Home Culture ଜାଗରରେ ଲିଙ୍ଗରାଜଙ୍କ ଦର୍ଶନ ମିଳିବ

ଜାଗରରେ ଲିଙ୍ଗରାଜଙ୍କ ଦର୍ଶନ ମିଳିବ

ଭୁବନେଶ୍ୱର : ମହାପ୍ରଭୁ ଲିଙ୍ଗରାଜ ଦେବଙ୍କ ଜାଗର ଯାତ୍ରାରେ ମନ୍ଦିରକୁ ଯାଇପାରିବେ ଭକ୍ତ । ଆଜି ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିବା ଏକ ସ୍ୱତନ୍ତ୍ର ବୈଠକରେ ଏହି ନିଷ୍ପତି ଶୁଣାଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ । ଲିଙ୍ଗରାଜ ଦେବଙ୍କର ବିଭିନ୍ନ ସେବାୟତ ଓ ନିଯୋଗ ବୃନ୍ଦ, ବିଏମସି ର ପଦାଧିକାରୀ, ଜିଲ୍ଲା ପ୍ରଶାସନ ଅଧିକାରୀ ମାନଙ୍କୁ ନେଇ ହୋଇଥିବା ଉକ୍ତ ବୈଠକରେ ଜାଗର ଯାତ୍ରାର ପ୍ରସ୍ତୁତି, ଭକ୍ତମାନଙ୍କୁ ମନ୍ଦିରକୁ ଯିବାର ଅନୁମତି ପ୍ରକ୍ରିୟା ଏବଂ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶାବଳୀ ଏବଂ କୋଭିଡ୍ ନିୟମାବଳୀ ବାବଦରେ ଆଲୋଚନା ହୋଇଅଛି ।

ସରକାରଙ୍କର କୋଭିଡ଼୍ ନିୟମାବଳୀ ମାନି ଭକ୍ତ ମାନଙ୍କୁ ମନ୍ଦିରକୁ ଯିବାପାଇଁ ଅନୁମତି ଦିଆଯିବ । କେବଳ ଆଡ଼କାଠ ପର୍ଯ୍ୟନ୍ତ ଯାଇ ଭକ୍ତମାନେ ଦର୍ଶନ କରିପାରିବେ । ଷାଠିଏ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏହି ଦିନରେ ମନ୍ଦିର ପ୍ରବେଶକୁ ବାରଣ କରାଯାଇଥିବା ବେଳେ ୧୨ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ମଧ୍ୟ ସମାନ ନିୟମ ରହିଛି । ଏପରିକି ସେବାୟତଙ୍କ ପରିବାର ସଦସ୍ୟ ମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ରହିବ । କିନ୍ତୁ ସେବାୟତ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ବୟସସୀମା ଲାଗୁ ହେବନାହିଁ ।

ଅନ୍ୟ ପକ୍ଷରେ କୋଭିଡ଼୍ ନିୟମ ଅନୁପାଳନକୁ କଡ଼ାକଡ଼ି କରିବା ପାଇଁ ବାହାରୁ ସାମାଜିକ ଦୂରତା ରକ୍ଷାକରି ଏକାଥରକେ ନିର୍ଦ୍ଧିଷ୍ଟ ସଂଖ୍ୟାର ଭକ୍ତଙ୍କୁ ଭିତରକୁ ଯିବାପାଇଁ ବ୍ୟବସ୍ଥା କରାଯିବ । ମନ୍ଦିର ଭିତରକୁ ଯିବା ପୂର୍ବରୁ କୋଭିଡ଼୍ ପାଇଁ ସ୍କ୍ରିନିଂ କରାଯିବ ଏବଂ ସ୍କ୍ରିନିଂରୁ ସନ୍ଦେହ ହେଲେ ସଙ୍ଗେ ସଙ୍ଗେ ଟେଷ୍ଟିଂ କରାଯିବ । ଏହି ସ୍କ୍ରିନିଂ ଏବଂ ଟେଷ୍ଟିଂ ପାଇଁ ଦୁଇଟି ସ୍ୱତନ୍ତ୍ର କ୍ୟାମ୍ପ୍ ମନ୍ଦିର ନିକଟରେ ବି ଏମ୍ ସି ଏବଂ ସ୍ୱାସ୍ଥ୍ୟ ବିଭାଗର ସମନ୍ୱୟରେ କରାଯିବ । ସନ୍ଦିଗ୍ଧ ଭକ୍ତଙ୍କର ଆଣ୍ଟିଜେନ୍‍ ପରୀକ୍ଷା କରାଯିବ । କୋଭିଡ଼୍ ପଜିଟିଭ୍ ଚିହ୍ନଟଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯିବ ନାହିଁ ଏବଂ ଅବସ୍ଥା ଅନୁସାରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଅତ୍ୟଧିକ ଜନଗହଳି ଏବଂ ନିୟମର ଉଲ୍ଲଙ୍ଘନ ତଥା ଶୃଙ୍ଖଳା ରକ୍ଷା ବ୍ୟତିକ୍ରମ ହେଲେ ନାଗରିକଙ୍କ ହିତ ଦୃଷ୍ଟିରୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ।

ବଡ଼ୁନିଯୋଗ, ବ୍ରାହ୍ମଣ ନିଯୋଗ,ପୂଜାପଣ୍ଡା ନିଯୋଗ ଏବଂ ସାମର୍ଥା ନିଯୋଗ ତଥା ଅନ୍ୟାନ୍ୟ ସେବାୟତଙ୍କ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ଦିଆଯାଇ ଐତିହ୍ୟପୂର୍ଣ୍ଣ ଲିଙ୍ଗରାଜଙ୍କ ଜାଗରଯାତ୍ରାର ସଫଳ ପରିଚାଳନା କରିବାକୁ କୁହାଯାଇଅଛି । ତେବେ ଏହି ବୈଠକରେ ଯୋଗ ଦେଇଥିବା ବଡ଼ୁନିଯୋଗର କମଳାକାନ୍ତ ବଡ଼ୁ, ସାମର୍ଥା ନିଯୋଗର ରାଜେନ୍ଦ୍ର ସାମର୍ଥା ଏବଂ ବ୍ରାହ୍ମଣ ନିଯୋଗର ବିରଂଚି ପତି ଏବଂ ପୂଜାପଣ୍ଡା ନିଯୋଗର ଶଶୀକାନ୍ତ ପୂଜାପଣ୍ଡା ପ୍ରମୁଖ ଶୃଙ୍ଖଳାଗତ ଜାଗରଯାତ୍ରା ପାଇଁ ସେମାନଙ୍କ ତରଫରୁ ପ୍ରଚେଷ୍ଟା ଜାରି ରହିବ ବୋଲି କହିଛନ୍ତି ।