Home Health ଜନ ଔଷଧି କେନ୍ଦ୍ର ଖୋଲିବାରେ ଓଡିଶା ସପ୍ତମ

ଜନ ଔଷଧି କେନ୍ଦ୍ର ଖୋଲିବାରେ ଓଡିଶା ସପ୍ତମ

ଭୁବନେଶ୍ୱର : ଜନ ଔଷଧି କେନ୍ଦ୍ର ଜରିଆରେ ଲୋକଙ୍କୁ ଶସ୍ତାରେ ଔଷଧ ଯୋଗାଣ ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଥିବାବେଳେ ଏଭଳି କେନ୍ଦ୍ର ଖୋଲିବା କ୍ଷେତ୍ରରେ ଓଡିଶା ଦେଶରେ ସପ୍ତମ ସ୍ଥାନରେ ରହିଛି । ଓଡିଶାରେ ବର୍ତ୍ତମାନ ସୁଦ୍ଧା ୩୯୯ଟି ଜନଔଷଧି କେନ୍ଦ୍ର ଖୋଲିଥିବା ଜଣାଯାଇଛି ।

କେନ୍ଦ୍ର ସରକାର ଲୋକଙ୍କ ଔଷଧ ଖର୍ଚ୍ଚ କମାଇବାପାଇଁ ସମଗ୍ର ଦେଶରେ ଅଧିକରୁ ଅଧିକ ସଂଖ୍ୟାରେ ଜନ ଔଷଧି କେନ୍ଦ୍ର ଖୋଲିବା ଉପରେ ଜୋର ଦେଉଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଦେଶରେ ୧୦ହଜାର ଜନ ଔଷଧି କେନ୍ଦ୍ର ଖୋଲିବାକୁ ଲକ୍ଷ୍ୟ ଥିବାବେଳେ ଚଳିତବର୍ଷ ଫେବୃୟାରୀ ଶେଷ ସୁଦ୍ଧା ୯୧୮୨ଟି କେନ୍ଦ୍ର ଖୋଲାଯାଇ ସାରିଲାଣି । ଧାର୍ଯ୍ୟ ସମୟ ପୂର୍ବରୁ ଲକ୍ଷ୍ୟ ପୂରଣ ହେବାନେଇ କର୍ତ୍ତୃପକ୍ଷ ଆଶାବାଦୀ ।

ତେବେ ଜନ ଔଷଧି କେନ୍ଦ୍ର ପ୍ରତିଷ୍ଠା କ୍ଷେତ୍ରରେ ଉତ୍ତରପ୍ରଦେଶର ଆଗରେ ରହିଛି । ଦେଶର ଏହି ବୃହତ୍ତମ ରାଜ୍ୟରେ ୧୩୨୪ଟି ଜନ ଔଷଧି କେନ୍ଦ୍ର ଖୋଲିଥିବାବେଳେ କର୍ଣ୍ଣାଟକରେ ୧୦୫୦ଟି ଖୋଲିଛି । ସେହିଭଳି କେରଳରେ ୯୭୭, ତାମିଲନାଡୁରେ ୮୭୨, ମହାରାଷ୍ଟ୍ରରେ ୬୪୦, ଗୁଜୁରାଟରେ ୫୨୧ ଓ ଓଡିଶାରେ ୩୯୯ଟି ଖୋଲିଛି । ଆମର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ୨୩୭ଟି ଜନ ଔଷଧି କେନ୍ଦ୍ର ଖୋଲିଥିବାବେଳେ ଆନ୍ଧ୍ରପ୍ରଦେଶରେ ୧୪୬ଟି, ଛତିଶଗଡରେ ୨୦୦ଟି ଓ ଝାଡଖଣ୍ଡରେ ୮୪ଟି ଖୋଲିଛି ।

କେନ୍ଦ୍ର ସରକାର ଜନ ଔଷଧି କେନ୍ଦ୍ରରେ ସୁଲଭ ମୂଲ୍ୟରେ ଔଷଧ ଯୋଗାଣ ସହିତ ମହିଳାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏକ ଟଙ୍କା ମୂଲ୍ୟରେ ସାନିଟାରୀ ନାପକିନ୍‍ ଯୋଗାଣ କରୁଛନ୍ତି । ଫେବୃୟାରୀ ଶେଷ ସୁଦ୍ଧା ସମଗ୍ର ଦେଶରେ ୩୫.୨୬ କୋଟି ଶସ୍ତା ନାପ୍‍କିନ୍‍ ବିକ୍ରି ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି ।

ଓଡିଶାର ପ୍ରଥମ ଜନ ଔଷଧି କେନ୍ଦ୍ର ରାଜଧାନୀରେ ଥିବା ରେଡକ୍ରସ ଭବନ ପରିସରରେ ଉଦ୍‍ଘାଟନ ହୋଇଥିଲା । ତତ୍କାଳୀନ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏହାର ଶୁଭାରମ୍ଭ କରିଥିବାବେଳେ ଏହାପରେ ଏହି ଔଷଧ କେନ୍ଦ୍ରର ସଂଖ୍ୟା ବୃଦ୍ଧି ପାଇ ଚାରି ଶହ ନିକଟରେ ପହଞ୍ଚିଛି । ଜନ ଔଷଧି କେନ୍ଦ୍ର ଖୋଲିବା ପ୍ରକ୍ରିୟାକୁ କେନ୍ଦ୍ର ସରକାର ସରଳୀକରଣ କରିବା ସହିତ ଡିଜିଟାଲ ଇଣ୍ଡିଆ ସେବା କେନ୍ଦ୍ରର ହିତାଧିକାରୀଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିବାପରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଜନ ଔଷଧି କେନ୍ଦ୍ରରେ ମିଳୁଥିବା ଔଷଧର ଦାମ୍‍ ଖୋଲା ବଜାରରେ ଉପଲବ୍ଧ ଔଷଧ ମୂଲ୍ୟର ମାତ୍ର ୩୦ ରୁ ୪୦ ପ୍ରତିଶତ ମଧ୍ୟରେ ରହୁଥିବାରୁ ସରକାରୀ ଡାକ୍ତରମାନେ ମଧ୍ୟ ଆବଶ୍ୟକ ସ୍ଥଳେ ଜନ ଔଷଧି କେନ୍ଦ୍ରରେ ମିଳୁଥିବା ଔଷଧ ଚିଠାରେ ଲେଖିବା ସହିତ ରୋଗୀମାନଙ୍କୁ ଏଥିପାଇଁ ପରାମର୍ଶ ଦେଉଛନ୍ତି । ଆଗମୀ ଦିନରେ ରାଜ୍ୟରେ କିଭଳି ଅଧିକରୁ ଅଧିକ ଜନଔଷଧି କେନ୍ଦ୍ର ପ୍ରତିଷ୍ଠା ହୋଇ ଲୋକଙ୍କ ଔଷଧ ଖର୍ଚ୍ଚ ହ୍ରାସ କରାଯିବ ତାହା ଉପରେ ଏବେ ଗୁରୁତ୍ୱ ଦିଆଯାଉଥିବା ଜଣାଯାଇଛି । (ତଥ୍ୟ)