Home General ଜଗତ୍‍ସିଂହପୁରରେ ବ୍ୟାପୁଛି ଅନଲାଇନ୍‍ ଗେମ୍‍

ଜଗତ୍‍ସିଂହପୁରରେ ବ୍ୟାପୁଛି ଅନଲାଇନ୍‍ ଗେମ୍‍

ଭୁବନେଶ୍ୱର : ଗାଁ ଗହଳରେ ଏବେ ଯୁବଗୋଷ୍ଠି କିମି ଅନଲାଇନ୍‍ ଖେଳ ମାୟାରେ ବାୟା ହୋଇଛନ୍ତି । ଏହି ଖେଳ ଜରିଆରେ କିଛି ଯୁବକ ଅର୍ଥ ରୋଜଗାର କରୁଥିବେଳେ ସାଇବର ପୁଲିସ୍‍ ନଜର ଓ ବ୍ୟାଙ୍କ୍‍ ନଜରରୁ ବଞ୍ଚିବାପାଇଁ ବେନାମୀ ଆକାଉଣ୍ଟ ଜରିଆରେ ଖେଳ ଚଳାଇଛନ୍ତି ।

ଜଗତ୍‍ସିଂହପୁର ଜିଲ୍ଲାର ଗାଁ ଗହଳରେ ଏବେ ଖେଳ ତାହାର କାୟା ବିସ୍ତାର କରିଛି । ଏହି ବେଆଇନ୍‍ ଖେଳ ଖେଳିବାପାଇଁ ବ୍ୟାଙ୍କ୍‍ ଆକାଉଣ୍ଟ ନିହାତି ଆବଶ୍ୟକ ହେଉଥିବାବେଳେ ଏଥିପାଇଁ ଛୋଟ ଛୋଟ ପିଲାମାନେ ନିଜ ନିଜ ଅଭିଭାବକଙ୍କ ବ୍ୟାଙ୍କ୍‍ ଆକାଉଣ୍ଟ ନଚେତ ସେମାନେ ନିଜେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଖେଳିବାରେ ଲାଗିଛନ୍ତି ।

ଏହି ଖେଳ ଜରିଆରେ କିଛି ଯୁବକ ଅର୍ଥ ରୋଜଗାର କରୁଥିବାର ପ୍ରଚାର ହୋଇଯିବାପରେ ଶହ ଶହ ଯୁବକ ଯୁବତୀ ଏବେ କିମି ଖେଳ ମାୟାରେ ବାୟା ହୋଇଛନ୍ତି । କେତେକ ଯୁବକ ପାଠପଢା ଛାଡି ଏଥିରେ ମାତିଥିବା ଲକ୍ଷ୍ୟ କରାଯାଉଛି । ତେବେ ସବୁଠାରୁ ବଡକଥା ହୋଇଛି ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଏହି ଖେଳ କିଛିଦିନ ହେବାପରେ ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ତାହା ଉପରେ କଟକଣା ଲଗାଇ ଦେଉଛନ୍ତି । ଫଳରେ ଯୁବଗୋଷ୍ଠି ଏକାଧିକ ନୂଆ ନୂଆ ବ୍ୟାଙ୍କ୍‍ ଆକାଉଣ୍ଟ ନିଜ ନାମରେ ଓ ଅନ୍ୟନାମରେ ଖୋଲିବାରେ ଲାଗିଛନ୍ତି ।

ଜିଲ୍ଲାର ଗାଁ ଗହଳରେ ଚାଲିଥିବା ଏହି ବେଆଇନ୍‍ ଅନଲାଇନ୍‍ ଖେଳ ଉପରେ ସାଇବର ପୁଲିସ୍‍ କିମ୍ବା ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ସେଭଳି ନଜର ଦେଉନଥିବାରୁ କ୍ରମେ ଏହା ବ୍ୟାପିବାରେ ଲାଗିଛି । କିଛି ଯୁବକ ଏଥିଯୋଗୁଁ ସର୍ବସ୍ୱାନ୍ତ ହେଉଥିବାବେଳେ ଆଉ କିଛି ଧାର ଉଧାର କରି ଏହି ଖେଳରେ ମାତିଛନ୍ତି ।

ତେବେ ଭାରତୀୟ ଷ୍ଟେଟବ୍ୟାଙ୍କ୍‍ କର୍ତ୍ତୃପକ୍ଷ ଏ କ୍ଷେତ୍ରରେ ଶକ୍ତ ପଦକ୍ଷେପ ଗ୍ରହଣ କରିବାପରେ ଅନେକ ବ୍ୟାଙ୍କ୍‍ ଆକାଉଣ୍ଟ ଏବେ ସାମୟିକ ଭାବେ ଅଚଳ ହେବାରେ ଲାଗିଛି । କେବଳ ଯେଉଁ ଏସ୍‍ବିଆଇ ଆକାଉଣ୍ଟରେ ଖେଳ ହେଉଛି ତାହା ନୁହେଁ, ଯେଉଁମାନେ ଅନଲାଇନ୍‍ ଗେମ୍‍ ଅର୍ଥକୁ ନିଜ ନିଜ ସମ୍ପର୍କୀୟଙ୍କ ଷ୍ଟେଟବ୍ୟାଙ୍କ୍‍ ଆକାଉଣ୍ଟକୁ ପଠାଉଛନ୍ତି ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ମଧ୍ୟ ସେହିସବୁ ଆକାଉଣ୍ଟକୁ ସାମିୟିକ ଭାବେ ଅଚଳ କରୁଛନ୍ତି । ଏଥିଯୋଗୁଁ ଗାଁ ଗହଳର ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସବୁଠାରୁ ବଡ କଥା ହେଲା ଏହି ଗେମ୍‍ ଜରିଆରେ ବ୍ୟାପକ ହାୱଲା କାରବାର ହେଉଥିବା ମଧ୍ୟ ଆଲୋଚନା ହେଉଛି । କଳାଟଙ୍କାକୁ ଏହି ଗେମ୍‍ ଜରିଆରେ ଧଳା କରାଯିବା ସହିତ ଖେଳ ନାଁରେ ଯେଉଁମାନେ ଏହାକୁ ବଦଳାଇ ଦେଉଛନ୍ତି ସେମାନଙ୍କୁ ମୋଟା ଅଙ୍କର କମିଶନି ଦିଆଯାଉଛି । ଏହି ଖେଳକୁ ବେଆଇନ୍‍ ତାଲିକାଭୁକ୍ତ କରାଯାଇଥିଲେ ବି ଅର୍ଥ ଲୋଭରେ ଜିଲ୍ଲାର ବହୁ ଯୁବକ ଏବେ ଏହାକୁ ଖେଳିବାରେ ଲାଗିଛନ୍ତି ।

ତେଣୁ ସାଇବର ପୁଲିସ୍‍ ସହିତ ଜିଲ୍ଲା ପୁଲିସ୍‍ ଏବଂ ସ୍ଥାନୀୟ ବ୍ୟାଙ୍କ୍‍ଗୁଡିକ ଏହା ଉପରେ କଡା ନଜର ରଖିବାପାଇଁ ମତପ୍ରକାଶ ପାଉଛି । ଏହାକୁ ତୁରନ୍ତ ରୋକାନଗଲେ ଶହ ଶହ ଯୁବକ ଏଥିଯୋଗୁଁ ଋଣଯନ୍ତାରେ ପଡିବା ସହିତ ସର୍ବସ୍ୱାନ୍ତ ହୋଇଯିବେ ବୋଲି ଆଶଙ୍କା କରାଯାଉଛି । (ତଥ୍ୟ)