Home Judiciary ଛିଡ଼ୁନି ମଦ ମୃତ୍ୟୁ ଦୁର୍ଘଟଣା ମାମଲା

ଛିଡ଼ୁନି ମଦ ମୃତ୍ୟୁ ଦୁର୍ଘଟଣା ମାମଲା

ଭୁବନେଶ୍ୱର : ୧୯୯୨ର କଟକ ମଦ ମୃତ୍ୟୁ ଦୁର୍ଘଟଣାର ୩୨ ବର୍ଷ ପୂରଣ ହୋଇଥିଲେ ବି ସହସ୍ରାଧିକ ପରିବାରକୁ ଉଜାଡ଼ିଥିବା ଏହି ମାନବକୃତ ଗଣହତ୍ୟା ମାମଲାର ଚୂଡ଼ାନ୍ତ ବିଚାର ଏଯାବତ୍‍ ଶେଷ ହୋଇନାହିଁ । ଅନ୍ୟପକ୍ଷରେ ନିଶା ଜନିତ ଦୁର୍ଘଟଣା ଓ ଅପରାଧରୁ ସମାଜ ଓ ସରକାର କିଛି ସକାରାତ୍ମକ ଶିକ୍ଷା କରୁ ନ ଥିବାରୁ ରାଜ୍ୟରେ ନିଶାଡ଼ିଙ୍କ ଦୌରାତ୍ମ୍ୟ ବଢ଼ିବଢ଼ି ଚାଲିିଛି । ଏମିତିକି ନିଶା ସହ ପ୍ରତ୍ୟେକ୍ଷ ଓ ପରୋକ୍ଷଭାବେ ଜଡ଼ିତ କେତେକ ବ୍ୟକ୍ତିଙ୍କୁ ମଧ୍ୟ ଚଳିତ ନିର୍ବାଚନରେ ବିଭିନ୍ନ ଦଳ ପ୍ରାର୍ଥୀ କରିଛନ୍ତି ।

୧୯୯୨ ମଇ ୭ ତାରିଖରେ କଟକ ମଦ ମୃତ୍ୟୁ ଦୁର୍ଘଟଣା ଘଟିଥିଲା । ସେ ସମୟରେ ଜନଆନ୍ଦୋଳନର ଚାପରେ ରାଜ୍ୟ ସରକାର ଦେଶୀ ମଦ ପ୍ରଚଳନ ବନ୍ଦ କରିବା ସହ କେତେକ ଜିଲ୍ଲାରେ ମହୁଲି ମଦ କାରବାର ଉପରେ ବି କଟକଣା ଲଗାଇଥିଲେ । ଏମିତିକି କଟକରେ ୬ ମାସ ଧରି ବିଦେଶୀ ମଦ ଦୋକାନ ସବୁ ବି ବନ୍ଦ କରି ଦିଆଯାଇଥିଲା । ଏହି ମର୍ମନ୍ତୁଦ ମଦ ଦୁର୍ଘଟଣାରେ ପ୍ରଶାସନିକ ତଦନ୍ତ କରି ସେତେବେଳର କେନ୍ଦ୍ରାଞ୍ଚଳ ଆରଡିସି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ, ଥାନା, ଫାଣ୍ଡି ଠାରୁ ସରକାର ଚଳାଉଥିବା ବ୍ୟକ୍ତି ବିଶେଷ ଚୋରା ମଦ ବେପାରୀଠାରୁ ନିୟମିତ ଚାନ୍ଦା ନେଉଛନ୍ତି ବୋଲି । ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମ୍‍ବ୍ରାଞ୍ଚ ଅଧିକାରୀ ଉଲ୍ଲେଖ କରିଥିଲେ ଯେ, ଖାକି ପୋଷାକ ପରିହିତ କିଛି ଅବକାରୀ ଓ ପୋଲିସ୍‍ କର୍ମଚାରୀ ଚୋରା ମଦ ବେପାରରେ ପୋଷା କୁକୁର ଭଳି କାମ କରୁଥିବାରୁ ସେ ଏମାନଙ୍କ ଉପସ୍ଥିତି ଅନୁଭବ କରିପାରୁ ନ ଥିଲା ।

ବିଧାନସଭାର ପ୍ରସ୍ତାବ କ୍ରମେ ଏହି ଦୁର୍ଘଟଣାର ତଦନ୍ତ ଭାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ବାଳକୃଷ୍ଣ ବେହେରାଙ୍କୁ ଦିଆଯାଇଥିଲା । ବେହେରା କମିଶନ ତାଙ୍କ ରିପୋର୍ଟରେ ଚୋରା ମଦ ବେପାରିକୁ କେତେକ ରାଜନେତା ସହାୟତା ଓ ପୃଷ୍ଠପୋଷକତା ଦେଉଥିବା ଉଲ୍ଲେଖ କରି ଏହା ରାଜନୀତିର ଅପରାଧିକରଣ ଓ ଅପରାଧର ରାଜନୀତିକରଣ ବୋଲି ମନ୍ତବ୍ୟ ଦେବାସହ କେତେକ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଥିଲେ ।

