Home News in Odia ଜାରି ହେଲା ଝାଞ୍ଜି ସର୍ତକତା

ଜାରି ହେଲା ଝାଞ୍ଜି ସର୍ତକତା

ଭୁବନେଶ୍ୱର : ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ସହିତ ଝାଞ୍ଜି ପ୍ରବାହିତ ହେବ । ଆଗାମୀ ତିନି ଚାରି ଦିନ ବିଭିନ୍ନ ଜିଲ୍ଲା ପାଇଁ ଏଭଳି ପାଣିପାଗ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ୱେଲୋ ସର୍ତକତା ଜାରି କରିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସର୍ତକ ସୂଚନାରେ କୁହାଯାଇଛି ଯେ ଆଗାମୀ ତିନି ଦିନରେ ରାଜ୍ୟର ତାପମାତ୍ରା ୩ରୁ ୪ଡିଗ୍ରୀ ବଢିବା ସହିତ ଆଭ୍ୟନ୍ତରୀଣ ଓଡିଶା ଉତ୍ତାପ ବୃଦ୍ଧି ପାଇବ । ଦିନର ତାପମାତ୍ରା ବହୁ ସ୍ଥାନରେ ୪୦ଡିଗ୍ରୀ ଅତିକ୍ରମ କରିବ ଯାହା ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୫ ଡିଗ୍ରୀ ଅଧିକ ବୋଲି ଦର୍ଶାଯାଇଛି ।

ଆସନ୍ତା ୧୩ତାରିଖରେ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱର ପାଇଁ ସତର୍କ ସୂଚନା ଜାରି ହୋଇଥିବାବେଳେ ୧୪ ତାରିଖ ଲାଗି ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଖରା ସହିତ ଝାଞ୍ଜି ପ୍ରବାହିତ ହୋଇପାରେ ।

ସେହିଭଳି ୧୫ତାରିଖରେ ଦେବଗଡ, ଅନୁଗୁଳ, ବୌଦ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ସହିତ ଝାଞ୍ଜି ପ୍ରବାହିତ ହେବା ନେଇ ପୂର୍ବାନୁମାନ କରାଯାଇଛି ।

ଗତ କାଲି ଅର୍ଥାତ୍‍ ୧୦ତାରିଖରୁ ରାଜ୍ୟରେ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାଜଧାନୀର ତାପମାତ୍ରା ସର୍ବାଧିକ ୩୯ ଡିଗ୍ରୀ ହୋଇଥିବାବେଳେ ଆଜି ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି ।

ତେବେ ରାଜ୍ୟରେ ତାପମାତ୍ରା ବୃଦ୍ଧି ସହିତ ଝାଞ୍ଜି ପ୍ରବାହିତ ହେଉଥିବାରୁ ଏହି ସମୟରେ ବିଶେଷକରି ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଅତି ଜରୁରୀ କାର୍ଯ୍ୟ ନଥିଲେ ପଦାକୁ ନବାହାରିବାପାଇଁ ପରାମର୍ଶ ଦିଆଯାଇଛି ।