ଭୁବନେଶ୍ୱର : ସରକାରୀ ମେଡିକାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା, ସାଂସ୍କୃତି କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଲାଗି ରାଜ୍ୟ ସରକାର ଛାତ୍ର ମଙ୍ଗଳ ପାଣ୍ଠିକୁ ମଞ୍ଜୁର କରିଛନ୍ତି ଯେଉଁଥିରେ ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡିକ ବାର୍ଷିକ ୮ ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇପାରିବେ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହି ପାଣ୍ଠି ପ୍ରତ୍ୟେକ ସରକାରୀ ମେଡିକାଲ କଲେଜର ଡିନ୍ ଏବଂ ଅଧ୍ୟକ୍ଷଙ୍କ ସମେତ କଟକ ସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ଗବେଷଣା ପ୍ରତିଷ୍ଠାର ନିର୍ଦ୍ଦେଶକ ଏବଂ କ୍ୟାପିଟାଲ ହସ୍ପିଟାଲର ଅଧିକ୍ଷକଙ୍କୁ ଯୋଗାଇ ଦିଆଯିବ । ଏଥିସହିତ କଟକ ସ୍ଥିର ଶିଶୁ ଭବନ ଏବଂ ମାନସିକ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଏବଂ ଏସ୍ସିବି ଦନ୍ତ ଚିକିତ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ମଧ୍ୟ ପାଣ୍ଠି ଯୋଗାଯିବ ।
ଏହି ପାଣ୍ଠିରେ ଛାତ୍ରଛାତ୍ରୀମାନଙ୍କର ପାଠପଢା ବ୍ୟତିତ ଅନ୍ୟ କାର୍ଯ୍ୟକଳାପ ଯଥା ଶାରୀରିକ ପ୍ରଶିକ୍ଷଣ, କ୍ରୀଡା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଶାରୀରିକ ପ୍ରଶିକ୍ଷକ, ଯୋଗ ଏବଂ ସଂଗୀତ ଶିକ୍ଷକଙ୍କୁ ସାମୟିକ ଭାବେ ଆଉଟିସୋର୍ସିଂ ଜରିଆରେ ଅଣାଯାଇ ପାରିବ । ଏହା ଜରିଆରେ ବିଭିନ୍ନ କଲେଜର ଛାତ୍ର ଗୋଷ୍ଠିଙ୍କ ମଧ୍ୟରେ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ ହୋଇପାରିବ ।
ଏହି ପାଣ୍ଠି ଅର୍ଥରେ ଛାତ୍ରଛାତ୍ରୀମାନଙ୍କ ଲାଗି କ୍ରୀଡା, ସଂଗୀତ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଲାଗି ଆବଶ୍ୟକ ସାଜ ସରଞ୍ଜାମ ଖରିଦ କରାଯାଇପାରିବ । ଏହାଛଡା ଖେଳପଡିଆ, ଜିମ୍ ଏବଂ ଅନ୍ୟାନ୍ୟ ସାଜ ସରଞ୍ଜାମର ମଧ୍ୟ ମରାମତି ହୋଇପାରିବ । ମେଡିକାଲ କଲେଜଗୁଡିକ ଏହି ଅର୍ଥ ବ୍ୟବହାର କରି ଛାତ୍ରମାନଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ବହନ କରୁଥିବା ରାଜ୍ୟ ଓ ଜାତୀୟ ସ୍ତରର ବିଭିନ୍ନ ଦିବସ ପାଳନ କରିପାରିବେ । ତେବେ ପାଣ୍ଠି ଅର୍ଥରେ ପୂର୍ଣ୍ଣକାଳୀନ ମାନସମ୍ବଳ ନିଯୁକ୍ତି ହୋଇପାରିବ ନାହିଁ କିମ୍ବା ଦୀର୍ଘକାଳୀନ ଭିତ୍ତିରେ ଗାଡିମୋଟର ଭଡାରେ ଅଣାଯାଇ ପାରିବ ନାହିଁ ।
ଯେଉଁ ମେଡିକାଲ କଲେଜଗୁଡିକ ୫ବର୍ଷ ପୂରଣ କରିଥିବେ ସେମାନଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କାର ଛାତ୍ରମଙ୍ଗଳ ପାଣ୍ଠି ମିଳିବ । ତେବେ ଯେଉଁ ମେଡିକାଲକଲେଜଗୁଡିକ ୫ବର୍ଷ ପୂରଣ କରିନଥିବେ ସେମାନଙ୍କୁ ବାର୍ଷିକ ୧୫ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହାବାଦ୍ ଛାତ୍ରମଙ୍ଗଳ ପାଣ୍ଠିରୁ ସରକାରୀ ପିଜି ଇନଷ୍ଟିଟ୍ୟୁଟ, ଏସସିବି ଦନ୍ତ ଚିକିତ୍ସା ମହାବିଦ୍ୟାଳୟ ଏବଂ ମାନସିକ ରୋଗ ପ୍ରତିଷ୍ଠାନକୁ ବାର୍ଷିକ ୮ଲକ୍ଷ ଟଙ୍କା କରି ଯୋଗାଇ ଦିଆଯିବ । ଏହି ଅର୍ଥ କିଭଳି ବ୍ୟୟ ହେଉଛି ତାହା ପ୍ରତିମାସରେ ଅଧ୍ୟକ୍ଷଙ୍କ ଦ୍ୱାରା ଅନୁଧ୍ୟାନ କରାଯିବ । ଏଥିପାଇଁ ଗଠିତ ଦୁଇଟି ପ୍ୟାନେଲରେ ଜଣେ ଅଧ୍ୟକ୍ଷ ରହିବେ ।
ଏହି ପାଣ୍ଠି ବ୍ୟବହାରରୁ କି ପ୍ରକାର ସୁଫଳ ମିଳୁଛି ଏବଂ କ’ଣ ପଦକ୍ଷେପ ନିଆଯିବ ଅଧ୍ୟକ୍ଷ ପ୍ରତି ଛଅ ମାସରେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବେ । ସେହିଭଳି ଡିଏମଇଟି ପ୍ରତିବର୍ଷ ଏହି ପାଣ୍ଠି ବ୍ୟବହାର ନେଇ ସମୀକ୍ଷା କରିବେ ବୋଲି ଜଣାଯାଇଛି । (ତଥ୍ୟ)