କଟକ ସମେତ ସାରା ରାଜ୍ୟରେ ସେତେବେଳେ ଏହି ଭୟଙ୍କର ମଦ ଦୁର୍ଘଟଣାକୁ ନେଇ ସୃଷ୍ଟି ହୋଇଥିବା ଗଣଆଆନ୍ଦୋଳନରେ ବହୁ ସ୍ୱାଧୀନତା ସଂଗ୍ରାମୀ, ରଚନାତ୍ମକ କର୍ମୀ ଓ ଦଳମତ ନିର୍ବିଶେଷରେ ବହୁ ନେତା ସାମିଲ ହୋଇଥିଲେ । ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ଯେଉଁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ ଏବଂ ଏହା ବିରୋଧରେ ସୁପ୍ରିମ୍‍କୋର୍ଟ ଯାଇ ସରକାର ନିରାଶ ହୋଇଥିଲେ । ସେତେବେଳର ଗାନ୍ଧୀ ସ୍ମାରକନିଧିର ସମ୍ପାଦକ ପ୍ରହଲ୍ଲାଦ କୁମାର ସିଂହ ହାଇକୋର୍ଟ, ସୁପ୍ରିମ୍‍କୋର୍ଟ ଓ ବେହେରା କମିଶନରେ ବହୁ ତଥ୍ୟ ଉପସ୍ଥାପନ କରିଥିଲେ ।

୧୯୯୦ ବେଳକୁ ଓଡ଼ିଶାର ଅବକାରୀ ରାଜସ୍ୱ ପ୍ରାୟ ୩୬ କୋଟି ଟଙ୍କାରେ ସୀମିତ ଥିବାବେଳେ ୨୦୦୦ ବେଳକୁ ଏହା ୧୩୫ କୋଟି ୩୫ ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ୨୦୨୧-୨୨ ବେଳକୁ ଅବକାରୀ ରାଜସ୍ୱ ୫୫୨୮ କୋଟି ଟଙ୍କା ଟପିଥିବା ବେଳେ ଏବେ ତାହା ୭ ହଜାର କୋଟି ଟଙ୍କା ଆଡ଼କୁ ମୁହାଁଇଛି ବୋଲି ଶ୍ରୀ ସିଂହ କହିଛନ୍ତି । କେବଳ ସେତିକି ନୁହେଁ ରାଜ୍ୟରେ ମଦ ସମେତ ଅନ୍ୟାନ୍ୟ ନିଶା କାରବାର ବଢ଼ିବା ଯୋଗୁ ଅପରାଧ, ଦୁର୍ଘଟଣା, ଦାରିଦ୍ର‌୍ୟ ଓ ଅନଗ୍ରସରତା ବଢ଼ୁଛି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଏହା ବାଧକ ସାଜୁଛି । ବିଶେଷ କରି ଓଡ଼ିଶା ସମେତ ସାରା ଦେଶରେ ମହିଳାଙ୍କ ପ୍ରତି ବଢ଼ୁଥିବା ଅପରାଧ ଓ ଯୁବ ସମାଜ ମଧ୍ୟରେ ବଢ଼ୁଥିବା ଅପରାଧ ପ୍ରବଣତା ପାଇଁ ନିଶା ପ୍ରସାର ଦାୟୀ ।

୧୯୫୬ର ନିଶା ନିବାରଣ ଆଇନ ସରକାର କାର୍ଯ୍ୟକାରୀ କରୁ ନାହାଁନ୍ତି କି ୨୦୦୮ର ଅବକାରୀ ଆଇନରେ ଉଲ୍ଲେଖ ଥିବା ନିଶା ନିବାରଣ ବ୍ୟବସ୍ଥା ସହିତ ରାଜ୍ୟ ଯୁବନୀତିରେ କୁହାଯାଇଥିବା ମଦମୁକ୍ତ ଗ୍ରାମ ଗଢ଼ାଯାଉନାହିଁ । ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ କୌଣସି ପ୍ରମୁଖ ରାଜ୍ୟନୈତିକ ଦଳ ନିଶା ନିବାରଣ କି ନିଶା ସଂକୋଚନ କଥା କହିବା ପରିବର୍ତ୍ତେ ନିର୍ବାଚନ ପାଇଁ ନିଶା ଓ କଳା ଟଙ୍କାକୁ ପ୍ରମୁଖ ଅସ୍ତ୍ର କରିବା ଆମ ସମାଜ ଓ ସରକାର ପ୍ରତି ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି । (ତଥ୍ୟ)