Home Industry ଜବରଦଖଲରେ ଶିଳ୍ପାଞ୍ଚଳ ଜମି

ଜବରଦଖଲରେ ଶିଳ୍ପାଞ୍ଚଳ ଜମି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳରେ ଶିଳ୍ପ ଜମିରେ ଅଣଶିଳ୍ପ ସଂସ୍ଥା ଗଢି ଉଠୁଥିବାବେଳେ ଜବରଦଖଲକାରୀମାନେ ପାଖାପାଖି ଶହେ ଏକର ଜମି ମାଡି ବସିଛନ୍ତି । ଏମାନଙ୍କୁ ହଟାଇ କିଭଳି ଜମିକୁ ନିଜ କବଜାକୁ ନିଆଯିବ ସେଥିପାଇଁ ଇଡ୍‍କୋ କର୍ତ୍ତୃପକ୍ଷ ଅଣ୍ଟା ଭିଡିଛନ୍ତି ।

ରାଜ୍ୟରେ ରହିଛି ୧୨୨ଟି ଶିଳ୍ପାଞ୍ଚଳ । ଏଗୁଡିକ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୧୧ହଜାର ଏକର ଜମି ଉପରେ ରହିଛି । ସେଥି ମଧ୍ୟରୁ ଶିଳ୍ପ ସ୍ଥାପନ ନିମନ୍ତେ ୬୪୯୩ଟି ସଂସ୍ଥାଙ୍କୁ ୬୮୩୦ ଏକର ଜମି ଲିଜ୍‍ ଆକାରରେ ଯୋଗାଇ ଦିଆଯାଇଛି । ତେବେ ଏହିସବୁ ଶିଳ୍ପାଞ୍ଚଳରେ ୧୬୩୫ ଏକର ଜମି ଖାଲି ପଡିଥିବାବେଳେ ଏଥିରୁ ପାଖପାଖି ଶହେ ଏକର ଜମିକୁ ଜବରଦଖଲକାରୀମାନେ ମାଡି ବସିଛନ୍ତି । ଏହି ଜବରଦଖଲ ଜମିକୁ ମୁକୁଳାଇ ସେଠାରେ କିଭଳି ଭାବେ ଶିଳ୍ପ ସ୍ଥାପନ ହେବ ସେଥିପାଇଁ ଇଡ୍‍କୋ କର୍ତ୍ତୃପକ୍ଷ ପଦକ୍ଷେପ ନେଉଥିବା ଜଣାଯାଇଛି ।

ତେବେ ଶିଳ୍ପାଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ଯେଉଁସବୁ ଜମି ଦିଆଯାଇଛି ସେଥିରୁ ଅଧିକାଂଶ ଜମିରେ ଏବେ ଅଣଶିଳ୍ପ ଗଢି ଉଠୁଥିବା ଲକ୍ଷ୍ୟ କରାଯାଉଛି । ବିଶେଷକରି ଭୁବନେଶ୍ୱର ସମେତ କଟକ, ଖୋର୍ଦ୍ଧା, ରାଉରକେଲା ଆଦି ବଡ ବଡ ସହର ନିକଟରେ ଥିବା ଶିଳ୍ପାଞ୍ଚଳରେ ଏବେ ଶିଳ୍ପ ପାଇଁ ଥିବା ଜମିରେ ଗାଡିମୋଟର ସୋରୁମ୍‍, ଶିକ୍ଷାନୁଷ୍ଠାନ, ହଷ୍ଟେଲ, ଗୋଦାମଘର ଏପରିକି ଆବାସିକ ଘରମାନ ଗଢି ଉଠିଲାଣି ।

ନିକଟରେ ଖୋରଧା ଶିଳ୍ପାଞ୍ଚଳରେ ମାଳ ମାଳ ଶିକ୍ଷାନୁଷ୍ଠାନକୁ ନେଇ ବିଧାନସଭାରେ କ୍ଷୋଭ ପ୍ରକାଶ ପାଇବା ସହ ଏଠାରେ କାହିଁକି ଶିଳ୍ପସଂସ୍ଥା ଉଧେଇ ପାରୁନାହିଁ ସେଥିନେଇ ତଦନ୍ତ କରିବାକୁ ଦାବି ହୋଇଥିଲା । ଏପରିକି ଶିଳ୍ପସଂସ୍ଥା ପ୍ରତିଷ୍ଠା ପାଇଁ ଜମି ନେଇଥିବା ଶିଳ୍ପପତିମାନେ ସେଠାରେ ବଡ ବଡ କୋଠା ନିର୍ମାଣ କରି ତାହାକୁ ଗୋଦାମ ଘର କରୁଛନ୍ତି ନହେଲେ ତାହାକୁ ଭଡା ଦେଇ ବ୍ୟାପକ ଅର୍ଥ ରୋଜଗାର କରୁଥିବା ଦର୍ଶାଯାଇଥିଲା ।

ବର୍ତ୍ତମାନ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ସହିତ ଏହା ଜରିଆରେ ନିଯୁକ୍ତି ଯୋଗାଇବାକୁ ଅଗ୍ରାଧିକାର ପ୍ରଦାନ କରୁଥିବାରୁ ଜବରଦଖଲ ହୋଇଥିବା ଜମିଗୁଡିକୁ ଫେରାଇ ଆଣିବା ସହିତ ସେଠାରେ ଶିଳ୍ପପତିମାନଙ୍କୁ ସୁଯୋଗ ଦେବାକୁ ଦାବି ହେଉଛି । ଏଥି ସହିତ ଯେଉଁମାନେ ଶିଳ୍ପ ପାଇଁ ଜମି ନେଇ ସେଠାରେ ଅଣଶିଳ୍ପ ପ୍ରତିଷ୍ଠା କରିଛନ୍ତି ଏବଂ ବନ୍ଦ ହୋଇଥିବା ଶିଳ୍ପକୁ ଚଳାଇ ପାରୁନାହାନ୍ତି ସେମାନଙ୍କ ଠାରୁ ମଧ୍ୟ ତୁରନ୍ତ ଜମି ଫେରସ୍ତ ଆଣିବାକୁ ମତପ୍ରକାଶ ପାଉଛି । (ତଥ୍ୟ)