ଭୁବନେଶ୍ୱର : ଭୂଦାନ ଆନ୍ଦୋଳନ ସମୟରେ ଓଡିଶାରେ ଯେତେ ଜମି ସଂଗୃହୀତ ହୋଇଥିଲା ସେଥିରୁ ଏବେ ବି ହଜାର ହଜାର ଏକର ଜମି ଭୂମିହୀନଙ୍କୁ ବଣ୍ଟାନଯାଇ ପଡି ରହିଛି ଏବଂ ଆଉ କେତେକ ଭୂଦାନ ଜମିକୁ ପ୍ରତିପତ୍ତିଶାଳୀ ଲୋକମାନେ ଜବରଦଖଲ କରି ରଖିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଭୂଦାନ ଆନ୍ଦୋଳନ ସମୟରେ ସନ୍ଥ ବିନୋବା ଭାବେ ୧୯୫୧ରୁ ପ୍ରାୟ ୧୩ବର୍ଷ ଧରି ୭୦ହଜାର କିଲୋମିଟରରୁ ଅଧିକ ରାସ୍ତା ପଦଯାତ୍ରାରେ ଅତିକ୍ରମ କରିବା ସହ ପାଖାପାଖି ୪୨ଲକ୍ଷ ଏକର ଜମି ଦାତାମାନଙ୍କ ଠାରୁ ଭୂମିହୀନଙ୍କ ପାଇଁ ସଂଗ୍ରହ କରିଥିଲେ । ସେ ସମୟରେ ଓଡିଶାରେ ପାଖାପାଖି ୨ଲକ୍ଷ ଏକର ଜମି ମଧ୍ୟ ଭୂଦାନରେ ମିଳିଥିଲା । ସମଗ୍ର ଦେଶରେ ପାଖାପାଖି ୬ଲକ୍ଷ ଲୋକ ଜମିଦାନ କରିଥିବାବେଳେ ଓଡିଶାରେ ଦାତାଙ୍କ ସଂଖ୍ୟା ୮୫ହଜାରରୁ ଅଧିକ ଥିଲା ।
୧୯୭୦ ମସିହା ସୁଦ୍ଧା ଓଡିଶାରେ ଲକ୍ଷାଧିକ ଏକର ଭୂଦାନ ଜମି ଭୂମିହୀନଙ୍କୁ ବଣ୍ଟା ଯାଇଥିଲା । ଅବଶିଷ୍ଟ ଜମିକୁ ବାଣ୍ଟିବାପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଅଧିନରେ ଭୂଦାନ ଯଜ୍ଞ ସମିତି ଗଢାଯାଇଥିଲା । ଭୂଦାନ ଯଜ୍ଞ ସମିତି ଦାୟିତ୍ୱରେ ପଦସ୍ଥ ସରକାରୀ ଅଫିସରଙ୍କ ସମେତ ଅନେକ ବେସରକାରୀ ବ୍ୟକ୍ତି ମଧ୍ୟ ରହି ଆସୁଛନ୍ତି । ଏହା ସତ୍ୱେ ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିପୁଳ ପରିମାଣର ଭୂଦାନ ଜମି ଯେଉଁ ଉଦ୍ଦେଶ୍ୟରେ ମିଳିଥିଲା ତାହା ସେହି ଉଦ୍ଦେଶ୍ୟରେ ବଣ୍ଟାଯାଇ ପାରୁନାହିଁ ।
