ଭୁବନେଶ୍ୱର : ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସଏମଇ) ପ୍ରତିଷ୍ଠାପାଇଁ ଯେତିକି ଆବେଦନ ହେଉଛି ତାହାର ମାତ୍ର ଏକ ଚତୁର୍ଥାଂଶକୁ ଋଣ ମିଳୁଛି । ବ୍ୟାଙ୍କ୍ମାନେ ଏଭଳି ଛୋଟ ଛୋଟ ଉଦ୍ୟୋଗୀଙ୍କୁ ଋଣ ଦେବାକୁ କୁନ୍ଥୁ କୁନ୍ଥୁ ହେଉଥିବାରୁ ଏ କ୍ଷେତ୍ରରେ ଆଶାନୁରୂପ ନିବେଶ କିମ୍ବା ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁ ନାହିଁ ।
ଏହି କ୍ଷେତ୍ରକୁ କିଭଳି ଋଣ ପ୍ରଦାନରେ ଅବହେଳା କରାଯାଉଛି ତାହା ୨୦୨୧-୨୨ ବର୍ଷର ଏମଏସଏମଇ ଋଣପ୍ରଦାନର ହାରକୁ ଦେଖିଲେ ଜଣାପଡୁଛି । ଏହି ବର୍ଷ ଏମଏସଏମଇରେ ଋଣ ପାଇବାପାଇଁ ରାଜ୍ୟରେ ମୋଟ୍ ୧୯,୬୮୬ଟି ଆବେଦନ ପଡିଥିଲା । ଏଥିରୁ ୧୯,୦୬୦ଟିକୁ ଆରଆଇସି ଓ ଡିଆଇସି ପକ୍ଷରୁ ବ୍ୟାଙ୍କ୍ମାନଙ୍କୁ ପଠାଯାଇଥିଲା ।
ହେଲେ ଋଣ ମିଳିଲା ମାତ୍ର ୫୦୬୬ଟି ଆବେଦନକୁ । ଅର୍ଥାତ ଆବେଦନର ପ୍ରାୟ ଏକ ଚତୁର୍ଥାଂଶ । ମାଲକାନଗିରି ଜିଲ୍ଲାରେ ୩୧୪ଟି ଉଦ୍ୟୋଗ ପାଇଁ ଆବେଦନ ପଡିଥିବାବେଳେ ଏଥିରୁ ୨୯୧ଟିକୁ ଋଣ ପ୍ରଦାନ ପାଇଁ ସୁପାରିଶ୍ କରାଯାଇଥିଲା । ହେଲେ ଋଣ ମିଳିଥିଲା ମାତ୍ର ୬୭ଟିକୁ । ସେହିଭଳି ନବରଙ୍ଗପୁର ଜିଲ୍ଲାରେ ୩୧୫ଟି ପାଇଁ ସୁପାରିଶ୍ ହୋଇଥିବାବେଳେ ୭୦ଟିକୁ ବ୍ୟାଙ୍କ୍ମାନେ ଋଣପ୍ରଦାନ କରିଥିଲେ । ବୌଦ୍ଦ ଜିଲ୍ଲାରେ ୨୩୦ ସୁପାରିଶ୍କୁ ମାତ୍ର ୪୩ଟିକୁ ଋଣ ପ୍ରଦାନ କରାଯାଇଥିଲା ।
ଏହିବର୍ଷ ୩୩୦ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିବାବେଳେ ପାଖପାଖି ୩୧ହଜାର ଲୋକଙ୍କୁ କର୍ମସଂସ୍ଥାନ ମିଳିଥିବା ସରକାରୀ ଭାବେ କୁହାଯାଉଛି । ତେବେ ଯଦି ସମସ୍ତ ସୁପାରିଶ୍ ସପକ୍ଷରେ ଋଣ ପ୍ରଦାନ ହୋଇଥାନ୍ତା ତେବେ ରାଜ୍ୟରେ କେବଳ ଏହିବର୍ଷ ଏମଏସଏମଇରେ ଲକ୍ଷାଧିକ ଲୋକ କାମ ପାଇଥାନ୍ତେ । କିନ୍ତୁ ବ୍ୟାଙ୍କ୍ମାନଙ୍କ ଅନାଗ୍ରହ ଯୋଗୁଁ ତାହା ହୋଇପାରିଲା ନାହିଁ ।
ଉଲ୍ଲେଖନୀୟ ଯେ ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟୋଗୀ ମନସ୍କଙ୍କୁ ବ୍ୟାଙ୍କ୍ମାନେ ଋଣ ଦେଉନଥିବା ନେଇ ପ୍ରତିଥର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ସରକାର ଅସନ୍ତୋଷ ପ୍ରକଟ କରିବା ସହିତ ବ୍ୟାଙ୍କ୍ଗୁଡିକୁ ତାଗିଦା କରୁଛନ୍ତି । ହେଲେ ଏଥିରୁ ସେଭଳି ସୁଫଳ ମିଳୁନାହିଁ । ବ୍ୟାଙ୍କ୍ମାନେ ଘର ଓ ଗାଡି ଋଣ ଦେବାକୁ ଯେତେ ଆଗ୍ରହ ପ୍ରକାଶ କରୁଛନ୍ତି ଛୋଟ ଛୋଟ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସେଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି ।
ଗୋଟିଏ ଗୋଟିଏ ଜିଲ୍ଲାରେ କିଭଳି ଛୋଟ ଛୋଟ ଉଦ୍ୟୋଗକୁ ସ୍ୱଳ୍ପ ପରିମାଣର ଋଣ ମିଳୁଛି ତାହାର ଆଉ ଗୋଟିଏ ଉଦାହରଣ ହେଉଛି ଖଣି ବହୁଳ କେନ୍ଦୁଝର ଜିଲ୍ଲା । ଏହି ଜିଲ୍ଲାରେ ଗତ ୧୫ବର୍ଷ ମଧ୍ୟରେ ପିଏମ୍ଇଜିପି ଯୋଜନାରେ ମାତ୍ର ୨୯୦ ଜଣଙ୍କୁ ଋଣ ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ମାତ୍ର ୭୮ । ଏହି ସମୟରେ ପିଏମ୍ଇଜିପି ମାଧ୍ୟମରେ ଜିଲ୍ଲାରେ ମାତ୍ର ୨୩୨୦ ଜଣଙ୍କୁ କର୍ମନିଯୁକ୍ତି ମିଳିପାରିଛି । (ତଥ୍ୟ)