ଭୁବନେଶ୍ୱର : ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଲମ୍ବିଥିବା ୧୬ ନମ୍ବର ଜାତୀୟ ରାଜପଥ ଏବେ ଖାଲଖମାରେ ଭର୍ତ୍ତି । କେଉଁଠି ରାସ୍ତା ମଝିରେ ଗାଡ ତ ଆଉ କେଉଁଠି ପରସ୍ତ ପରସ୍ତ ପିଚୁ ଉଠିଗଲାଣି । ଜାତୀୟ ରାଜପଥର ବଡ ବାବୁଙ୍କ ଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଦୈନିକ ଏହି ରାସ୍ତାରେ ଯାଉଥିଲେ ବି କାହାର ଏଥିପ୍ରତି ନଜର ପଡୁନାହିଁ ।
ରସୁଲଗଡରୁ ଓଏମ୍ପି ପର୍ଯ୍ୟନ୍ତ ଏବେ ୧୬ ନମ୍ବର ଜାତୀୟ ରାଜପଥର ଏଭଳି ଅବସ୍ଥା । ଦୁଇ ପାଶ୍ୱର୍ ରାସ୍ତାର ଅଧିକାଂଶ ସ୍ଥାନରେ ପରସ୍ତ ପରସ୍ତ ପିଚୁ ଉଠିଯାଇଛି । ସେହିସବୁ ସ୍ଥାନରେ ଗୋଡି ଉଠିଯାଇଥିବାରୁ ତାହା ଉପରେ ଭାରିଯାନଗଲେ ଉଭୟ ପଟକୁ ବିଛାଡିହୋଇ ପଡୁଛି । ବିଶେଷକରି ଟ୍ରକ ଓ ବସ୍ ଭଳି ଯାନ ପଛରେ ଯାଉଥିବା ଛୋଟ ଚାରିଚକିଆ ଓ ଦୁଇଚକିଆ ଆରୋହୀ ଗୋଡି ମାଡର ସମ୍ମୁଖୀନ ହେଉଛନ୍ତି ।
କେବଳ ପିଚୁ ଉଠିନାହିଁ, କେତେକ ସ୍ଥାନରେ ପିଚୁ ଉଠି ମାଟି ଦେଖାଯିବା ସହିତ ସେଠାରେ ବଡ ବଡ ଗାଡ ହୋଇଗଲାଣି । ସାମାନ୍ୟ ବର୍ଷାହେଲେ ସେହି ଗାଡ ସବୁ ପାଣିରେ ଭର୍ତ୍ତିହୋଇଯିବାରୁ ଗାଡିଚାଳକମାନେ ତାହାକୁ ଦେଖିପାରୁ ନାହାନ୍ତି । ଯଦି କୌଣସି ସ୍ଥାନରେ ପାଣିଭର୍ତ୍ତି ଏହି ଗାଡରେ ଗାଡି ଚକା ପଡୁଛି ତେବେ ନିକଟରେ ଯାଉଥିବା ଲୋକେ ଓ ଗାଡିମୋଟର କାଦୁଅ ପଚ ପଚ ହୋଇ ଯାଉଛନ୍ତି ।
ଏବେ ସବୁଠାରୁ ବିପଦପୂର୍ଣ୍ଣ ସ୍ଥାନ ପାଲଟିଛି ହଂସପାଳ ଛକ । ଏଠାରେ ଫ୍ଲାଇଓଭର ନିର୍ମାଣ ହେଉଥିବାବେଳେ ରାସ୍ତାରେ ଆଉ ପିଚୁ ନାହିଁ । ବଡ ବଡ ଗାଡ ଯୋଗୁଁ ଗାଡି ଚଳାଇବା ଯିବା ମୁସ୍କିଲ ହୋଇପଡୁଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାକୁ ସାମାନ୍ୟ ମରାମତି କରିବାପାଇଁ ବି ନଜର ଦେଉ ନାହାନ୍ତି । ଖାଲ ଖମା ଦେଖ ଚାରିଚକିଆ ଯାନଗୁଡିକ ଛିଡାହୋଇ ଯିବାରୁ ଗହଳି ସମୟ ବିଶେଷକରି ସଂଧ୍ୟା ସମୟରେ ଏଠାରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି ।
ସେହିଭଳି ରାସ୍ତାକଡରେ ଥିବା ଅଧିକାଂଶ ସଂଯୋଗକାରୀ ରାସ୍ତା ଖରାପ ହୋଇଗଲାଣି । ବିଶେଷକରି ପେଟ୍ରୋଲପମ୍ପ ସାମ୍ନାରେ ରାସ୍ତାରେ ବଡ ପଡ ଗର୍ତ୍ତ । ଏହାକୁ କିଏ ମରାମତି କରିବ ତାହା ସାଧାରଣ ଲୋକେ ଜାଣିପାରୁ ନାହାନ୍ତି । ଭୁବନେଶ୍ୱର-କଟକ ମଝିରେ ପଣାଶୁଣି, ହଂପାଳ, ଫୁଲନଖରା, ପ୍ରତାପନଗରୀ ଆଦି ସ୍ଥାନରେ ଥିବା ଫ୍ଲାଇଓଭର ରାସ୍ତା ମଧ୍ୟ ଖାଲଖମାରେ ଭର୍ତ୍ତି । ପରସ୍ତ ପରସ୍ତ ପିଚୁ ଉଠି ଯାଇଥିବା ଯୋଗୁଁ ଗାଡିଚାଳକମାନେ ଧିରେ ଧିରେ ଯିବାକୁ ବାଧ୍ୟ ହେଉଛନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ଜାତୀୟ ରାଜପଥ କାର୍ଯ୍ୟାଳୟ ଭୁବନେଶ୍ୱରରେ ଥିବାବେଳେ ଏହି ଦପ୍ତରର ବାବୁମାନେ ପ୍ରତିଦିନ ପ୍ରାୟ ଉକ୍ତ ରାସ୍ତାରେ ଯା ଆସ କରୁଛନ୍ତି । ଏହାଛଡା ରାଜ୍ୟର ସାଂସଦ, ମନ୍ତ୍ରୀ ଓ ବିଧାୟକମାନେ ଦୈନିକ ଏହି ରାସ୍ତାଦେଇ ଯାଉଥିଲେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାକୁ ସାମାନ୍ୟ ମରାମତି ନକରିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । (ତଥ୍ୟ)