Home General ଜଣେ ଶିକ୍ଷକରେ ଜ୍ଞାନ ବଢିବ କେମିତି ?

ଜଣେ ଶିକ୍ଷକରେ ଜ୍ଞାନ ବଢିବ କେମିତି ?

ଭୁବନେଶ୍ୱର : ଓଡିଶାରେ ପାଖାପାଖି ଦେଢ ହଜାର ସରକାରୀ ସ୍କୁଲ ଚଳାଉଛନ୍ତି ମାତ୍ର ଜଣେ କରି ଶିକ୍ଷକ । ବିଭିନ୍ନ ଶ୍ରେଣୀର ପିଲାଙ୍କ ପାଠପଢା ସହିତ ମଧ୍ୟାହ୍ନଭୋଜନ, ପ୍ରଶାସନିକ କାର୍ଯ୍ୟ, ବିଦ୍ୟାଳୟର ଜଗାରଖା ଠାରୁ ଆରମ୍ଭ କରି ଜନଗଣନା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ବି ଏହି ଶିକ୍ଷକମାନଙ୍କୁ କାମ କରିବାକୁ ପଡେ । ଏଭଳି ସ୍ଥିତିରେ ଏଠାରେ ପଢୁଥିବା ପ୍ରାୟ ୬୦ହଜାର ପିଲାଙ୍କ ଜ୍ଞାନ ବର୍ଦ୍ଧନ କିଭଳି ହେଉଥିବ ତାହା ସହଜରେ ଅନୁମେୟ ।

କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ୟୁଡାଏସ୍‍ ରିପୋର୍ଟ ଅନୁଯାୟୀ ଆମ ରାଜ୍ୟର ୧୪୫୮ଟି ସ୍କୁଲରେ ଜଣେ ଲେଖାଁଏ ଶିକ୍ଷକ ଅଛନ୍ତି । ଗତବର୍ଷ ତୁଳନାରେ ଏହି ସଂଖ୍ୟା ଏବର୍ଷ ୩୪ ପ୍ରତିଶତ ବଢିଛି । କେବଳ ପ୍ରାଥମିକ କି ଉଚ୍ଚ ପ୍ରାଥମିକ ନୁହେଁ, ହାଇସ୍କୁଲ ସ୍ତରରେ ମଧ୍ୟ ଅନୁରୂପ ଅବସ୍ଥା । ଏଭଳି ସ୍ଥିତିରେ ପ୍ରବଳ ଚାପ ମଧ୍ୟରେ ରହୁଥିବା ଶିକ୍ଷକମାନେ କେମିତି ପାଠ ପଢାଉଥିବେ ତାହା ସହଜରେ ଅନୁମେୟ । କୌଣସି କାରଣରୁ ଏହି ଶିକ୍ଷକ ଜଣଙ୍କ ଯଦି ଛୁଟିରେ ରୁହନ୍ତି କିମ୍ବା ବିଇଓ କି ଡିଇଓଙ୍କ ଦପ୍ତରକୁ ଯାଆନ୍ତି ଅଥବା ଅନ୍ୟ କୌଣସି ସରକାରୀ କାର୍ଯ୍ୟରେ ନିୟୋଜିତ ହୁଅନ୍ତି ତେବେ ସେଦିନ ସ୍କୁଲ ବନ୍ଦ ରହିବା ନିଶ୍ଚିତ ।

କେବଳ ସେତିକି ନୁହେଁ, ବଖରାଏ ଘରେ ଏକାଧିକ ଶ୍ରେଣୀ ଚାଲୁଥିବା ବିଦ୍ୟାଳୟ ସଂଖ୍ୟା ବି ହଜାରେରୁ ଅଧିକ । ବେସରକାରୀ ତଥ୍ୟ ମୁତାବକ ଅଢେଇ ହଜାରରୁ ଅଧିକ ସ୍କୁଲରେ ପ୍ରତି ଶ୍ରେଣୀ ଲାଗି ବଖରାଏ କରି କୋଠରୀ ନଥିବାରୁ ଏକାଧିକ ଶ୍ରେଣୀର ପିଲା ଗୋଟିଏ ଗୋଟିଏ କୋଠରୀରେ ବସୁଛନ୍ତି । ଏ ପରିପ୍ରେକ୍ଷୀରେ ସମ୍ପୃକ୍ତ ଶିକ୍ଷକ କେଉଁ ଶ୍ରେଣୀର ପିଲାଙ୍କୁ କିଭଳି ପାଠ ପଢାଇବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏମିତିକି ବଖରାଏ ବଖରାଏ ଶ୍ରେଣୀଗୃହରେ ଦୁଇ ତିନିଟି ଶ୍ରେଣୀର ପିଲାଙ୍କୁ ଏକାଧିକ ବ୍ଲାକବୋର୍ଡରେ ଶିକ୍ଷକମାନେ ପଢାଉଥିବା ଦେଖାଯାଉଛି ।

