ଭୁବନେଶ୍ୱର : ଶିଳ୍ପ ପ୍ରତିଷ୍ଠାପାଇଁ ଜମି ଖଣ୍ଡେ ପାଇବାକୁ ବିଭିନ୍ନ କମ୍ପାନୀ ଧାଁ ଦଉଡ କରୁଥିବାବେଳେ ରାଜ୍ୟରେ ଜମି ପାଇଥିବା ଶିଳ୍ପସଂସ୍ଥାମାନେ କିନ୍ତୁ ବର୍ଷ ବର୍ଷ ଧରି ଏହାକୁ ଅବ୍ୟବହୃତ ଭାବେ ପକାଇ ରଖୁଛନ୍ତି । ଅଳ୍ପ କେତେକ କ୍ଷେତ୍ରରେ ରାଜ୍ୟ ସରକାର ଉକ୍ତ ଜମିକୁ ଫେରାଇ ଆଣିଥିବାବେଳେ କେତେକ କ୍ଷେତ୍ରରେ କମ୍ପାନୀମାନଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ ୨୦ଟି କମ୍ପାନୀ ଜମି ପାଇଥିଲେ ମଧ୍ୟ ୧୦ବର୍ଷରୁ ଅଧିକ ସମୟ ଧରି ତାହାକୁ ପକାଇ ରଖିଛନ୍ତି । ଏହିସବୁ କମ୍ପାନୀ ମଧ୍ୟରେ ତାପଜ ବିଦ୍ୟୁତ୍, ଇସ୍ପାତ, ସିମେଣ୍ଟ ଆଦି ରହିଛନ୍ତି । ଏହି ୨୦ଟି କମ୍ପାନୀକୁ ରାଜ୍ୟରେ ୭୨୪୭ ଏକର ଜମି ଯୋଗାଇ ଦିଆଯାଇଥିଲା । ଏଥି ମଧ୍ୟରେ ୪୪୮୫ ଏକର ସରକାରୀ ଜମି ଥିବାବେଳେ ୨୭୬୨ ଏକର ଘରୋଇ ଜମି ରହିଥିଲା ।
ସରକାରୀ ଜମିକୁ ରାଜ୍ୟ ସରକାର ଚୁକ୍ତିବଦ୍ଧ ଶିଳ୍ପସଂସ୍ଥାଗୁଡିକୁ ସୁରୁଖୁରୁରେ ପ୍ରଦାନ କରିଥିବାବେଳେ ଘରୋଇ ଜମି ଆଣିବାକୁ କିନ୍ତୁ ନାକେଦମ ହୋଇଛନ୍ତି । ଘରୋଇ ଜମି ପାଇଁ ସ୍ଥାନୀୟ ଲୋକଙ୍କ ବିରୋଧକୁ ସାମ୍ନା କରିବା ସହିତ ସେମାନଙ୍କର ଭିନ୍ନ ଭିନ୍ନ ଦାବି ପୂରଣ କରିବାକୁ ପଡିଛି । ହେଲେ କମ୍ପାନୀମାନେ ଜମି ପାଇବାପରେ ବି କାରଖାନା ନିର୍ମାଣରୁ ଓହରି ଯାଇଛନ୍ତି ।
ଫଳରେ ରାଜ୍ୟ ସରକାର ଯାଜପୁର ଜିଲ୍ଲାରେ ଜମି ପାଇଥିବା ଭିସା, ଚେତିନାଡ ସିମେଣ୍ଟର ଜମିକୁ ବାତିଣ କରିଦେଇଛନ୍ତି । ସେହିଭଳି ମୟୁରଭଞ୍ଜ ଜିଲ୍ଲାରେ ଜମି ପାଇଥିବା କେରବ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ଝାରସୁଗୁଡା ଜିଲ୍ଲାରେ ଜମି ପାଇଥିବା କୋଣାର୍କ ଇସ୍ପାତ ସମେତ ଅର୍ବିଟ ମୋଟର, ବ୍ରହ୍ମା ଆଇରନ ଆଦିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଯାଜପୁର ଜିଲ୍ଲାରେ ଜମି ନେଇଥିବା ଉତ୍ତମ ଗାଲ୍ଭା କମ୍ପାନୀର ଜମିକୁ ସରକାର ବାତିଲ କରିଦେଇଥବଲେ ମଧ୍ୟ ସେହି ମାମଲା ଏବେ ଅଦାଲତକୁ ଯାଇଛି ।
