥିଘେନି ସେ ପ୍ରଶ୍ନ ଉଠାଇଛନ୍ତି ।

ଗତ ମାର୍ଚ୍ଚମାସରେ ଏଭଳି ଜାଲ୍‍ ବିକ୍ରି କବଲା ସଂକ୍ରାନ୍ତରେ ସେ ଜାଣିବାକୁ ପାଇବାପରେ କଟକ ଜିଲ୍ଲା ସବରେଜିଷ୍ଟ୍ରାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ନମିଳିବାରୁ ସେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବାଧ୍ୟ ହୋଇଛନ୍ତି । ଏଭଳି ଜାଲିଆତି କାରବାରରେ କଟକ ସବରେଜିଷ୍ଟ୍ରାର ଦପ୍ତରର କିଛି କର୍ମଚାରୀ ଓ ଆଉ କିଛି ଅଂଶୀଦାର ସାମିଲ ଥାଇ ପାରନ୍ତି ବୋଲି ଅଭିଯୋଗକାରିଣୀ ସୁକାନ୍ତି ମହାପାତ୍ର ଦର୍ଶାଇଛନ୍ତି ।

ଅଭିଯୋଗ ସଂକ୍ରାନ୍ତରେ କର୍ତ୍ତୃପକ୍ଷ ତଦନ୍ତ କରୁଥିବା ଘେନି ଜଣେ ବରିଷ୍ଠ ଅଧିକାରୀ ସୂଚାଇଛନ୍ତି । କେବଳ ସୁକାନ୍ତିଙ୍କ କ୍ଷେତ୍ରରେ ନୁହେଁ, ଜାଲିଆତି କରି ଏଭଳି ଅନେକ ଜମିଜମା ବିକ୍ରୟ ହେଉଛି । କେଉଁଠି ଜଣଙ୍କ ଜମି ଆଉ ଜଣେ ବିକି ଦେଉଛି ତ ଆଉ କେଉଁଠି ଗୋଟିଏ ଜମିକୁ ବାରମ୍ବାର ଏକାଧିକ ଲୋକଙ୍କୁ ଭୁଆଁ ବୁଲାଇ ବିକ୍ରି କରାଯାଉଛି । ବିଶେଷକରି ଭୁବନେଶ୍ୱର, କଟକ ସମେତ ଯେଉଁସବୁ ସହରାଞ୍ଚଳରେ ବାସଗୃହ ପାଇଁ ଲୋକେ ଜମି କିଣିବାକୁ ବ୍ୟସ୍ତ ହେଉଛନ୍ତି ସେଠାରେ ଏଭଳି କାରବାର ଚାଲୁଛି । କେବଳ ସେତିକି ନୁହେଁ କେତେକ ଅସାଧୁ ବିଲ୍ଡର ମଧ୍ୟ ଗ୍ରାହକଙ୍କ ଠାରୁ ଜମି ଓ ଜମି ଉପରେ ଘର ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଇ ଫାଙ୍କି ମାରି ବୁଲୁଛନ୍ତି । ଏମିତିକି ଚାଷ ଜମିର କିସମ ପରିବର୍ତ୍ତନ ହୋଇନଥିଲେ ବି ତାହାକୁ ଘର ବାରି ଦେଖାଇ ପ୍ଲଟିଂ କରି ସବରେଜିଷ୍ଟ୍ରାରଙ୍କ ନିକଟରେ ରେଜିଷ୍ଟ୍ରି କରିଦିଆଯାଉଛି ଏବଂ ପରେ ଏହି ଜମିର ପଟ୍ଟା କାଢିବାପାଇ କ୍ରେତା ନାକେଦମ ହେଉଛନ୍ତି । (ତଥ୍ୟ)