ଭୁବନେଶ୍ୱର : ଓଡିଶା ଜଙ୍ଗଲରେ ଲାଗୁଥିବା ନିଆଁ ଘଟଣା ଦେଶର ସମସ୍ତ ରାଜ୍ୟଠାରୁ ଆଗରେ ରହିଛି । ସଦ୍ୟତମ ଆକଳନରୁ ଜଣାଯାଇଛି ଯେ ରାଜ୍ୟରେ ଜଙ୍ଗଲ ଅଗ୍ନିକାଣ୍ଡ ଘଟୁଛି ।
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପିରବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍ଏସ୍ଆଇ) ପକ୍ଷରୁ ସଂଗୃହୀତ ତଥ୍ୟ ଅନୁଯାୟୀ ୨୦୨୦ ନଭେମ୍ବରରୁ ୨୦୨୧ ଜୁନ୍ ମଧ୍ୟରେ ଦେଶରେ ୩,୪୫,୯୮୯ଟି ବନାଗ୍ନି ଘଟିଥିବାବେଳେ ଓଡିଶାରେ ଏହି ସଂଖ୍ୟା ୫୧,୯୬୮ । ଏହା ହିଁ ଦେଶରେ ସର୍ବାଧିକ ଘଟଣା ।
ସେହିଭଳି ମଧ୍ୟ ପ୍ରଦେଶ ୪୭,୭୯୫ ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ଏହା ପଛକୁ ଛତିଶଗଡରେ ୩୮,୧୦୬ ଜଙ୍ଗଲ ନିଆଁ ପରିଲକ୍ଷିତ ହୋଇଥିବାବେଳେ ମହରାଷ୍ଟ୍ରରେ ୩୪,୦୨୫, ଝାଡଖଣ୍ଡରେ ୨୧,୭୧୩, ଉତ୍ତରାଖଣ୍ଡରେ ୨୧,୪୮୭, ଆନ୍ଧ୍ରପ୍ରଦେଶରେ ୧୯,୩୨୮, ତେଲେଙ୍ଗାନାରେ ୧୮,୨୩୭, ମିଜୋରାମରେ ୧୨,୮୪୬, ଆସାମରେ ୧୦,୭୧୮ ଏବଂ ମଣିପୁରରେ ୧୦,୪୫୭ ଜଙ୍ଗଲ ନିଆଁ ଘଟିଥିବା ମନ୍ତ୍ରୀ କହିଛନ୍ତି ।
ପ୍ରତିବର୍ଷ ନଭେମ୍ବରରୁ ମଇମାସ ମଧ୍ୟରେ ଦେଶରେ ଜଙ୍ଗଲ ଅଗ୍ନିକାଣ୍ଡ ସଂଖ୍ୟା ବଢିବାରେ ଲଗିଛି । ଏହି ସମୟରେ ଜଙ୍ଗଲରେ ନିଆଁ ଧରୁଥିବା ସାମଗ୍ରୀ ଯଥା ଶୁଖିଲା କାଠ, ପତ୍ର, କାଠି ଆଦି ପଡିବା ଦ୍ୱାରା ଅଗ୍ନିକାଣ୍ଡ ଘଟୁଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅଧିକାଂଶ ଜଙ୍ଗଲ ନିଆଁ ସ୍ଥଳଭାଗରେ ପରିଲକ୍ଷିତ ହୋଇଥାଏ ଏବଂ ଏହାଦ୍ୱାରା ସବୁଜିମା ନଷ୍ଟ ହୋଇଥାଏ । ଏଫ୍ସିଆଇ ପକ୍ଷରୁ ପଞ୍ଜିକୃତ ବ୍ୟକ୍ତିଙ୍କ ନିକଟକରୁ ଜଙ୍ଗଲ ନିଆଁ ସଂକ୍ରାନ୍ତରେ ସତର୍କ ସୂଚନା ପଠାଯାଇଥାଏ ।
ମନ୍ତ୍ରାଳୟ ଓ ବିଶ୍ୱ ବ୍ୟାଙ୍କ୍ର ମିଳିତ ସହାୟତାରେ ଭାରତୀୟ ଜଙ୍ଗଲରେ ଅଗ୍ନିକାଣ୍ଡ ପରିଚାଳନା ଶୀର୍ଷକ ଏକ ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ ହୋଇଥିଲା ଯେଉଁଥିରେ ଅଗ୍ନିକାଣ୍ଡ ରୋକିବାପାଇଁ ଅନେକଗୁଡିକ ସୁପାରିଶ୍ କରାଯାଇଥିଲା । ଏଥି ମଧ୍ୟରେ ଅଗ୍ନିକାଣ୍ଡ ଘଟିବା ପୂର୍ବରୁ ସତର୍କତା ସହିତ ସ୍ଥାନୀୟ ଗୋଷ୍ଠିଗୁଡିକୁ ଏଥିରେ ସାମିଲ ଆଦି ରହିଥିଲା । ରିପୋର୍ଟରେ ହୋଇଥିବା ଆକଳନ ଅନୁଯାୟୀ ଜଙ୍ଗଲ ଅଗ୍ନିକାଣ୍ଡ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ୬.୩୪ ନିୟୁତ ଟନ୍ରୁ ୧୨୩.୮୪ ନିୟୁତ ଟନ୍କୁ ବୃଦ୍ଧି ପାଉଛି ।
ଜଙ୍ଗଲରେ ଲାଗୁଥିବା ନିଆଁକୁ ପ୍ରତିହତ କରିବାର ପ୍ରାଥମିକ ଦାୟିତ୍ୱ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର । ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିଆଁକୁ ଆୟତ କରିବାପାଇଁ ଆର୍ଥିକ ସହାୟତା ସହିତ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ବିଭିନ୍ନ ପ୍ରକାର ସାଜ ସରଞ୍ଜାମ ଯୋଗାଇ ଦିଆଯାଇଥାଏ । ୨୦୧୮-୧୯ ରୁ ୨୦୨୦-୨୧ ମଧ୍ୟରେ ଏହି ଯୋଜନାରେ ରାଜ୍ୟକୁ ୧୨୫ କୋଟି ଟଙ୍କାର ସହାୟତା ଯୋଗାଯାଇଛି ।
ଏଫ୍ଏସ୍ଆଇ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସତର୍କ ସୂଚନା ପାଉଥିବା ପଞ୍ଜିକୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧିପାଇଁ କୁହାଯିବା ପରେ ଏବେ ଏହି ସଂଖ୍ୟା ୧.୩୦ଲକ୍ଷରେ ପହଞ୍ଚିଛି । ସେହିଭଳି ଏଫ୍ଏସ୍ଆଇ ମଧ୍ୟରେ ସାପ୍ତହିକ ଭାବେ ରାଜ୍ୟ ଗୁଡିକୁ ପ୍ରାରମ୍ଭିକ ସତର୍କ ସୂଚନା ଦେଉଛନ୍ତି । ଏଥି ସହିତ ଜଙ୍ଗଲ ନିଆଁକୁ ପ୍ରତିହତ ଲାଗି କେନ୍ଦ୍ର ସରକାର ଜାତୀୟ ସ୍ତରରେ ଏକ କମିଟି ଗଠନ କରିଛନ୍ତି । ଏହି କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଙ୍ଗଲ ନିଆଁ ପ୍ରଶମନ ପାଇଁ ରାଜ୍ୟସ୍ତରୀୟ ମନିଟରିଂ କମିଟି ଗଠନ ସହିତ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଲାଗି ପରାମର୍ଶ ପ୍ରଦାନ କରିଥାନ୍ତି । (ତଥ୍ୟ)