ରାଜ୍ୟ ସରକାର ଓଡିଶାକୁ ଆସୁଥିବା ଶିଳ୍ପସଂସ୍ଥାଗୁଡିକୁ ବିଭିନ୍ନ ସ୍ଥାନରେ ଜମି ଯୋଗାଇ ଦେବାପାଇଁ ଲ୍ୟାଣ୍ଡ୍ ବ୍ୟାଙ୍କ୍ ପ୍ରତିଷ୍ଠା କରିଛନ୍ତି । ଏଥିଯୋଗୁଁ ରାଜ୍ୟରେ କାରଖାନା ପ୍ରତିଷ୍ଠା ସହଜ ହେବା ସହିତ ବ୍ୟାପକ ପୁଞ୍ଜି ଆସିବାର ଲକ୍ଷ୍ୟ ରହିଛି । ହେଲେ ବହୁ ଆଡମ୍ବରରେ ରାଜ୍ୟ ସରକାରଙ୍କ ସହିତ ଚୁକ୍ତିନାମା କରି ପୁଞ୍ଜି ଖଟାଇବାର ସ୍ୱପ୍ନ ଦେଖାଉଥିବା କମ୍ପାନୀଗୁଡିକ ଜମି ପାଇବାପରେ ବି ବର୍ଷ ବର୍ଷଧରି କାରଖାନା ପ୍ରତିଷ୍ଠା ନକରିବା ଏବେ ସରକାରଙ୍କୁ ଅଡୁଆରେ ପକାଇ ଦେଉଛି ।
କେବଳ ବଡ ବଡ ଶିଳ୍ପସଂସ୍ଥା ନୁହେଁ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ବିଭିନ୍ନ ଜିଲ୍ଲାରେ ଥିବା ୧୫୦ଟି ଶିଳ୍ପ ପାର୍କ ୧୪ହଜାର ଏକରରୁ ଅଧିକ ପରିମିତ ଜମିରେ ପ୍ରତିଷ୍ଠା କରାଯାଇ ସେଠାରେ ୬୬୬୧ ଟି ଶିଳ୍ପ ସଂସ୍ଥାଙ୍କୁ ଲିଜ୍ ସୂତ୍ରରେ ଜମି ଯୋଗାଇ ଦିଆଯାଇଛି । ତେବେ ଏମାନଙ୍କ ମଧ୍ୟରୁ ୧୮୯ଟି ଶିଳ୍ପସଂସ୍ଥା ପାଇଥିବା ପ୍ରାୟ ୧୨୦ ଏକର ଜମିରେ ଶିଳ୍ପ ପ୍ରତିଷ୍ଠା ନକରି ତାହାକୁ ପକାଇ ରଖିଛନ୍ତି । କେତେକ ଶିଳ୍ପସଂସ୍ଥା କାରଖାନା ପ୍ରତିଷ୍ଠାପାଇଁ ପାଇଥିବା ଜମିରେ ଧିରେ ଧିରେ ଶିକ୍ଷାନୁଷ୍ଠାନ, ହଷ୍ଟେଲ, ଗାଡିମୋଟର ସୋରୁମ୍ ସହିତ ଆବାସିକ ଘର କରି ଭଡା ଲଗାଉଥିବା ଦେଖିବାକୁ ମିଳୁଛି । ଇଡ୍କୋ ପକ୍ଷରେ ମଝିରେ ମଝିରେ ଚଢଉ ହେଉଥିଲେ ମଧ୍ୟ ଅମାନିଆ ଶିଳ୍ପସଂସ୍ଥାମାନେ କିନ୍ତୁ କାରଖାନା ପ୍ରତିଷ୍ଠା ନକରି ଜମିକୁ ନିଜ ଅକ୍ତିଆରରେ ରଖୁଛନ୍ତି । (ତଥ୍ୟ)

