Home Education ଛାତ୍ର ସଂଗଠନର ସଜବାଜ ଆରମ୍ଭ

ଛାତ୍ର ସଂଗଠନର ସଜବାଜ ଆରମ୍ଭ

ଭୁବନେଶ୍ୱର : କଲେଜ ଓ ବିଶ୍ୱବିଦ୍ୟାୟଗୁଡିକରେ କରେନା କଟକଣା ଯୋଗୁଁ ଶ୍ରେଣୀଗୃହରେ ପାଠପଢା ବନ୍ଦ ଥିବାବେଳେ ଏବେ ବିଭିନ୍ନ ରାଜନୈତିକଦଳ ପକ୍ଷରୁ ସେମାନଙ୍କ ଛାତ୍ର ସଂଗଠନକୁ ଅଧିକ କ୍ରିୟାଶୀଳ କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଚଳିତ ଶିକ୍ଷାବର୍ଷରେ ଛାତ୍ରସଂସଦ ନିର୍ବାଚନ ହେବାର ଆଦୌ ସମ୍ଭାବନା ନଥିବା ସତ୍ୱେ ବିଜୁ ଛାତ୍ର ଜନତାଦଳ, ଛାତ୍ର କଂଗ୍ରେସ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମେତ ଡିଏସ୍‍ଓ ଭଳି ବାମପନ୍ଥୀ ଛାତ୍ର ସଂଗଠନମାନେ କିନ୍ତୁ ସାଂଗଠନିକ କାର୍ଯ୍ୟରେ ବ୍ୟସ୍ତ ।

ଇତି ମଧ୍ୟରେ ବିଜୁ ଜନତାଦଳ ତାହାର ସମସ୍ତ ଛାମୁଆ ସଂଗଠନର ପୁର୍ନବିନ୍ୟାସ କରିଛି । ଏହି କ୍ରମରେ ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତାଦଳର ଦାୟିତ୍ୱ ଦିଆଯିବା ସହ ରାଜ୍ୟ ଓ ଜିଲ୍ଲା ସ୍ତରରେ ଅନ୍ୟ କର୍ମକର୍ତ୍ତା ମଧ୍ୟ ମନୋନୟନ ସରିଛି । ବିଜୁ ଛାତ୍ର ଜନତାଦଳର ରାଜ୍ୟ ଓ କ୍ଷେତ୍ର ସ୍ତରୀୟ ଅନେକ ଗୁଡିଏ ବୈଠକ ବି ଅନୁଷ୍ଠିତ ହୋଇଗଲାଣି । ବିଶେଷକରି ଯୁବ ଓ ଛାତ୍ରଶାଖା ଦାୟିତ୍ୱରେ ଥିବା ଦଳର ମହାସଚିବ ପ୍ରଣବ ପ୍ରକାଶ ଦାସ ଭର୍ଚୁଆଲ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଜୋନ୍‍ର ଛାତ୍ରନେତାମାନଙ୍କ ସହ ବୈଠକ କରି ବିଜେଡିର ଛାତ୍ର ସଂଗଠନକୁ କିଭଳି ଅଧିକ ସୁଦୃଢ କରାଯିବ ସେ ସଂକ୍ରାନ୍ତରେ ମାର୍ଗଦର୍ଶନ ଦେଉଛନ୍ତି ।

