Home Health ଆଉ ୨୨୩ ଡାକ୍ତରଖାନାରେ ଇ-ହସ୍ପିଟାଲ

ଆଉ ୨୨୩ ଡାକ୍ତରଖାନାରେ ଇ-ହସ୍ପିଟାଲ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବହୁ ଆଙ୍କାକ୍ଷୀତ ଓଡିଶା ଇ-ହସ୍ପିଟାଲ ପରିଚାଳନା ସୂଚନା ବ୍ୟବସ୍ଥା (ଓଇଏଚଏମଆଇଏସ୍‍)କୁ ଆଉ ୨୨୩ଟି ଡାକ୍ତରଖାନାକୁ ସମ୍ପ୍ରସାରିତ କରାଯିବ । ଦୁଇଟି ପର୍ଯ୍ୟାୟରେ ଏହା କରିବାପାଇଁ ସ୍ଥିର ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୧୧୨ଟି ଡାକ୍ତରଖାନାକୁ ଏଥିରେ ସାମିଲ କରିବାକୁ ଯୋଜନା ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୧୧ଟି ଡାକ୍ତରଖାନା ଏଥିରେ ସାମିଲ ହେବେ । ପ୍ରଥମ ପର୍ଯ୍ୟାୟରେ ଖୋରଧା ଓ ଝାରସୁଗୁଡାର ସମସ୍ତ ଡାକ୍ତରଖାନାକୁ ଏଥିରେ ସାମିଲ କରାଯିବ । ଏହି ଦୁଇ ଜିଲ୍ଲାର ୨୧ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ୨୮ ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୬୩ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଇ-ହସ୍ପିଟାଲରେ ସାମିଲ ହେବେ ।

ଅନୁରୂପ ଭାବେ ଦ୍ୱିତୀୟ ପର୍ଯ୍ୟାୟରେ ୩୨ଟି ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଏବଂ ୭୮ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଆମ ହସ୍ପିଟାଲ ଯୋଜନାରେ ଏବଂ ଗୋଷ୍ଠିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏହି ନୂତନ ଇଣ୍ଟରନେଟ୍‍ ଆଧାରିତ ଯୋଜନାରେ ସାମିଲ ହେବେ । ମୋଟାମୋଟି ଭାବେ ଖୋରଧା ଜିଲ୍ଲାର ୨୪ଟି ସହରାଞ୍ଚଳର ସ୍ୱାସ୍ଥ୍ୟ କେନ୍ଦ୍ର, ୪୭ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୧୫ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଝାରସୁଗୁଡା ଜିଲ୍ଲାର ୬ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ୪ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୧୬ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରଥମ ପର୍ଯ୍ୟାୟରେ ଇ-ହସ୍ପିଟାଲ ଯୋଜନାରେ ସାମିଲ ହେବେ ।

ଏହି ଯୋଜନା କାର୍ଯ୍ୟକାରୀ ଲାଗି ସମ୍ପୃକ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକୁ ଫାଇବର ଟୁ ଦି ହୋମ୍‍ (ଏଫ୍‍ଟିଟିଏଚ୍‍) ସଂଯୋଗ ଯୋଗାଇ ଦେବାଲାଗି ରାଜ୍ୟ ସରକାର ଓକାକ୍‍କୁ କହିଛନ୍ତି । ତଦନୁଯାୟୀ ଓକାକ କର୍ତ୍ତୃପକ୍ଷ ଏଥିପାଇଁ ଟେଣ୍ଡର ଜାରି କରିଥିବା ଜଣାଯାଇଛି । ଏହି ଯୋଜନାରେ ଅନଲାଇନ୍‍ ପ୍ଲାଟଫର୍ମ ମାଧ୍ୟମରେ ରୋଗୀଙ୍କ ସୂଚନା ସହିତ ଡାକ୍ତରଖାନାର ପ୍ରଦର୍ଶନ ମଧ୍ୟ ରହିବ । ସ୍ୱୟଂଚାଳିତ ଭାବେ ବିଭିନ୍ନ ପ୍ରକ୍ରିୟାରେ ପଞ୍ଜିକକରଣ, ପ୍ରେସିକ୍ରିପସନର ତଥ୍ୟ, ରୋଗ ନିରୂପଣ ରିପୋର୍ଟ ଆଦିକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନେ ଅନୁଶୀଳନ କରିପାରିବେ । ତେବେ ରୋଗୀମାନେ ସେମାନଙ୍କ ମେଡିକାଲ ରିପୋର୍ଟକୁ ଯେକୌଣସି ସମୟରେ ଓ ଯେକୌଣସି ସ୍ଥାନରେ ଏହି ୱେବପୋର୍ଟାଲ କିମ୍ବା ମୋବାଇଲ ଆପ୍‍ ବ୍ୟବହାର କରି ପାଇପାରିବେ ।

ରାଜ୍ୟବାସୀଙ୍କୁ ଉନ୍ନତ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଣ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୧୮ରେ ଓଇଏଚଏମଆଇଏସ୍‍ର ଶୁଭାରମ୍ଭ ହୋଇଥିଲା । ଏହି ବ୍ୟବସ୍ଥା ଯୋଗୁଁ ନଥିକାର୍ଯ୍ୟ ହ୍ରାସ ପାଇଥିବାବେଳେ ରୋଗ ନିରୂପଣ ରିପୋର୍ଟ, ପ୍ରେସକ୍ରିପସନ୍‍ ତଥ୍ୟ ଏବଂ ଡାକ୍ତରଙ୍କ ପରାମର୍ଶ ଆଦି ଗୋଟିଏ କ୍ଲିକ୍‍ରେ ମିଳିପାରୁଛି । ଏହି ପ୍ରକଳ୍ପ ପ୍ରଥମେ କଟକ ସ୍ଥିତ ଏସ୍‍ଏସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ଓ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସାଳୟ ଏବଂ ଶିଶୁଭବନ ସମେତ ଅନ୍ୟ ମେଡିକାଲ କଲେଜ ଓ ୩୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହୋଇଥିଲା । (ତଥ୍ୟ)