ସରକାରୀ ସ୍କୁଲଗୁଡିକର ଏଭଳି ଦୁରବସ୍ଥା ଥିବାବେଳେ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକର ସମସ୍ୟା କହିଲେ ନସରେ । ୫-ଟି ରୂପାନ୍ତରଣ ନାମରେ ବର୍ଷ ବର୍ଷ ଧରି ବ୍ୟାପକ ପ୍ରଚାର ଚାଲିଥିବାବେଳେ ଏଭଳି ସମସ୍ୟା ଓଡିଶାରେ ଲାଗି ରହିଛି । ତିନି ହଜାରରୁ ଅଧିକ ବିଦ୍ୟାଳୟରେ ପାଚେରୀ ନଥିବାବେଳେ ଏବେ ବି ଅନେକ ବିଦ୍ୟାଳୟରେ ପାଇଖାନା, ପାନୀୟଜଳ ଓ ବିଦ୍ୟୁତ ଯୋଗାଣର ବ୍ୟବସ୍ଥା ନାହିଁ । ସଂସଦରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଉତ୍ତରରୁ ଜଣାପଡିଛି ଯେ ଓଡିଶାରେ ୪୬,୮୦୧ଟି ସରକାରୀ ବିଦ୍ୟାଳୟ ରହିଛି । ଯେଉଁଥିରେ ମୋଟ୍‍ ୧,୯୪,୮୪୦ ବଖରା ଶ୍ରେଣୀଗୃହ ଅଛି ।

ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମିଳୁଥିବା ଖବର ଅନୁଯାୟୀ ସରକାରୀ ବିଦ୍ୟାଳୟର ଶ୍ରେଣୀକକ୍ଷ ଓ ଛାତ୍ରାବାସ କକ୍ଷର ଛାତରୁ କେଉଁଠି ପାଣି ଗଣୁଛି ତ ଆଉ କେଉଁଠି କାନ୍ଥରୁ ବି ପାଣି ଆସୁଛି । ଏଭଳି ସ୍ଥିତିରେ ବିପଦସଙ୍କୁଳ ଅବସ୍ଥାରେ ପିଲାମାନଙ୍କୁ ବିଦ୍ୟାଳୟରେ ରଖାଯାଉଥିବାରୁ ତାହାର ପ୍ରତିକାର ଲାଗି ବିଭିନ୍ନ ସ୍ଥାନରେ ଅଭିଭାବକମାନେ ଦାବି ଉଠାଉଛନ୍ତି ।

ଦୁର୍ବଳ ଭିତ୍ତିଭୂମି ଯୋଗୁଁ ପାଠପଢା ବାଧାପ୍ରାପ୍ତ ହେଉଥିବାବେଳେ ଚଳିତବର୍ଷ ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକଗୁଡିକରେ ବ୍ୟାପକ ତ୍ରୁଟି ବିଚ୍ୟୁତି ଯୋଗୁଁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟରେ ସିଟି, ବିଇଡି, ଏମଇଡି ଯୋଗ୍ୟତାଧାରୀ ଶିକ୍ଷିତ ଯୁବକ ଯୁବତୀ ବେକାର ହୋଇ ବସୁଥିବାବେଳେ ସରକାରୀ ଓ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟଗୁଡିକରେ ହଜାର ହଜାର ଶିକ୍ଷକ ଶିକ୍ଷୟତ୍ରୀ ପଦବୀ ଖାଲି ପଡୁଛି । ଅଗ୍ରାଧିକାର ଭିତ୍ତିରେ ମଞ୍ଜୁରୀପ୍ରାପ୍ତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପଦବୀ ପୂରଣ ସହିତ ପଦୋନ୍ନତି ଭିତ୍ତିରେ ଖାଲି ପଡିଥିବା ପ୍ରଧାନଶିକ୍ଷକ ପଦବୀଗୁଡିକ ପୂରଣ ଲାଗି ମଧ୍ୟ ବିଭିନ୍ନ ମହଲରୁ ଦାବି ଉଠୁଛି । ହାଇସ୍କୁଲ ସ୍ତରରେ ବି କେଉଁଠି କ୍ରୀଡା ଶିକ୍ଷକ ତ ଆଉ କେଉଁଠି ହିନ୍ଦୀ କିମ୍ବା ସଂସ୍କୃତ ଶିକ୍ଷକଙ୍କୁ ବାଧ୍ୟ ବାଧ୍ୟକତାରେ ଗଣିତ, ବିଜ୍ଞାନ, ଇଂରାଜୀ ଆଦି ପାଠ ପଢାଇବାକୁ ପଡୁଛି । (ତଥ୍ୟ)