Home Finance ଜନଜାତି କ୍ଷେତ୍ରକୁ କମୁଛି କେନ୍ଦ୍ରୀୟ ଅର୍ଥ

ଜନଜାତି କ୍ଷେତ୍ରକୁ କମୁଛି କେନ୍ଦ୍ରୀୟ ଅର୍ଥ

ଭୁବନେଶ୍ୱର : ଅନୁସୂଚିତ ଜନଜାତିଙ୍କ ପାଇଁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ବର୍ଷକୁ ବର୍ଷ କମିବାରେ ଲାଗିଛି । କେବଳ ଅନୁଦାନ ନୁହେଁ, ବିବାଶ ବାବଦରେ ମିଳୁଥିବା ଅନ୍ୟାନ୍ୟ ଦେୟ ମଧ୍ୟ ହ୍ରାସ ପାଉଛି ।

ସୂଚନା ଅନୁଯାୟୀ ଅନୁସୂଚିତ ଜନଜାତିଙ୍କ ଲାଗି ୨୦୧୯-୨୦ ବର୍ଷରେ କେନ୍ଦ୍ର ସରକାର ଓଡିଶାକୁ ୧୫୧ କୋଟି ୧୦ଲକ୍ଷ ୬୬ ହଜାର ଟଙ୍କା ଯୋଗାଇ ଦେଇଥିବାବେଳେ ୨୦୨୦-୨୧ ବର୍ଷରେ ତାହା ୬୩ କୋଟି ୪ଲକ୍ଷ ୬୨ହଜାର ଟଙ୍କାକୁ ହ୍ରାସ ପାଇଥିଲା । ସେହିଭଳି ୨୦୨୧-୨୨ ବର୍ଷରେ ଏହି ଅନୁଦାନ ପରିମାଣ ୩୨କୋଟି ୨ଲକ୍ଷ ୩୯ହଜାର ଟଙ୍କାକୁ କମିଥିବା ଜଣାଯାଇଛି ।

କେବଳ କେନ୍ଦ୍ରୀୟ ଅନୁଦାନ ନୁହେଁ ଆଦିବାସୀ ଅଞ୍ଚଳଗୁଡିକରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନ ମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା (ପିଏମଏଏଜିୱାଇ)ରେ ମଧ୍ୟ ଅର୍ଥ ପ୍ରଦାନକୁ ହ୍ରାସ କରିଛନ୍ତି । ଏହି ଯୋଜନରେ ୨୦୨୦-୨୧ ବର୍ଷରେ ରାଜ୍ୟକୁ ୯୦ କୋଟି ଟଙ୍କାରୁ ଅଧିକ ଅର୍ଥ ମିଳିଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୨୮କୋଟି ଟଙ୍କାରୁ କମ୍‍ ହୋଇଛି । ତେବେ ଛତିଶଗଡକୁ ଏହି ଯୋଜନାରେ ୨୦୨୧-୨୨ ବର୍ଷରେ ପ୍ରାୟ ୧୫୬ କୋଟି ଟଙ୍କା ମିଳିଥିବାବେଳେ ଝାଡଖଣ୍ଡ ୬୫ କୋଟି ଟଙ୍କାରୁ ଅଧିକ ଅର୍ଥ ପାଇଛି ।

ରାଜ୍ୟଗୁଡିକରେ ଥିବା ଆଦିବାସୀ ଗବେଷଣା କେନ୍ଦ୍ରକୁ କେନ୍ଦ୍ର ସରକାର ସହାୟତା ଲାଗି ଅର୍ଥ ଯୋଗାଣ କରିଥାନ୍ତି । ୨୦୧୯-୨୦ ବର୍ଷରେ ଓଡିଶାକୁ ଏଥିପାଇଁ ୭.୮୦ କୋଟି ଟଙ୍କା ମିଳିଥିବାବେଳେ ୨୦୨୦-୨୧ ବର୍ଷରେ ତାହା ୫.୩ କୋଟି ଟଙ୍କାକୁ ହ୍ରାସ ପାଇଥିଲା । ତେବେ ୨୦୨୧-୨୨ ବର୍ଷରେ ଏ ବାବଦରେ ମିଳିଥିବା ଅର୍ଥ ପରିମାଣ ୬.୪୪ କୋଟି ଟଙ୍କାରୁ ଅଧିକ ରହିଛି ।

ରାଜ୍ୟମାନଙ୍କରେ ଥିବା ବିଲୁପ୍ତପ୍ରାୟ ଆଦିବାସୀ ସମ୍ପ୍ରଦାୟଙ୍କ ବିକାଶ ଲାଗି କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଛନ୍ତି । ଏ ବାବଦରେ ଓଡିଶାକୁ ମିଳୁଥିବା ଅର୍ଥ ପରିମାଣ ବଢିଛି । ୨୦୧୯-୨୦ ବର୍ଷରେ ଏ ବାବଦରେ କେନ୍ଦ୍ର ସରକାର ୯.୭୬ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ୨୦୨୦-୨୧ ବର୍ଷରେ ତାହା ୧୨୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ୨୦୨୧-୨୨ ବର୍ଷରେ ପାଖାପାଖି ୧୨୦ କୋଟି ଟଙ୍କା ଏ ବାବଦରେ ମିଳିଥିବା ଜଣାଯାଇଛି ।

ଅନୁସୂଚିତ ଛାତ୍ରଛାତ୍ରୀମାନଙ୍କୁ ମାଟ୍ରିକ ପୂର୍ବର ଛାତ୍ରବୃତ୍ତି ବାବଦରେ କେନ୍ଦ୍ର ସରକାର ୨୦୧୯-୨୦ ବର୍ଷରେ ୬୧.୫୭ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ୨୦୨୦-୨୧ ବର୍ଷରେ ଏହା ୬୯.୪୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ ୨୦୨୧-୨୨ ବର୍ଷରେ ଏହି ବୃତ୍ତି ଅର୍ଥ ପ୍ରାୟ ୫୨.୩୭ କୋଟି ଟଙ୍କା ଥିଲା । ତେବେ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି କ୍ଷେତ୍ରରେ ଓଡିଶାକୁ ମିଳୁଥିବା ଅର୍ଥ ପରିମାଣ ବୃଦ୍ଧି ପାଇଛି । ୨୦୧୯-୨୦ ବର୍ଷରେ ଏ ବାବଦରେ କେନ୍ଦ୍ରରୁ ୧୬୬.୪୦ କୋଟି ଟଙ୍କା ମିଳିଥିବାବେଳେ ୨୦୨୦-୨୧ ବର୍ଷରେ ତାହା ୧୯୧ କୋଟି ଏବଂ ୨୦୨୧-୨୨ ବର୍ଷରେ ତାହା ୨୧୮ କୋଟି ଟଙ୍କାକୁ ଟପିଯାଇଥିଲା ।

ଆଦିବାସୀ ଅଞ୍ଚଳରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂସ୍ଥାଗୁଡିକୁ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରୁଛନ୍ତି । ୨୦୧୯-୨୦ ବର୍ଷରେ ଏ ବାବଦରେ କେନ୍ଦ୍ର ସରକାର ପ୍ରାୟ ୩୦ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ୨୦୨୦-୨୧ ବର୍ଷରେ ୧୫.୩୬ କୋଟି ଏବଂ ୨୦୨୧-୨୨ ବର୍ଷରେ ୨୪.୨୪ କୋଟି ଟଙ୍କା ଦେଇଥିବା ଜଣାଯାଇଛି । (ତଥ୍ୟ)