Home Environment ଜଳବାୟୁ ପରିବର୍ତ୍ତନ ମୁକାବିଲାକୁ ଗୁରୁତ୍ୱ

ଜଳବାୟୁ ପରିବର୍ତ୍ତନ ମୁକାବିଲାକୁ ଗୁରୁତ୍ୱ

ଭୁବନେଶ୍ୱର : କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ ଆଜି ଏଠାରେ ‘‘ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ’’କୁ ଉଦଘାଟନ କରିଛନ୍ତି । ‘‘ସବୁଜ ଜଳବାୟୁ ପାଣ୍ଠି ସହାୟକ ପ୍ରକଳ୍ପ – ଭାରତର ଉପକୂଳ ସମୁଦାୟଙ୍କ ଜଳବାୟୁ ସହନଶୀଳତା ବୃଦ୍ଧି’’ ପ୍ରୟାସ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

ଉପକୂଳ ଏବଂ ସାମୁଦ୍ରିକ ଜୈବ ବିବିଧତା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଉପକୂଳ ପ୍ରଦୂଷଣ ଆଦି ତିନୋଟି ଆନ୍ତଃସଂଯୁକ୍ତ ବିଷୟବସ୍ତୁ ଉପରେ ଆଲୋଚନା କରିବା ଲାଗି ଭାରତର ୧୩ଟି ଉପକୂଳ ରାଜ୍ୟକୁ ଗୋଟିଏ ସ୍ଥାନରେ ଏକତ୍ରିତ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ।

ଅଂଶୀଦାରମାନଙ୍କର ଏକ ସକ୍ରିୟ ନେଟୱର୍କ ସୃଷ୍ଟି କରିବା ମାଧ୍ୟମରେ ଉପରୋକ୍ତ ବିଷୟବସ୍ତୁ ଉପରେ ଆପୋସ ସହଯୋଗ ବଢ଼ାଇବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିସହିତ ଉପକୂଳ ପରିଚାଳନା, ପ୍ରଯୁକ୍ତି ଏବଂ ନବୋନ୍ମେଷ ସହିତ ଘରୋଇ ଏବଂ ଅନ୍ତର୍ଜାତୀୟ ଅର୍ଥଲଗାଣ ଆଦି ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ସମ୍ପର୍କରେ ସମ୍ମିଳନୀରେ ବିଚାରବିମର୍ଶ କରାଯାଉଛି।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ, ଭାରତର ବିସ୍ତିର୍ଣ୍ଣ ଉପକୂଳର ବ୍ୟାପକ ରଣନୈତିକ, ଆର୍ଥିକ ଏବଂ ସାମାଜିକ ଗୁରୁତ୍ବ ରହିଛି । ୭୫୦୦ କିଲୋମିଟର ଲମ୍ବ ଏହି ଉପକୂଳ ବିଶ୍ୱରେ ସପ୍ତମ ବୃହତମ। ଏହି କ୍ଷେତ୍ରରେ ଦେଶର ୨୦ ପ୍ରତିଶତ ଜନସଂଖ୍ୟା ରହୁଛନ୍ତି । 

ଆମର ଉପକୂଳ କ୍ଷେତ୍ରରେ ଏକ ବ୍ୟାପକ ବିବିଧ ପରିବେଶ ପରିତନ୍ତ୍ର ରହିଛି ଏବଂ ଏଠାରେ ୧୭ ହଜାରରୁ ଅଧିକ ପ୍ରାଣୀ ଏବଂ ଉଦ୍ଭିଦ ବସବାସ କରିଥାନ୍ତି । ଜଳବାୟୁ ପରିବର୍ତ୍ତନ ସହିତ, ଆମେ ଉପକୂଳ କ୍ଷେତ୍ରରେ ରହୁଥିବା ସମୁଦାୟଙ୍କୁ ଅଧିକ ସହନଶୀଳ କରିବାର ଆବଶ୍ୟକତା ରହିଛି ।

ଭାରତ ନିଜର ସଂଶୋଧିତ ଏନଡିସି ଦାଖଲ କରିବା ଏବଂ ଏହିସବୁ ଲକ୍ଷ୍ୟ ହାସଲ ପାଇଁ ବହୁମୁଖି ସହଭାଗିତା ସୃଷ୍ଟି କରିବାକୁ ଚାହୁଁଥିବା ସମୟରେ ଏହି ସମ୍ମିଳନୀ ଆୟୋଜନ କରାଯିବା ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ଯାଦବ କହିଥିଲେ।

ଏହି ଅବସରରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ କହିଥିଲେ ଯେ ଦେଶର ଉପକୂଳ କ୍ଷେତ୍ରରେ ସହନଶୀଳତା ଏବଂ ଦୀର୍ଘସ୍ଥାୟୀତ୍ବ ବଢ଼ାଇବା ଲାଗି ବିଚାରବିମର୍ଶ କରିବା ନିମନ୍ତେ ଏଭଳି ସମ୍ମିଳନୀ ଆୟୋଜନ ବିଶେଷ ଗୁରୁତ୍ବପୂର୍ଣ୍ଣ। ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଲାଇଫ ଅଭିଯାନରେ ମଧ୍ୟ ଏହାର ପରିକଳ୍ପନା କରାଯାଇଛି।

ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନାକୁ ବର୍ତ୍ତମାନ ସମୟର ଆବଶ୍ୟକତା ଭାବେ ବିବେଚନା କରାଯାଇଥାଏ। ଡାଟା ଆଧାରିତ ନୀତି ଏବଂ ପରିଚାଳନା ବ୍ୟବସ୍ଥା, ଅଂଶଗ୍ରହଣକାରୀ ସଂରକ୍ଷଣ ମଡେଲ ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ବୟ ପ୍ରଭାବୀ ଉପକୂଳ ପରିଚାଳନାର ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ।

ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରେ ୟୁଏନଡିପି ସହାୟତାରେ ଉପକୂଳ ସମୁଦାୟଙ୍କ ଜଳବାୟୁ ସହନଶୀଳତା ବଢ଼ାଇବା ପାଇଁ ଏକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଗ୍ରୀନ କ୍ଲାଇମେଟ୍‌ ଫଣ୍ଡ (ଜିସିଏଫ) ସହାୟତାରେ ଉପକୂଳ ପରିଚାଳନା ଏବଂ ଯୋଜନା ପ୍ରସ୍ତୁତିରେ ପରିବେଶ ପରିତନ୍ତ୍ର ଏବଂ ସମୁଦାୟ ଆଧାରିତ ଆଭିମୁଖ୍ୟକୁ ଏକୀକରଣ କରିବା ଲାଗି ଏଥିରେ ପ୍ରୟାସ କରାଯାଉଛି।