ଏହାର ସୁଯୋଗ ନେଇ କେତେକ କ୍ଷେତ୍ରରେ ପୁରୁଣା ଦାତାଙ୍କ ବଂଶଧରମାନେ ପୁଣି ଏହି ଜମିକୁ ନିଜ କବଜାକୁ ନେଇଛନ୍ତି । ଆଉ କେତେକ ସ୍ଥାନରେ କେଉଁଠି ଭୂଦାନ ଜମି ଉପରେ ଇଞ୍ଜିନିୟରିଂ କଲେଜ ହୋଇଛି ତ ଆଉ କେଉଁଠି ବ୍ୟବସାୟିକ ପ୍ରତିଷ୍ଠାନ ଓ ଧନିକ ଲୋକଙ୍କ ବହୁତଳପ୍ରାସାଦ ବି ନିର୍ମାଣ ହେଲାଣି । ଏହି ଜମିକୁ ରାଜସ୍ୱ ପ୍ରଶାସନ ସୁରକ୍ଷିତ ଭାବେ ରଖିପାରୁନାହିଁ କିମ୍ବା ତାହାକୁ ତୁରନ୍ତ ବାଣ୍ଟୁନାହିଁ ।
ଆଜି ସନ୍ଥ ବିନୋବା ଭାବେଙ୍କ ୧୨୯ତମ ଜନ୍ମ ବାର୍ଷିକୀ ଓଡିଶା ସମେତ ସାରା ଦେଶରେ ବେସରକାରୀ ଭାବେ ପାଳିତ ହୋଇଛି । ଓଡିଶାରେ ଯେଉଁ ବିପ୍ଳବୀ ଭୂଦାନ ଯଜ୍ଞର ଗଙ୍ଗା ବୁହାଇଲେ ତାଙ୍କୁ ପ୍ରଶାସନକଳ ଏକ ପ୍ରକାର ଭୁଲିଯାଇ ତାଙ୍କ ପୂଣ୍ୟତିଥି କିମ୍ବା ଜନ୍ମଦିନ ପ୍ରତିକାଳନ କରୁନଥିବାରୁ ଅନେକ ଗାନ୍ଧୀପ୍ରେମୀ ଦୁଃଖପ୍ରକାଶ କରୁଛନ୍ତି ।
ବିନୋବାଙ୍କ ସହ ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ ଚୌଧୁରୀଙ୍କ ପରିବାର ସମେତ ଆଚାର୍ଯ୍ୟ ହରିହର, କୃପାସିନ୍ଧୁ ହୋତା, ନବକୃଷ୍ଣ ଚୌଧୁରୀ, ବିଶ୍ୱନାଥ ପଟ୍ଟନାୟକ, ମହମ୍ମଦ ବାଜିଙ୍କ ସମେତ ଶହ ଶହ ଗାନ୍ଧୀଜନ ସାମିଲ ହୋଇଥିଲେ ଏବଂ ଓଡିଶାରେ ସେତେବେଳେ ବିନୋବାଙ୍କ ପଦଯାତ୍ରା ଲକ୍ଷ୍ମଣନାଥରୁ କୋରାପୁଟ ପର୍ଯ୍ୟନ୍ତ ଚାଲିଥିଲା । ରାଜ୍ୟ ସରକାର ତୁରନ୍ତ ସଂଗୃହୀତ ହୋଇଥିବା ଭୂଦାନ ଜମିଗୁଡିକ କେଉଁ ସ୍ଥିତିରେ ରହିଛି, ଏଥିରୁ କେତେ ଦାତା ଓ ଗ୍ରହିତାମାନେ ବିକ୍ରି କରିସାରିଲେଣି, ଆଉ କେତେ ଜବରଦଖଲରେ ରହିଛି ଓ ଆଉ କେତେ ପରିମାଣରେ ଜମି ବଣ୍ଟନ ଅପେକ୍ଷାରେ ଅଛି ତାହାର ଟିକିନିଖି ସମୀକ୍ଷା କରି ତୁରନ୍ତ ଅବଶିଷ୍ଟ ଭୂଦାନ ଜମିକୁ ଭୂମିହୀନଙ୍କ ମଧ୍ୟରେ ବାଣ୍ଟିବା ସହିତ ଏହି କାର୍ଯ୍ୟକ୍ରମର ପରିସମାପ୍ତି ଘଟାଇବାକୁ ମତପ୍ରକାଶ ପାଉଛି । (ତଥ୍ୟ)