Home General ଜାତୀୟ ଜଳମାର୍ଗ ୫ ପାଇଁ ୪୩.୮୨ କୋଟି ଖର୍ଚ୍ଚ

ଜାତୀୟ ଜଳମାର୍ଗ ୫ ପାଇଁ ୪୩.୮୨ କୋଟି ଖର୍ଚ୍ଚ

ଭୁବନେଶ୍ୱର : ପରିବହନ ଓ ପର୍ଯ୍ୟଟନକୁ ଦୃଷ୍ଟିରେ ରଖି କୋଇଲା ଖଣି ଥିବା ତାଳଚେରକୁ ଧାମରା ଓ ପାରାଦୀପ ବନ୍ଦର ସହିତ ଜଳମାର୍ଗରେ ଯୋଡିବାପାଇଁ କେନ୍ଦ୍ର ସରକାର ଜାତୀୟ ଜଳମାର୍ଗ-୫ର ବିକାଶ କ୍ଷେତ୍ରରେ ୪୩.୮୨ କୋଟି ଟଙ୍କା ବ୍ୟୟ କରିଛନ୍ତି ।

ବ୍ରାହ୍ମଣୀ-ଖରସୁଆ-ଧାମରା ନଦୀରେ ତାଳଚେର ଠାରୁ ଧାମରା ପର୍ଯ୍ୟନ୍ତ ଇଷ୍ଟ କୋଷ୍ଟ କେନାଲ, ମାତାଇ ନଦୀ ଏବଂ ମହାନଦୀ ଅବବାହିକାରେ ଥିବା ୫୮୮ କିଲୋମିଟରର ନଦୀ ବ୍ୟବସ୍ଥାକୁ ଜାତୀୟ ଜଳମାର୍ଗ-୫ ଭାବେ ଘୋଷଣା କରାଯାଇଛି । ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ପାଞ୍ଚବର୍ଷ ମଧ୍ୟରେ ଜଳମାର୍ଗର ବିକାଶ ଲାଗି ୪୩.୮୨ କୋଟି ଟଙ୍କା ବ୍ୟୟ ହୋଇଛି ଏବଂ ଆଉ ଚାରି ବର୍ଷ ଅର୍ଥାତ୍‍ ୨୦୨୨-୨୩ ରୁ ୨୦୨୫-୨୫ ମଧ୍ୟରେ ଆହୁରି ୨୦ କୋଟି ଟଙ୍କା ଖର୍ଚ୍ଚ ହେବ ।

୨୦୧୭-୧୮ ବର୍ଷରେ ୩୩.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ପରବର୍ତ୍ତୀ ଚାରି ବର୍ଷରେ ଯଥାକ୍ରମେ ୨.୨୩ କୋଟି, ୩.୨୯ କୋଟି, ୨,୧୩ କୋଟି ଏବଂ ୨.୫୮ କୋଟି ଟଙ୍କା ବ୍ୟୟ ହୋଇଛି । ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଅନୁଯାୟୀ ଏହି ଜଳମାର୍ଗକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ମଙ୍ଗଳାଗଡି ଦେଇ ପାରାଦୀପରୁ ଧାମରା ପଙ୍କପାଳ ପର୍ଯ୍ୟନ୍ତ ୨୧୨ କିଲୋମିଟର ଥିବାବେଳେ ଦ୍ୱିତୀୟ ଭାଗରେ ପଙ୍କପାଳରୁ ତାଳଚେର ପର୍ଯ୍ୟନ୍ତ ୧୨୦ କିଲୋମିଟର ରହିଛି ।

ପ୍ରଥମ ଭାଗରେ ଥିବା ଅଞ୍ଚଳ ମଧ୍ୟରୁ ମଙ୍ଗଳାଗଡିରୁ ପାରାଦୀପ୍‍ ୬୭ କିଲୋମିଟର, ମଙ୍ଗଳାଗଡିରୁ ଧାମରା ୨୮ କିଲୋମିଟର ଏବଂ ମଙ୍ଗଳାଗଡିରୁ ପଙ୍କପାଳ ୧୧୭ କିଲୋମିଟର ରହିଛି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସରିବାପରେ ତାଳଚେରରୁ ପଙ୍କପାଳ ପର୍ଯ୍ୟନ୍ତ ୧୨୦ କିଲୋମିଟର କାର୍ଯ୍ୟ ହାତକୁ ନିଆଯିବ । ଶେଷ ପର୍ଯ୍ୟାୟରେ ଧାମରାରୁ ଚାରିବାଟିଆ ୩୯ କିଲୋମିଟର ଏବଂ ଚାରିବାଟିଆରୁ ଜିଓଖାଲି ପର୍ଯ୍ୟନ୍ତ ୨୧୭ କିଲୋମିଟର କାର୍ଯ୍ୟ ହାତକୁ ନିଆଯିବ ।

