Home Election ବରଗଡରେ ୪ଟି ଉପନିର୍ବାଚନ !

ବରଗଡରେ ୪ଟି ଉପନିର୍ବାଚନ !

ଭୁବନେଶ୍ୱର : ପୁଲିସ୍‍ ଗୁଳିରେ ଜଣେ ମନ୍ତ୍ରୀଙ୍କ ଜୀବନ ଯିବା ଓଡିଶାରେ ପ୍ରଥମ ହୋଇଥିବାବେଳେ ଗୋଟିଏ ଲୋକସଭା ଇଲାକାରେ ଚତୁର୍ଥ ଉପନିର୍ବାଚନର ସ୍ଥିତି ଉପୁଯିବା ମଧ୍ୟ ଓଡିଶାରେ ପ୍ରଥମ ବୋଲି କୁହାଯାଉଛି । ଏହି ଲୋକସଭା କ୍ଷେତ୍ରଟି ହେଉଛି ବରଗଡ ।

ବରଗଡ ଲୋକସଭା ଆସନ ଅଧିନରେ ରହିଛି ପଦ୍ମପୁର, ବିଜେପୁର, ବରଗଡ, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡା ବିଧାନସଭା କ୍ଷେତ୍ର । ପୂର୍ବରୁ ବିଜେପୁର, ବ୍ରଜରାଜନଗର, ପଦମପୁର ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିବାବେଳେ ଏବେ ପୁଲିସ୍‍ ଗୁଳିରେ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁପରେ ଝାରସୁଗୁଡା ବିଧାନସଭା ଆସନରେ ଉପନିର୍ବାଚନ ସ୍ଥିତି ଉପୁଜିଛି ।

୨୦୧୯ ନିର୍ବାଚନରେ ବିଜେପୁର ଆସନରୁ ଜିଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ବିଜେପୁର ସହିତ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଆସନରୁ ଏକାସଙ୍ଗେ ଲଢି ଜିଣିଥିଲେ । ଦୁଇଟି ଆସନରୁ ଜିଣିବାପରେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନରୁ ଇସ୍ତଫା ଦେଇଥିବାବେଳେ ସେଠାରେ ଉପନିର୍ବାଚନ ହୋଇଥିଲା ଏବଂ ପୂର୍ବତନ ବିଧାୟିକା ରୀତା ସାହୁ ସେଠାରୁ ବିଧାୟିକା ଭାବେ ର୍ନିବାଚିତ ହୋଇ ବିଧାନସଭାକୁ ଆସିଛନ୍ତି । ଶ୍ରୀମତୀ ସାହୁ ଏବେ ରାଜ୍ୟ ସରକାରରେ ମନ୍ତ୍ରୀ ଅଛନ୍ତି ।

ଏହାପରେ ବ୍ରଜରାଜନଗର ଆସନରେ ହୋଇଥିଲା ଉପନିର୍ବାଚନ । ଏଠାରେ ବିଜେଡି ବିଧାୟକ ଥିବା କିଶୋର ମହାନ୍ତିଙ୍କ ଆକସ୍ମିକ ମୃତ୍ୟୁ ହେବାପରେ ଗତ ବର୍ଷ ମଇ ମାସରେ ଏଠାରେ ଉପନିର୍ବାଚନ ହୋଇଥିଲା । ଏହି ଉପନିର୍ବାଚନରେ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଜିଣି ବିଧାନସଭାକୁ ଆସିଛନ୍ତି ।

ତୃତୀୟ ଉପନିର୍ବାଚନ ନିକଟ ଅତୀତରେ ଅନୁଷ୍ଠିତ ହୋଇଥିଲା ପଦ୍ମପୁର ବିଧାନସଭା ଆସନରେ । ଏଠାରେ ବିଜେଡି ବିଧାୟକ ଥିବା ବିଜୟ ରଞ୍ଜନ ସିଂହ ବରିହାଙ୍କ ଅକାଳ ମୃତ୍ୟୁପରେ ଗତବର୍ଷ ଡିସେମ୍ବର ମାସରେ ଉପନିର୍ବାଚନ ହୋଇଥିଲା । ଏଠାରୁ ବିଜେଡି ପ୍ରାର୍ଥୀଭାବେ ଲଢିଥିଲେ ସ୍ୱର୍ଗତ ବିଧାୟକଙ୍କ ଝିଅ ବର୍ଷା ସିଂହ ବରିହା । ଶ୍ରମତୀ ବରିହା ନିର୍ବାଚନ ଜିଣି ବିଧାନସଭାକୁ ଆସିଛନ୍ତି ।

ପୁଲିସ୍‍ ଗୁଳିରେ ମନ୍ତ୍ରୀ ନବ ଦାସଙ୍କ ଅକାଳ ବିୟୋଗ ପରେ ଏବେ ଝାରସୁଗୁଡା ବିଧାନସଭା ଆସନରେ ଉପନିର୍ବାଚନ ସ୍ଥିତି ସୃଷ୍ଟି ହୋଇଛି । ଯଦି ଏଠାରେ ଉପନିର୍ବାଚନ ହେବ ତେବେ ବରଗଡ ଲୋକସଭା କ୍ଷେତ୍ରରେ ଏହା ହେବ ଚତୁର୍ଥ ଉପନିର୍ବାଚନ ।

ଉଲ୍ଲେଖନୀୟ ଯେ ବରଗଡ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ସାଂସଦ ଭାବେ ନିର୍ବାଚନ ହୋଇଥିବାବେଳେ ସମସ୍ତ ୭ଟି ବିଧାନସଭା ଆସନ କିନ୍ତୁ ବିଜେଡି ଦଖଲରେ ରହିଥିଲା । ତେବେ ସମସ୍ତ ତିନିଟି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିଣିଥିବାବେଳେ ଏବେ ଚତୁର୍ଥ ଉପନିର୍ବାଚନର ସ୍ଥିତି ଉପୁଜିବା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । କାରଣ କୌଣସି ଲୋକସଭା ଆସନ କ୍ଷେତ୍ରରେ ଚାରି ଚାରିଟି ଉପନିର୍ବାଚନ ହେବା ବିରଳ ଓ ଓଡିଶା ପାଇଁ ପ୍ରଥମ । (ତଥ୍ୟ)