Home Health ଘରୋଇ ନିଦାନ କେନ୍ଦ୍ର ଉପରେ ଲଗାମ ନାହିଁ

ଘରୋଇ ନିଦାନ କେନ୍ଦ୍ର ଉପରେ ଲଗାମ ନାହିଁ

ଭୁବନେଶ୍ୱର : ସରକାରୀ ଡାକ୍ତରଖାନାଗୁଡିକରେ ରୋଗୀମାନଙ୍କୁ ମାଗଣାରେ ନିଦାନ ସେବା ବା ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ଉପଲବ୍ଧ ହେଉଥିବାବେଳେ ଘରୋଇ ସଂସ୍ଥାଗୁଡିକ କିନ୍ତୁ ମନଇଚ୍ଛା ଶୋଷଣ କରୁଛନ୍ତି । ଯଦିଓ ଏମାନେ ସରକାରଙ୍କ ଠାରୁ ଅନୁମତି ପାଇ ନିଦାନ କେନ୍ଦ୍ର ଖୋଲିଛନ୍ତି, କିନ୍ତୁ ଏମାନଙ୍କର ଦର ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ଥିବା ଲକ୍ଷ୍ୟ କରାଯାଉ ନାହିଁ ।

ସରକାରୀ ଡାକ୍ତରଖାନାଗୁଡିକରେ ରୋଗୀସଂଖ୍ୟା ବଢୁଥିବାବେଳେ ନିଦାନ ବ୍ୟବସ୍ଥା ବୃଦ୍ଧି ପାଉନାହିଁ । ବିଶେଷକରି ଯେଉଁ ଗୁରୁତର ରୋଗୀମାନଙ୍କର ତତ୍କାଳ ବିଭିନ୍ନ ପରୀକ୍ଷା ନିରୀକ୍ଷା ଆବଶ୍ୟକ ହେଉଛି ସେମାନେ ସରକାରୀ ଡାକ୍ତରଖାନାରେ ଘଣ୍ଟା ଘଣ୍ଟା କିମ୍ବା ଦିନ ଦିନ ଧରି ଅପେକ୍ଷା କରିବା ପରିବର୍ତ୍ତେ ଆଖପାଖରେ ଥିବା ଘରୋଇ ପରୀକ୍ଷାକେନ୍ଦ୍ରକୁ ଯାଉଛନ୍ତି । ସେଠାରେ ତତ୍କାଳ ପରୀକ୍ଷା କରିବା ସହିତ ରିପୋର୍ଟ ଆଣି ଡାକ୍ତରଙ୍କୁ ଦେଖାଇ ପାରୁଛନ୍ତି ।

ହେଲେ ଏହିସବୁ ଘରୋଇ ନିଦାନ କେନ୍ଦ୍ରରେ କେଉଁସବୁ ପରୀକ୍ଷା ପାଇଁ କେତେ ଅର୍ଥ ଆଦାୟ କରାଯିତ ତାହାର କିଛି ନିର୍ଦ୍ଦିଷ୍ଟତା ନାହିଁ । ଯିଏ ଯେମିତି ପାରୁଛି ମନଇଚ୍ଛା ଆଦାୟ କରୁଛି । ସାମାନ୍ୟ ମଧୁମେହ ପରୀକ୍ଷାର ଦର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହୁଛି । ହୃଦ୍‍ରୋଗ, ବୃକକ୍‍, ଯକୃତ ଆଦିର ବିଭିନ୍ନ ପରୀକ୍ଷା ନିରୀକ୍ଷାର ଦର ଆକାଶଛୁଆଁ । ବାସ୍ତବରେ ଏହିସବୁ ପରୀକ୍ଷା ପାଇଁ କେତେକ ଦର ଦେବାକୁ ପଡିବ ତାହା ଧାର୍ଯ୍ୟ ହୋଇନଥିବାରୁ ଘରୋଇ ନିଦାନ କେନ୍ଦ୍ରଗୁଡିକ ଯେତିକି ଦେବାକୁ କହୁଛନ୍ତି ରୋଗୀମାନେ କାନମୁଣ୍ଡା ଆଉଁଷି ସେତିକି ଦେବାକୁ ବାଧ୍ୟ ହେଉଛନ୍ତି ।

ଏହାର ସୁଯୋଗ ନେଇ ସରକାରୀ ଡାକ୍ତରଖାନା ଚାରିପଟେ ଏବେ ମାଳ ମାଳ ଘରୋଇ ନିଦାନ କେନ୍ଦ୍ର ଖୋଲିଛି । କଟକର ଏସ୍‍ସିବି ହେଉ କିମ୍ବା ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ହେଉ, ଏହାର ଚାରିପଟେ ମାଳ ମାଳ ଘରୋଇ ନିଦାନ କେନ୍ଦ୍ର । ରୋଗିଟି ଯଦି ସହଜରେ ସରକାରୀ ଡାକ୍ତରଖାନାରେ ମାଗଣା ପରୀକ୍ଷାର ସୁବିଧା ପାଆନ୍ତା ତେବେ ସିଏ ଆଦୌ ଘରୋଇ ନିଦାନ କେନ୍ଦ୍ରରେ ପଇସା ଗଣନ୍ତା ନାହିଁ ।

ସେହିଭଳି ଘରୋଇ ନିଦାନ କେନ୍ଦ୍ରଗୁଡିକର ନିୟମିତ ଯାଞ୍ଚ ହେଉନଥିବାରୁ ସେମାନେ ଲୋକଙ୍କୁ କେଉଁ କିସମର ସେବା ଯୋଗାଣ କରୁଛନ୍ତି ତାହା ବି ସରକାର ଜାଣିପାରୁ ନାହିଁ । ବିଶେଷକରି ସେମାନେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପାଇଁ କେଉଁ ମାନର କେମିକାଲ ବ୍ୟବହାର କରୁଛନ୍ତି ତାହା ଉପରେ ନଜର ରଖିବାକୁ ଏବେ ସାଧାରଣରେ ଦାବି ହେଉଛି । ଏଥି ସହିତ ମଧୁମେହ, ଅଲଟ୍ରାସାଉଣ୍ଡ, ଏକ୍ସ-ରେ ଆଦି ପାଇଁ ସରକାର ଗୋଟିଏ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କଲେ ସାଧାରଣ ଲୋକେ ଉପକୃତ ହୋଇପାରନ୍ତେ ବୋଲି କୁହାଯାଉଛି । (ତଥ୍ୟ)