୨୧୨ କିଲୋମିଟର ପଥରେ ଥିବା ସେତୁ ଓ ଅନ୍ୟାନ୍ୟ ନିର୍ମାଣ ସଂକ୍ରାନ୍ତରେ ସର୍ଭେ ସମାପ୍ତ ହୋଇଛି । ଏହି ସର୍ଭେରେ ମାସିକ/ପାକ୍ଷିକ ଭିତ୍ତିରେ ଜଳମାର୍ଗର ଗଭୀରତା ସଂକ୍ରାନ୍ତରେ ଅନୁଧ୍ୟାନ ହୋଇଥାଏ । ଏହି କାର୍ଯ୍ୟ ଲାଗି ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ ଲାଗି କାର୍ଯ୍ୟ ଆରମ୍ଭ ହୋଇଛି । ଧାମରା/ପାରାଦୀପ ରୁ ପଙ୍କପାଳ ପର୍ଯ୍ୟନ୍ତ ବିଦ୍ୟୁତ୍‍ ଲାଇନ୍‍ ତଳେ ଓଡିଶା ସରକାରଙ୍କ ଜରିଆରେ ନାଭିଗେସନ କ୍ଲିୟରାନ୍ସ କାର୍ଯ୍ୟ ସମାପ୍ତ ହୋଇଛି । ୨୦୨୨ ଅକ୍ଟୋବର ସୁଦ୍ଧା ଇଫ୍‍କୋ ନଦୀ ମୁହାଣ ଜେଟୀର ଜାତୀୟ ଜଳମାର୍ଗ-୬୪ ରୁ ପାରାଦୀପ୍‍ ବନ୍ଦର ଜାତୀୟ ଜଳମାର୍ଗ-୫ ପର୍ଯ୍ୟନ୍ତ ୧,୫୫,୧୮୧ ମେଟ୍ରିକ ଟନ୍‍ ଜିପସମ୍‍ ପରିବହନ ହୋଇଛି । ଏହି ଜଳମାର୍ଗ ଇଫକୋରେ ଥିବା ପ୍ରାୟ ୫୨ ନିୟୁତ ଜିପସମ୍‍କୁ ସଫା କରିବ ।

ଏହାବାଦ୍‍ ପଶ୍ଚିମବଙ୍ଗ ଏବଂ ବିହାରରେ ଥିବା ହୁଗୁଳି-ଗଙ୍ଗା ନଦୀରେ ଥିବା ଜଳମାର୍ଗ ଜରିଆରେ ଜିପସମ୍‍ ପରିବହନ ପାଇଁ ଭାରତର ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏବଂ ଅଲଟ୍ରା ଟେକ୍‍ ସିମେଣ୍ଟ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ହୋଇଛି । ପ୍ରାରମ୍ଭିକ ଭାବେ ଏହାର ମୂଲ୍ୟ ୪୨୦୯ କୋଟି ଟଙ୍କା ଆକଳନ କରାଯାଇଥିଲା ଯେଉଁଥିରେ ନଦୀ ଉପରେ ବନ୍ଧ ନିର୍ମାଣ ପାଇଁ ୧୮୪୩ କୋଟି ଏବଂ କେନାଲ ଖନନ ପାଇଁ ୧୨୭୩ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ଜାତୀୟ ଜଳମାର୍ଗ ୫ ପ୍ରଧାନ ମନ୍ତ୍ରୀଙ୍କ ଗତି ଶକ୍ତି କାର୍ଯ୍ୟକ୍ରମ ଅଧିନରେ ରହିଛି । (ତଥ୍ୟ)