Home Industry ଜଗତସିଂହପୁର ପାଇଁ ଶିଳ୍ପ ଯୋଜନା

ଜଗତସିଂହପୁର ପାଇଁ ଶିଳ୍ପ ଯୋଜନା

ଭୁବନେଶ୍ୱର : ସବୁଠାରୁ ବେଶି ପୁଞ୍ଜି ନିବେଶ ହେଉଥିବା ଜଗତ୍‍ସିଂହପୁର ଜିଲ୍ଲାରେ ପ୍ରଥମଥର ପାଇଁ ବାର୍ଷିକ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିରେ ଉଭୟ କ୍ଷୁଦ୍ର, ମଧ୍ୟମ ଓ ବୃହତ୍‍ ଶିଳ୍ପମାନଙ୍କୁ ଯେଭଳି ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଇ ପାରିବ ସେଥିପାଇଁ ବ୍ୟବସ୍ଥା ହୋଇଛି ।

ପାଖାପାଖି ଲକ୍ଷେ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପାଇଁ ଶିଳ୍ପପତିମାନେ ଜଗତସିଂହପୁର ଜିଲ୍ଲାକୁ ଆଖିଆଗରେ ରଖିଥିବାବେଳେ ରାଜ୍ୟ ସରକାର ଏହି ଜିଲ୍ଲାରେ ପ୍ରାୟ ସାଢେ ତିନି ହଜାର ଏକର ଜମି ଶିଳ୍ପସଂସ୍ଥାମାନଙ୍କ ପାଇଁ ଚିହ୍ନଟ କରିଛନ୍ତି ।

ଉପକୂଳବର୍ତ୍ତୀ ଜଗତସିଂହପୁର ଜିଲ୍ଲାରେ ବର୍ତ୍ତମାନ ୧୦ଟି ବୃହତ୍‍ ଶିଳ୍ପସଂସ୍ଥା ଥିବାବେଳେ ବୃହତ୍ତମ ବନ୍ଦର ଓ ହଜାରେରୁ ଅଧିକ ମଧ୍ୟମ ଓ କ୍ଷୁଦ୍ରଶିଳ୍ପ ଥିବା ଏହି ଜିଲ୍ଲାରେ ସର୍ବବୃହତ୍‍ ଭୂମି ବ୍ୟାଙ୍କ୍‍ ଏଠାରେ ଚିହ୍ନଟ କରାଯାଇଛି । ଜେଏସ୍‍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‍ ଏକ ୧୨ ନିୟୁତ ଟନ୍‍ ଇସ୍ପାତ ପ୍ରକଳ୍ପ ୫୦ହଜାର କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା କରୁଥିବାବେଳେ ଆର୍ସେଲର ମିତ୍ତଲ ପକ୍ଷରୁ ୭ନିୟୁତ ଟନ୍‍ କ୍ଷମତା ବିଶିଷ୍ଟ ଇସ୍ପାତ ପ୍ରକଳ୍ପ ପାଇଁ ପ୍ରାୟ ୩୮ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେଉଛି ।

ସେହିଭଳି ନୁମାଲିଗଡ ରିଫାଇନାରୀ ପକ୍ଷରୁ ୧୨୦୦ କୋଟି ଟଙ୍କା ବ୍ୟୟରେ ତୈଳ ଆମଦାନୀ ପ୍ରକଳ୍ପ ପ୍ରତିଷ୍ଠା ହେଉଛି । ୧୬୩୦ କିଲୋମିଟର ଲମ୍ବ ଏହି ତୈଳ ପାଇପ୍‍ଲାଇନ୍‍ ପାରାଦୀପ୍‍ ଠାରୁ ଆସାମର ନୁମାଲିଗଡ ପର୍ଯ୍ୟନ୍ତ ବିଛାଯିବ । ଏହିସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲ୍ଲା ସକାଶେ ବାର୍ଷିକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛନ୍ତି । ଉପରୋକ୍ତ ଶିଳ୍ପସଂସ୍ଥା ବ୍ୟତିତ ପାରାଦୀପ୍‍ ବନ୍ଦର ତାହାର ମାଲପରିବହନ କ୍ଷମତାକୁ ୨ଗୁଣ ବୃଦ୍ଧି କରିବା ସଂଗେ ସଂଗେ ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋରସାୟନ ପୁଞ୍ଜି ବିନିଯୋଗ ଇଲାକାରେ ବିପୁଳ ପୁଞ୍ଜି ବିନିଯୋଗର ସମ୍ଭାବନା ରହିଛି ।

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କିଭଳି ସମନ୍ୱିତ ପଦକ୍ଷେପ ଗ୍ରହଣ କରିବ ସେଥିପାଇଁ ଏଭଳି ୧୨ମାସିଆ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନାକୁ ସୂଚାରୁ ଭାବେ କାର୍ଯ୍ୟକାରୀ କରିବାପାଇଁ ଜିଲ୍ଲା ସ୍ତରୀୟ ପୁଞ୍ଜି ବିନିଯୋଗ ପ୍ରୋତ୍ସାହନ ସଂସ୍ଥା କାର୍ଯ୍ୟ କରିବ । ପ୍ରଥମଥର ପାଇଁ କୌଣସି ଜିଲ୍ଲାରେ ଏଭଳି ଶିଳ୍ପ ସଂକ୍ରାନ୍ତୀୟ ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି । ଜିଲ୍ଲା ପ୍ରଶାସନ ଓ ଶିଳ୍ପ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବାର ସୂଚନା ମିଳିଛି । (ତଥ୍ୟ)