କଂଗ୍ରେସର ଛାତ୍ରଶାଖା ପକ୍ଷରୁ ଏବେ କମ୍ପନ ସମାବେଶ ଅନୁଷ୍ଠିତ ହୋଇଛି । ଦୀର୍ଘବର୍ଷ ଧରି ରାଜ୍ୟ କଂଗ୍ରେସର ଛାମୁଆ ସଂଗଠନଗୁଡିକୁ ସଜାଡିବାପାଇଁ ଉଦ୍ୟମ ଚାଲିଛି । ବହୁ ଦିନ ଧରି ରାଜ୍ୟ ଛାତ୍ର କଂଗ୍ରେସର ସଭାପତି ପଦବୀ ଖାଲିପଡିବା ପରେ ଏବେ ଦଳର କେନ୍ଦ୍ରୀୟ କର୍ତ୍ତୃପକ୍ଷ ଓଡିଶା ଛାତ୍ର କଂଗ୍ରେସ ପାଇଁ ନୂଆ ସଭାପତି ମନୋନିତ କରିଛନ୍ତି । ଖୁବ୍‍ଶୀଘ୍ର ରାଜ୍ୟ ସ୍ତରରୁ ଆରମ୍ଭକରି ଜିଲ୍ଲା, ବ୍ଲକ ଓ ପୌରସଂସ୍ଥା ସ୍ତର ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ କମିଟିଗୁଡିକର ପୁର୍ନଗଠନ କରାଯିବ ବୋଲି ସୂଚନା ମିଳୁଛି । ଏହା ସହିତ ଉଚ୍ଚଶିକ୍ଷାନୁଷ୍ଠାନ ଖୋଲିବା ପରେ ପରେ ଛାତ୍ର କଂଗ୍ରେସ ପକ୍ଷରୁ ବ୍ୟାପକ ସଭ୍ୟସଂଗ୍ରହ ଅଭିଯାନ ଆରମ୍ଭହେବ ଏବଂ ଏଥିରେ କଂଗ୍ରେସ, ଯୁବକଂଗ୍ରେସ ଓ ମହିଳା କଂଗ୍ରେସର ଜିଲ୍ଲା ଓ କ୍ଷେତ୍ର ସ୍ତରୀୟ ନେତୃବୃନ୍ଦଙ୍କ ସହାୟତା ନିଆଯିବ ବୋଲି ସୂଚନା ମିଳିଛି ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବି ତାହାର ସାଂଗଠନିକ ଭିତ୍ତିଭୂମିକୁ ସୁଦୃଢ କରିବାପାଇଁ ରାଜ୍ୟ ରୁ କ୍ଷେତ୍ର ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା ସ୍ତରରେ ବ୍ୟାପକ ଅଦଳ ବଦଳ ସହ ନୂଆ ମୁହଁଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ଯାଉଛି । ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲେ ମଧ୍ୟ ରାଜ୍ୟର ଶିକ୍ଷା ସମସ୍ୟାକୁ ସର୍ବସାଧାରଣରେ ଉପସ୍ଥାପନ ଯେଭଳି କରାଯାଇ ପାରିବ ସେ ସଂକ୍ରାନ୍ତରେ ପରିଷଦ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି ।

ବାମପନ୍ଥୀ ଛାତ୍ର ସଂଗଠନଗୁଡିକ ମଧ୍ୟରେ ଏବେ ସବୁଠାରୁ ଅଧିକ ସକ୍ରିୟ ରହିଛି ଡିଏସ୍‍ଓ । ସୀମିତ ସ୍ଥାନରେ ଏହାର ଶାଖା ଥିଲେ ମଧ୍ୟ ଏଗୁଡିକ କିଭଳି ଅଧିକ ସକ୍ର୍ରିୟ ହେବ ଏବଂ ନୂଆ ନୂଆ ସ୍ଥାନରେ ଅଧିକ ଶାଖା ଖୋଲିବା ସଂଗେ ସଂଗେ ଆଞ୍ଚଳିକ, ରାଜ୍ୟ ତଥା ଦେଶର ବିଭିନ୍ନ ସମସ୍ୟାକୁ ଛାତ୍ର ସଂଗଠନ ମାଧ୍ୟମରେ କିଭଳି ଜୋରଦାର ଉପସ୍ଥାପନ କରାଯିବ ସେଥିଘେନି ଡିଏସ୍‍ଓ ମଧ୍ୟ ଯୋଜନା କରୁଥିବା ଜଣାପଡିଛି । ଏହାଛଡା ଏଆଇଏସ୍‍ଏଫ୍‍, ଏସ୍‍ଏଫ୍‍ଆଇ ସମେତ ଅନ୍ୟ ଛାତ୍ର ସଂଗଠନଗୁଡିକ ବି ପ୍ରସ୍ତୁତି ଆରମ୍ଭ କରିଛନ୍ତି ।